ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ରାଜ୍ୟ ମୁଖ୍ୟ ସୂଚନା କମିଶନଙ୍କ ନିର୍ଦେଶ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ଡିଭିଜନ ପକ୍ଷରୁ ସୂଚନା ଅଧିକାର ଆଇନରେ ତଥ୍ୟ ପ୍ରଦାନରେ ଅବହେଳା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ତଦନ୍ତ ପୂର୍ବକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟ ସୂଚନା କମିଶନ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ନାଗଣପୁର ଗ୍ରାମର ଶୁଭ୍ରାନ୍ତ କୁମାର ମହାନ୍ତି ନାମକ ଜନୈକ ବ୍ୟକ୍ତି କେନ୍ଦ୍ରାପଡା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଡିଭିଜନରେ କେତେକ ତଥ୍ୟ ପାଇବା ପାଇଁ ସୂଚନା ଅଧିକାର ଆଇନରେ ଗତ ୨୨.୧୨.୨୦୧୭ରିଖରେ ଆବେଦନ କରିଥିଲେ । କିନ୍ତୁ ସଂପୃକ୍ତ ବିଭାଗର ଜନ ସୂଚନା ଅଧିକାରୀ ସେହି ତଥ୍ୟ ପାଇବା ପାଇଁ ସାଧାରଣ ଡାକରେ ପଠାଇଥିବା ପତ୍ର ଆବେଦନକାରୀ ପାଇନଥିଲେ । ତେଣୁ ସେ ପ୍ରଥମ ଆପିଲେଟ ଅଥରିଟିଙ୍କ ନିକଟରେ ଗତ ତ ୨୨.୦୨.୨୦୧୮ରିଖରେ ଆବେଦନ କରିଥିଲେ । କିନ୍ତୁ ସେଠାରୁ କିଛି ସୁଫଳ ନମିଳିବାରୁ ଆବେଦନକାରୀ ଶ୍ରୀ ମହାନ୍ତି ଶେଷରେ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ଦ୍ୱିତୀୟ ଅପିଲ କରିଥିଲେ । ରାଜ୍ୟ ମୁଖ୍ୟ ସୂଚନା କମିଶନର ସେହି ଆବେଦନର ବିଚାର କରି ସଂପୃକ୍ତ ବିଭାଗର ଜନ ସୂଚନା ଅଧିକାରୀଙ୍କୁ ଗତ ତା ୩୧.୦୮.୨୦୨୨ରିଖ ପୂର୍ବରୁ ଆବେଦନକାରୀଙ୍କୁ ସ୍ପିଡପୋଷ୍ଟ ଯୋଗେ ତଥ୍ୟ ପଠାଇଦେବାକୁ ନିର୍ଦେଶ ଦେଇଥିଲେ । କିନ୍ତୁ ଜନ ସୂଚନା ଅଧିକାରୀ କମିଶନଙ୍କ ନିକଟରେ ତଥ୍ୟ ଯୋଗାଇ ଦେବାକୁ ଦେଇଥିବା ପ୍ରତିଶୃତି ରକ୍ଷା କରିନଥିଲେ । ଏହା ମଧ୍ୟରେ ଆବେଦନକାରୀଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାରେ ସାଢେ ୪ବର୍ଷ ବିଳମ୍ବ ହୋଇଥିବାରୁ ରାଜ୍ୟ ମୁଖ୍ୟ ସୂଚନା କମିଶନ ଏହି ଘଟଣାର ତଦନ୍ତ ପୂର୍ବକ ଏଥିପାଇଁ ଦାୟୀ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଟକ ମହାନଦୀବିହାରସ୍ଥିତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।


