ବିନା ସୂଚନାଫଳକରେ ଶେଷ ହେଲା କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ଗ୍ରାମ ଠାରେ ସୂଚନାଫଳକ ବିନା କଂକ୍ରିଟ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପ୍ରାପ୍ତ ଖବର ଅନୁଯାୟୀ ପୂର୍ତ୍ତ ବିଭାଗ ରାସ୍ତାର ଷୋଳମପୁର ଖେଳପଡିଆ ଜଳପ୍ରକଳ୍ପ ଗୃହ ଠାରୁ ଗାଁ ମଧ୍ୟକୁ ଏକ ଗ୍ରାମ୍ୟ ରାସ୍ତା ନିର୍ମାଣ ହୋଇଛି । ପର୍ଯ୍ୟାୟକ୍ରମେ ଉକ୍ତ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ହେଉଥିବାବେଳେ କିଛିଦିନ ହେବା ଏହା ବନ୍ଦ ରହିଥିଲା । ଏହି ଗ୍ରାମ୍ୟ ରାସ୍ତା ଦେଇ ଗାଁର ଆର୍ଦ୍ଧାଧିକ ଲୋକ ମୁଖ୍ୟ ରାସ୍ତାକୁ ଆସିଥାଆନ୍ତି । ଏବେ ଏହାର ଉନ୍ନତିକରଣ ପାଇଁ ୫୨ମିଟର କଂକ୍ରିଟ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଆଶ୍ଚର୍ଯ୍ୟର କଥା ରାସ୍ତାକାମ ପାଇଁ କୌଣସି ସୂଚନାଫଳକ ଲାଗିନଥିବାବେଳେ ଅତି ତରବରିଆ ଭାବେ କାମକୁ ଶେଷ କରାଯାଇଛି । ଜଳପ୍ରକଳ୍ପ ଗୃହ ନିକଟରୁ ଶଙ୍ଖୁଆ ସାହି ଯାଏଁ ରାସ୍ତା ନିର୍ମାଣ ହୋଇଥିବାବେଳେ ଏହା କେଉଁ ଯୋଜନା ଅନ୍ତର୍ଭୁକ୍ତ ତାହା ଗ୍ରାମବାସୀମାନେ ଜାଣି ପାରୁନାହାଁନ୍ତି । ଏପରିକି ରାସ୍ତା କାର୍ଯ୍ୟର ମାନକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଏସମ୍ପର୍କରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିଥିଲେ ସୁଦ୍ଧା କୌଣସି ସଠିକ ଉତ୍ତର ମିଳିପାରିନାହିଁ । ଅତି ଚତୁରତାର ସହିତ ସରକାରୀ ଯୋଜନାରେ ଉକ୍ତ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିବାବେଳେ କେଉଁ ଉଦ୍ଦେଶ୍ୟ ରଖି ନିୟମ ଅନୁସାରେ ସୂଚନାଫଳକ ଲଗାଯାଇନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


