ସନ୍ତାନ ପ୍ରାପ୍ତି ପାଇଁ ପଣ୍ଡୁ ଓଷା
ଆମ ଓଡିଆଙ୍କ ଘରେ ବାର ମାସରେ ତେର ପର୍ବ ପର୍ବାଣୀ ପାଳନ କରାଯାଏ। ତା ମଧ୍ୟରୁ ପଣ୍ଡୁ ଓଷା ଅନ୍ୟତମ। ମାର୍ଗଶୀର ମାସ ପୂର୍ଣ୍ଣିମା କୁ ପଣ୍ଡୁ ପୂର୍ଣ୍ଣିମା କୁହାଯାଏ ଓ ଏହି ଦିନ ଏହି ଓଷା ପାଳନ କରାଯାଉ ଥିବାରୁ ଏହାର ନାମ ପଣ୍ଡୁ ଓଷା ରହିଛି। ଆଉ କେତେକ କୁହନ୍ତି ଯେ,ଏହି ସମୟ ରେ ହେମନ୍ତ ଋତୁ ଶେଷ ହୋଇ ଶୀତ ଋତୁ ଆରମ୍ଭ ହୋଇ ଥାଏ। ପ୍ରତିଦିନ ସକାଳୁ କୁହୁଡ଼ି ପଡ଼ିବା ଯୋଗୁଁ ଚାରିଆଡ଼େ ଫିକା ଧଳା ବା ପାଣ୍ଡୁର ବର୍ଣ୍ଣ ଦେଖାଯାଏ। ଏଣୁ ଏହି ପୂର୍ଣ୍ଣିମା କୁ ପଣ୍ଡୁ ପୂର୍ଣ୍ଣିମା ଓ ଏହିଦିନ ଏହି ଓଷା ପାଳନ କରାଯାଉ ଥିବାରୁ ଏହାର ନାମ ପଣ୍ଡୁ ଓଷା ରହିଛି। କାର୍ତ୍ତିକ ମାସ ର ବଡ଼ ଓଷା ପର୍ବ ପରି ଗଜ ବସାଯାଇ ଏହି ବ୍ରତ ପାଳନ କରାଯାଏ। ଯମରାଜ ଙ୍କୁ ସନ୍ତୁଷ୍ଟ କରି ପୁତ୍ର ସନ୍ତାନ ପ୍ରାପ୍ତି ନିମନ୍ତେ ଏହି ପୂଜା କରାଯାଇଥାଏ ବୋଲି କହିଛନ୍ତି ଗବେଷକ ପଣ୍ଡିତ ତ୍ରିଲୋଚନ ମିଶ୍ର। ଏହି ଓଷା ପାଳନ କୁ ନେଇ ସ୍ୱତନ୍ତ୍ର ବିଧି ରହିଛି। ପୂଜା ର ମୁଖ୍ୟ ଭୋଗ ମଣ୍ଡା ପିଠା ବା ଗଜ ପିଠା। ଗୃହିଣୀ ମାନେ ଗୃହ କୁ ଗୋବର ରେ ଲିପି ବିଭିନ୍ନ ସ୍ଥାନରେ ମୁରୁଜ ରେ ଝୋଟି ଚିତ୍ର ଅଙ୍କନ। କରିଥାନ୍ତି। ପୁଜା ସ୍ଥଳ ରେ ଗଜ ଭୋଗ କୁ ସ୍ଥାପନା କରାଯିବା ପରେ ବ୍ରାହ୍ମଣ ପୁରୋହିତ ମାନେ ଯମରାଜ
ଙ୍କୁ ଆବାହନ, ପୂଜନ କରିବା ସହ ମଣ୍ଡା ପିଠା , ଖଇ, କଦଳୀ, ଛେନା ପ୍ରଭୃତି ଭୋଗ ଲାଗି କରିଥାନ୍ତି। ଯମରାଜ ଏହି ପୂଜା ରେ ସନ୍ତୁଷ୍ଟ ହେଲେ ଓଷା କରିଥିବା ମହିଳା ଙ୍କ ପୁତ୍ର ସନ୍ତାନ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ଓଷା ନାରୀ ଜାତି ବିଶେଷ କରି ମା ମାନଙ୍କ ପାଇଁ ଏକ ଅନନ୍ୟ ଓଷା ଅଟେ। ଓଡ଼ିଶା ର ବିଭିନ୍ନ ଅଞ୍ଚଳ ରେ ଏହି ଓଷା ପାଳନ କରାଯାଉଥିବା ବେଳେ ପୁରୀ ଶ୍ରୀ ମନ୍ଦିର ରେ ମଧ୍ୟ ପରମ୍ପରା ବିଧି ଅନୁଯାୟୀ ପଣ୍ଡୁ ଓଷା ପାଳିତ ହୋଇଥାଏ। ପୂର୍ଣ୍ଣିମା ଦିନ ସକାଳ ଧୂପ ପରେ ପୁଷ୍ପାଳକ ସେବକମାନେ ରତ୍ନ ସିଂହାସନ ଉପରେ ବିରାଜିତ ଶ୍ରୀ ଜିୟୁ ମାନଙ୍କ ମଇଲମ ନୀତି ସମ୍ପାଦନ କରିବା ସହିତ ଖଣ୍ଡିଏ ଆଜ୍ଞାମାଳ ଲାଗି କରିଥାନ୍ତି।ଶ୍ରୀ ମନ୍ଦିରର ଦକ୍ଷିଣୀ ଘରେ ଥିବା ଅଷ୍ଟଭୂଜ ଉଗ୍ର ନୃସିଂହ ଯାହାଙ୍କୁ ପଣ୍ଡୁ ନୃସିଂହ କୁହାଯାଇଥାଏ ତାଙ୍କୁ ମହାଜନ ସେବକମାନେ ରତ୍ନ ସିଂହାସନ ନିକଟକୁ ନେବାପରେ ସେ ଶ୍ରୀ ଜଗନ୍ନାଥ ଙ୍କ ଠାରୁ ଆଜ୍ଞାମାଳ ପାଇ ଝୁଲଣ ମଣ୍ଡପ ତଳେ ଥିବା ବିମାନ କୁ ବିଜେ ହୋଇଥାନ୍ତି। ବିମାନବଡୁ ସେବକ ମାନେ ବିମାନ କାନ୍ଧେଇ ଉଗ୍ର ନୃସିଂହ ଙ୍କୁ ଶ୍ରୀ କ୍ଷେତ୍ରର ଚାରି ଆଶ୍ରମ ଭ୍ରମଣ କରାଇ ବଡ ଦେଉଳ କୁ ଫେରି ଆସିଥାନ୍ତି ଶେଷ ହୋଇଥାଏ ପଣ୍ଡୁ ଓଷା ନୀତି।
ସନ୍ତୋଷ କୁମାର ଦାଶ।ତୁଳସୀପୁର।
ପୁରୀ।୯୪୩୯୩୬୧୮୮୮।