ଅଗ୍ନିଉତ୍ପାତ କାରଣ ଓ ନିବାରଣ
ବିପିନ ବିହାରୀ ମହାନ୍ତି
କୋଉ ପୁରାଣ କାଳରୁ ଚଳି ଆସୁଥିବା କଥାଟି ଏହି ଯେ- ‘ଘୋଡ଼ାଚଢ଼ା ଠାରୁ ସଂପତି ନାହିଁ କି ଘର ପୋଡ଼ି ଠାରୁ ବିପତି ନାହିଁ ।’ ଏହାର ଅର୍ଥ ଏହି ଯେ- କେବଳ ଧନିକ, ସଂଭ୍ରାନ୍ତ ଓ ରାଜରାଜୁଡ଼ା ବ୍ୟକ୍ତିମାନେ ଘୋଡ଼ା ଚଢ଼ୁଥିଲେ । ଘୋଡ଼ା ଥିଲା ଦୁର୍ମୁଲ୍ୟ । ଏଣୁ ସାଧାରଣ ଲୋକେ ଘୋଡ଼ା କିଣିପାରୁ ନଥିଲେ କି ଚଢ଼ି ପାରୁନଥିଲେ । ଇଏ ଏମିତି ଏକ ଯୁଗ ଥିଲା ଯେତେବେଳେ ସାଇକେଲ, ସ୍କୁଟର, କାର୍, ବସ୍, ରେଳଗାଡ଼ି, ପାଣି ଜାହାଜ କି ଉଡ଼ାଜାହାଜ ଇତ୍ୟାଦିର ପ୍ରଚଳନ ନଥିଲା । ସେତେବେଳେ ଜିନିଷ ବା ଯାତ୍ରୀ ପରିବହନ, ଖର୍ଚ୍ଚର ପିଠିରେ, ପଣ୍ଡା କି ବଳଦ ଟଣା ଗାଡ଼ିରେ, ଘୋଡ଼ା ପିଠି କି ଘୋଡ଼ାଟଣା ଗାଡ଼ିରେ ଅଥବା ଅନ୍ୟ କୌଣସି ଯାନବାହନ ମାଧ୍ୟମରେ ଚାଲୁଥିଲା । ଘୋଡ଼ା ପିଠି ବା ଘୋଡ଼ାଟଣା ଗାଡ଼ି ଥିଲା ଏକ ବଳିଷ୍ଠ ଓ ଦ୍ରୁତ ପରିବହନ ଏବଂ ଯୋଗାଯୋଗ ମାଧ୍ୟମ । ସେତେବେଳେ ବିପତି କହିଲେ ଅର୍ଜିତ ରୋଗ ବ୍ୟତୀତ ବନ୍ୟା, ମରୁଡ଼ି ଏବଂ ସେମିତି କିଛି ପ୍ରାକୃତିକ ବିପର୍ଯ୍ୟୟକୁ ବୁଝାଯାଉଥିଲା । ତେବେ ସେମାନଙ୍କ ମଧ୍ୟରେ ଅଗ୍ନ୍ୟୁତ୍ପାତ ସବୁଠାରୁ ଭୟଙ୍କର ଥିଲା ଯାହାକି ନିମିଷକ ମଧ୍ୟରେ ଜନ ସମାଜର ମନ, ଧନ ଓ ବାସସ୍ଥଳୀକୁ ପାଉଁଶରେ ପରିଣତ କରିଦେଉଥିଲା । ଅନ୍ୟମାନଙ୍କ ଠାରୁ ଚେଷ୍ଟାକରି ବଂଚି ହେଉଥିଲେ ହେଁ ଅଗ୍ନିଉତ୍ପାତ ପାଖେ ମଣିଷ କାଳେ କାଳେ ହାର ମାନିଛି । ଅଗ୍ନି ଉତ୍ପାତ ବା ବିତ୍ପାତ ଥିଲା ଏବଂ ଏବେ ମଧ୍ୟ ଅଛି ଯାହାକି ସବୁଠାରୁ ଭୟଙ୍କର ବିପତି । ଏଣୁ ଯଥାର୍ଥରେ କୁହାଯାଏ- ଘରପୋଡ଼ି ଠାରୁ ବିପତି ନାହିଁ । ଅଗ୍ନିବିତ୍ପାତର ବିଭିନ୍ନ କାରଣ ମାନ ଅଛି । ନୂଆଁଣିଆ ଚାଳ ଘରେ ରୋଷେଇ କଲେ; ନଡ଼ା ବା ପାଳଗଦା ପାଖରେ ବସି ଧାନ ଉଆଁସିଲେ, ଶୀତ ଦିନେ ଏଠି ସେଠି ନିଆଁଜାଳି ଥୋଇଲେ, ଜାନିଯାତ୍ରା ବା ବିବାହ ଉତ୍ସବରେ ରୋଶଣି ଜାଳି ବାଣ ମାରିଲେ ଏବଂ ସେଥିପ୍ରତି ସାମାନ୍ୟ ଅସାବଧାନତା ହେଲେ ନିଆଁ କାରଣରୁ କୋଉଠି ନା କୋଉଠି ହେଲେ ଅଗ୍ନିଉତ୍ପାତ ଘଟେ । ଜଙ୍ଗଲ ପୋଡ଼ି ଉଭୟ ପ୍ରାକୃତିକ ଓ ମଣିଷକୃତ ଅଗ୍ନି ଉତ୍ପାତ । ପ୍ରାକୃତିକ ଉପାୟରେ ଖରାଦିନେ ଗଛକୁ ଗଛ ବା ବାଉଁଶକୁ ବାଉଁଶି ଘଷି ହୋଇ ନିଆଁ ଧରେ ଏବଂ ବନ ଗହନ ଦହନ କରେ । ପୁନଶ୍ଚ ଏହି ବନାଗ୍ନିରୁ ପବନ ଯୋଗେ ନିଆଁ ଡେଇଁ ବନ ମଧ୍ୟସ୍ଥ ଅଥବା ବନ ସଂଲଗ୍ନ ଗାଁ ଗଣ୍ଡା ପୋଡ଼ି ପକାଏ । ବେଳକୁ ଆଦିବାସୀମାନେ ପୋଡ଼ୁଚାଷ ପାଇଁ ଜଙ୍ଗଲକୁ ପୋଡ଼ି ପକାନ୍ତି । ଯାହାକି ବନ ସଂପଦର ଅପୂରଣୀୟ କ୍ଷତି କରେ । କଥାରେ କୁହନ୍ତି- ମନ ଓ ବନ ଦହନ ନିଆଁକୁ ଆୟତ କୌଣସି ଯନ୍ତ୍ର ମଧ୍ୟ କାମ କରେ ନାହିଁ ।
କୋଇଲା ଖଣିରେ ଅଥବା କୋଇଲା ଖଣି ନିକଟସ୍ଥ ମହଜୁଦ କୋଇଲା ଗଦାରେ ବେଳେ ବେଳେ ନିଆଁ ଲାଗେ ଯାହାକୁ ଲିଭାଇବା ସହଜ ସମ୍ଭବ ନୁହେଁ । ଏହି କୋଇଲା ଗଦାରେ ସୂର୍ଯ୍ୟକିରଣ ଜନିତ ତାପ ହେତୁ ଏହା ଆପଣା ଛାଏଁ ପ୍ରଜ୍ଜ୍ୱଳନ ତାପମାତ୍ରାରେ ପହଂଚିଯାଏ ଏବଂ ଅମ୍ଲଜାନ ସଂସ୍ପର୍ଶରେ ଆସି ଆପେ ଆପେ ନିଆଁ ଜଳେ । ଏହାକୁ ଲିଭାଇବା ସହଜସାଧ୍ୟ ନୁହେଁ ।
ଅନେକ ସମୟରେ କିଏ ଘୁମଉଁ ଥିବାର ଦେଖିଲେ ଆମେ କହୁଁ : ‘କିହୋ ସମୁଦ୍ରକୁ ନିଆଁ ଲିଭାଇବାକୁ ଯାଇଥିଲ ଯେ ଢ଼ୁଳାଉଛ ? ପାଣିରେ ନିଆଁ କଥାଟି ଅସମ୍ଭବ ହେଲେ ସତ୍ୟ । କାରଣ ସମୁଦ୍ରର ନିମ୍ନଭାଗରେ ଥିବା ପେଟ୍ରୋଲିୟମ୍ରୁ ଗ୍ୟାସ ନିର୍ଗତ ହୋଇ ଜଳ ତୁଷ୍ଠସ୍ଥ ବାୟୁକୁ ସ୍ପର୍ଶ କଲେ ଅମ୍ଲଜାନ ସଂସ୍ପର୍ଶରେ ଆସି ତାହା ନିଆଁ ଧରେ । ଏମିତି ଯେତେ ସ୍ଥାନରେ ପ୍ରାକୃତିକ ଗ୍ୟାସ୍ ଥାଏ ସେଥି ମଧ୍ୟ ଅଗ୍ନିଉତ୍ପାତ ସମ୍ଭବ ହୋଇଥାଏ । ପାଣି ଜାହାଜ, ଉଡ଼ାଜାହାଜ, ରେଳଗାଡ଼ି କିମ୍ବା ଅନ୍ୟ କୌଣସି ଯନ୍ତ୍ର ଯେଉଁଥିରେ ଇନ୍ଧନ ଯୋଡ଼ାଯାଇ ଶକ୍ତି ବାହାର କରାଯାଏ ଏବଂ ତହିଁରୁ ଯନ୍ତ୍ର ଚାଲେ ସେଠି ନିଆଁ ଲାଗିବା ମଧ୍ୟ ସତ୍ୟ । ଏବେ ତ ଚାଳଘର, ନଡ଼ାଗଦା କି ପାଳଗଦାରେ ଆଉ ବିଶେଷ ନିଆଁ ଲାଗେ ନାହିଁ । ଗାଁ ଗଣ୍ଡାରେ ଆଉ ଚାଳଘର ଦେଖାଯାଏ ନାହିଁ । କଳକାରଖାନାରେ କୋଇଲା ଦହନରେ ଧାନରୁ ଚାଉଳ ପ୍ରସ୍ତୁତ ହୁଏ । ତେଣୁ ସେଠି ଆଉ ନିଆଁ ଲାଗିବାର ପ୍ରଶ୍ନ ନାହିଁ । ସେମିତି ବିଦ୍ୟୁତ୍ ସଟ୍ ସର୍କିଟ୍ରୁ ନିଆଁ ଲାଗେ । ଏହା ଚାଳ ଘର ହେଉ, କୋଠାଘର ହେଉ, କଳକାରଖାନା ହେଉ, ଟିଭି ଅଥବା ମଟର ଇତ୍ୟାଦି ଯାନ୍ତ୍ରିକ ଉପାଦାନରୁ ହେଉ, ରୋଷେଇ ପରିବର୍ତେ ଏବେ ଗ୍ୟାସ୍ ଚୁଲା ଅଥବା ବିଦ୍ୟୁତ୍ ଚୁଲା କିମ୍ବା କିରୋସିନ୍ ଷ୍ଟୋଭ୍ ଦ୍ୱାରା ଭୋଜନ ପ୍ରସ୍ତୁତ ହେଲାଣି । ଏସବୁ ଟାଙ୍କି ଫାଟୁଛି କିମ୍ବା ଗ୍ୟାସ୍ ବର୍ହିଗତ ହୋଇ ନିଆଁ ଧରୁଛି । ବିଜ୍ଞାନଗାରରେ ମଧ୍ୟ ଅଗ୍ନି ଉଦ୍ଗୀରଣରୁ ବିସ୍ଫୋରଣ ଘଟୁଛି । ଏହା ଧଳା ଫସ୍ଫରସ୍ ଜନିତ ଅସାବାଧାନତା ଲକ୍ଷଣ କାରଣରୁ ବା ରସାୟନ ବିଜ୍ଞାନର ପରୀକ୍ଷଣ ସଂକ୍ରାନ୍ତୀୟ ବିସ୍ଫୋରଣରୁ ହୋଇପାରେ । ତହିଁକୁ ବଳାଏ ଅଟମ୍ ବା ହାଇଡ୍ରୋଜେନ୍ ବିସ୍ଫୋରଣ ଏବଂ ବିଭିନ୍ନ ପ୍ରକାର ମାରଣାସ୍ତ୍ରର ବ୍ୟବହାର, ଉତ୍କ୍ଷେପଣ, ପରୀକ୍ଷଣ ଇତ୍ୟାଦି । ରେଳଗାଡ଼ି, ଉଡ଼ାଜାହାଜ ଏବଂ ପାଣିଜାହାଜ ଏମିତିକି ଆକାଶକୁ ପଠାଯାଉଥିବା ରକେଟ୍ ଇତ୍ୟାଦିରେ ନିଆଁ ଲାଗିବା ଏକ ସାଧାରଣ ଘଟଣା । ଏହିପରି ନିଆଁ ଲାଗିବାର ବିବିଧ କାରଣ ରହିଛି ।
ସମୟ କ୍ରମେଅଗ୍ନି ନିବାରଣାର୍ଥେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏବେକୁ ନାନା କଳ, ବଳ, ବୈଜ୍ଞାନିକ ଉପାୟମାନ ବାହାରିଲାଣି । ଏମିତିରେ ତ ଅଗ୍ନି ନିର୍ବାପକ ଯନ୍ତ୍ର ଯାହାକି ଗାଡ଼ି, ମଟର ଏବଂ ପ୍ରେକ୍ଷାଳୟ ତଥା ଛୋଟ ଛୋଟ କଳକାରଖାନା ଅଥବା ଅଗ୍ନିର ସମ୍ଭାବ୍ୟ କାରଣ ଥିବା ଜାଗା ମାନଙ୍କରେ ଗଚ୍ଛିତ ଥାଏ ଏବଂ ସମୟ ଅନୁସାରେ କାମରେ ଲାଗେ । ବଡ଼ ଆକାରରେ ଯେଉଁସବୁ ଯନ୍ତ୍ର ବାହାରିିଛି ତାହାକୁ ଦମକଳ ବା ନିଆଁଲିଭା ଯନ୍ତ୍ର ବୋଲି କୁହାଯାଏ । ଏହି ଯନ୍ତ୍ରର ନାମ ଭିନ୍ନ ଅର୍ଥରେ ଅଗ୍ନିଶମ କଳ । ‘ଅଗ୍ନିଶମ’ ଅର୍ଥାତ୍ ନିଆଁଲିଭା ବା ନିବାରଣ କଳ । ଏହି ଦମକଳ ଗୁଡ଼ିକ ଅଗ୍ନିଶମ କାର୍ଯ୍ୟାଳୟରେ ଜରୁରୀକାଳୀନ ଅଥବା ଆପତ୍କାଳୀନ ସେବା ପାଇଁ ୨୪ ଘଂଟିଆ ମହଜୁଦ୍ ଥାଏ । ଏବଂ ସାମାନ୍ୟ ବାର୍ତାଟିଏ ପାଇଲେ ଏହା ଅଗ୍ନି ନିବାରଣ ପାଇଁ ତତ୍ପର ହୋଇଉଠେ । ବିଦ୍ୟୁତ୍ ସଟ୍ ସର୍କିଟ୍ ଯୋଗେ ଅଗ୍ନିଉତ୍ପାତ ହେଲେ, ସେଠି ଏକ ପ୍ରକାର ରାସାୟନିକ ଫେଣ ବ୍ୟବହାର କରାଯାଏ । ଯାହାକୁ କୁହାଯାଏ ରାସାୟନିକ ଦମନ । ବିଭିନ୍ନ ପ୍ରକାର ଅଗ୍ନି ଉତ୍ପାତ ପାଇଁ ଭିନ୍ନ ଭିନ୍ନ ପ୍ରକାର କଳ ବା ଯନ୍ତ୍ର ବ୍ୟବହାର କରାଯାଏ । ସେହିପରି ବ୍ୟବହାରିକ ସ୍ତରରେ ଯେତେସବୁ ଆମେ ଯନ୍ତ୍ରପାତି ବ୍ୟବହାର କରେ, ସେଥିପ୍ରତି କିପରି ସତର୍କ ରହିବ, ତାହା ଦର୍ଶାଇ ପୁସ୍ତକ ମାନ ମଧ୍ୟ ଦିଆଯାଇଥାଏ । ଅଥଚ ଆମର ସେଥିପ୍ରତି ଦୃଷ୍ଟି ରୁହେନା ।
ଯେତେ ପ୍ରକାର ପ୍ରଳୟଙ୍କରୀ ଶକ୍ତି ପୃଥିବୀରେ ଅଛି, ସେମାନଙ୍କୁ ମଣିଷର ସେବାରେ ଶାନ୍ତିପୂର୍ଣ୍ଣ ବିନିଯୋଗ କରାଯାଇପାରିବ । ଯଦି ସେଗୁଡ଼ିକ ଲଗାମ ଛଡ଼ା କରି ଛାଡ଼ି ଦିଆନଯାଏ ଏବଂ ଲଗାମ ଲଗାଇ ଇଚ୍ଛାମନେ କାର୍ଯ୍ୟରେ ବ୍ୟବହାର କରାଯାଏ । ଏଥିପାଇଁ ନିଜକୁ ସମ୍ଭାଳି ଶିଖିଲେ ଅଗ୍ନିପରି ଅଣାୟତକୁ ମଧ୍ୟ ଆୟତ କରିହେବ ।
ତେବେ ଅଗ୍ନି ଉତ୍ପାତରୁ ରକ୍ଷା ପାଇବାକୁ ହେଲେ କେତେକ ପ୍ରତିଶେଧକ ବା ନିରାକରଣ ବ୍ୟବସ୍ଥା ଅବଲମ୍ବନ କରିବାକୁ ହେବ । ମୋଟ୍ ଉପରେ ସତର୍କତା, ସାବଧାନତା ଓ ଲୋକ ସଚେତନତତା ଜରୁରତ୍ ଅଛି ।
ସଂପ୍ରତି ସରକାରୀ ସ୍ତରରେ ଅଗ୍ନିଶମ ସେବା ବ୍ୟବସ୍ଥା ଅଛି । ସରକାର ଅଗ୍ନିବିତ୍ପାତ ସମୟରେ ଆବଶ୍ୟକୀୟ ସହଯୋଗ ଦେବା ପାଇଁ ପ୍ରସ୍ତୁତ । ଅଗ୍ନିଶମ ବିଭାଗ ଯେ କେବଳ ଖାଲି ନିଆଁ ଲିଭାଏ ଏକଥା ନୁହେଁ । ଏହା ବିଶେଷ କରି ଅଗ୍ନି, ଜଳ ଅଥବା ସେମିତି କିଛି ନିଖୋଜ ମାମଲାରେ ବ୍ୟାତ୍ପୃତ ଥାନ୍ତି । ସେମାନେ ନିଆଁପାଣିରୁ ଜୀବନରକ୍ଷକ । ସେମାନଙ୍କର ଦାୟିତ୍ୱ ହେଉଛି ବିପଦପୂର୍ଣ୍ଣ । ଜୀବନକୁ ବାଜି ରଖି ସେମାନେ କାହା ପାଇଁ ହେଲେ ଲାଗିପଡ଼ନ୍ତି । ଏଣୁ ସେମାନେ ବିପଦର ବନ୍ଧୁ । ଏହି ଦୃଷ୍ଟିରୁ ପ୍ରତିବର୍ଷ ମେ ୪ ତାରିଖକୁ ଅଗ୍ନିଶମ ସେବା ଦିବସ ରୂପେ ପାଳନ କରାଯାଏ । ଆମର କର୍ତବ୍ୟ ଏହି ଯେ ଆମେ ସେମାନଙ୍କୁ ସାହାଯ୍ୟ କରିବା ଉଚିତ୍ ଏବଂ ଅଗ୍ନିଉତ୍ପାଦ ସମୟରେ ସେମାନଙ୍କ ପାଖରେ ସର୍ବଜନ ଜ୍ଞାତ ସଂଖ୍ୟା ସାହାଯ୍ୟରେ ସୁରାକ ଦେବା ଉଚିତ୍ । ତାହାହେଲେ ଆମେ ତୁରନ୍ତ ସହଯୋଗର ହାତ ସେମାନଙ୍କ ଠାରୁ ପାଇପାରିବା । ଅଗ୍ନି ହିଁ ଦେବତା, ଅଗ୍ନିରୁ ସବୁକିଛି ସୃଷ୍ଟି ବୋଲି ଶାସ୍ତ୍ର କହେ ଏବଂ ଅଗ୍ନି ମଧ୍ୟ ହିଙ୍ଗୁଳା ସାଜି ସଂହାର ଲୀଳା ସୃଷ୍ଟି କରିପାରେ । ଏଣୁ ଆସନ୍ତୁ ଅଗ୍ନିର ଶରଣ ପଶିବା, ତାକୁ ମାନିବା ଓ ମନାଇବା ।
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ :
ବିପିନ ବିହାରୀ ପାଠାଗାର,ବିକାଶ ନଗର, ଜଟଣୀ
ମୋ-୯୯୩୮୩୪୪୧୩୮


