ଅଙ୍ଗନୱାଡ଼ି ଦିଦିଙ୍କ ନାଚଗୀତ ତାଳେତାଳେ କୁନିକୁନି ଛୁଆ ନାଚି ପାଠପଢୁଛନ୍ତି
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ବୈଷୟିକ ଶିକ୍ଷା ପ୍ରଦାନ କରିବା ଏବଂ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢିବା ସକାଶେ ଶିକ୍ଷାନୁଷ୍ଠାନ ଗୁଡିକରେ ବହୁ ଯୋଜନା ପ୍ରଣୟନ କରିଛନ୍ତି । ଏପରିକି ଛୋଟ ଶିଶୁମାନଙ୍କୁ ବିଦ୍ୟାଳୟ ଆଗମନ ଓ ଉତ୍ସାହ ଜନ୍ମାଇବା ପାଇଁ ଗାଁ ଗହଳିରେ ରହିଥିବା ଅଙ୍ଗନୱାଡ଼ି କେନ୍ଦ୍ର ମାନଙ୍କରେ ବର୍ତ୍ତମାନ ବିଭିନ୍ନ ଖେଳଣା ଠାରୁ ଆରମ୍ଭ କରି ପାଠ୍ୟ ଉପକରଣ ସହାୟତାରେ ପାଠ ପଢ଼ା ଯାଉଥିବା ଜଣାପଡିଛି । କିନ୍ତୁ ଆଜି ନାଚଗୀତର ତାଳେ ତାଳେ କୁନି ବିଦ୍ୟାର୍ଥୀଙ୍କୁ ପାଠ ପଢ଼ାଉଥିବା ନଜର ଆସିଛନ୍ତି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଖଲିଙ୍ଗି ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ସେକ୍ଟର୫ର କାର୍ଯ୍ୟରତ ଅଙ୍ଗନବାଡି ଦିଦି ଗୀତାଞ୍ଜଳି ଲେଙ୍କା ଓ ସେକ୍ଟର ୨ର କାର୍ଯ୍ୟରତ ଅଙ୍ଗନବାଡି ଦିଦି ରାଜଲକ୍ଷ୍ମୀ ସ୍ବାଇଁ । ଏଭଳି ନିଆରା ପାଠପଢ଼ାର ଭିଡିଓ ବର୍ତ୍ତମାନ ମୋବାଇଲରେ ଭାଇରାଲ ହେବାରେ ଲାଗିଛି । ଏପରି ଏକ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁଙ୍କୁ ଏଭଳି ଶିକ୍ଷା ପ୍ରଦାନ କରାଯାଇଥିବାରୁ ଉଭୟ ଦିଦିଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ଜଣାପଡିଛି ।


