ଅନ୍ତରଙ୍ଗ କଳାକାର ପରିବାରର ବାର୍ଷିକ ଉତ୍ସବ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଗୋପସ୍ଥିତ ଅନ୍ତରଙ୍ଗ କଳାକାର ପରିବାରର ଷଷ୍ଠଦଶ ବାର୍ଷିକ ଉତ୍ସବ ଶୁକ୍ରବାର ପୂର୍ବାହ୍ନରେ ଗୋପର ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପ ସଭାପତି ନିଗମାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ କଟକର ରେକି ମିଶନର ବିଜ୍ଞାନୀ ଗୁରୁ ଶ୍ରୀ ସନ୍ଥ ଉତ୍ସବକୁ ଉଦଘାଟନ କରିଥିବା ବେଳେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ କଳାକାରମାନେ ସେମାନଙ୍କ ଅଭିନୟ କରି ନିଜର ପରିଚୟ ହଜାଇ ଦେଇଥାନ୍ତି । ଓଡିଶାର ଯାତ୍ରା ଓ ଅପେରା ଜଗତ ତା’ର ପ୍ରତିଭା ଓ ପ୍ରତିଷ୍ଠା କ୍ଷେତ୍ରରେ ସାରା ଭାରତବର୍ଷରେ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିପାରିଛି । ସେକ୍ସପିୟରଙ୍କ ଠାରୁ ଆମ ମାଟିର ପୁଅ ଅନନ୍ତ ଓଝା କୈାଣସି ଗୁଣରେ କମ ନୁହନ୍ତି । ଅଭିନେତାଟିଏ ନେତା ହୋଇପାରନ୍ତି କିନ୍ତୁ ନେତାଟିଏ ଚାହିଁଲେ ଅଭିନେତା ହେବା ସମ୍ଭବ ନୁହେଁ । କାରଣ ଏହା ଈଶ୍ୱର ଦତ୍ତ ପ୍ରତିଭା । ଯାତ୍ରା କଳାକାରମାନଙ୍କୁ ଉଚିତ ସମ୍ମାନ ପ୍ରଦାନ ଦାବିକୁ ବିଧାୟକ ସରକାରଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଓଡିଶାର କଳା ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିଥିବା କଳାକାରମାନଙ୍କ ଦାବିକୁ ସମ୍ମାନଦେଇ କେନ୍ଦ୍ରାପଡାରେ ବିଶିଷ୍ଟ ନାଟ୍ୟକାର ଅନନ୍ତ ଓଝାଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ମୁଖ୍ୟବକ୍ତା ଭାବରେ ପୁଣ୍ୟଉତ୍କଳର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର ଯୋଗଦେଇ ନାଟ୍ୟ ଜଗତର ମୁକୁଟ ବିହୀନ ସମ୍ରାଟ ଥିଲେ ଅନନ୍ତ ଓଝା । ସେହି ମହାନାୟକଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏହି ଅନ୍ତରଙ୍ଗ କଳାକାର ପରିବାର ଯୁଗ ଯୁଗକୁ ବଂଚି ରହିଥିବ ବୋଲି ମତବ୍ୟକ୍ତ କରିଥିଲେ । ସୂର୍ଗତ ଓଝା ନାଟ୍ୟ ପ୍ରେମୀମାନଙ୍କ ମନକୁ ଚୋରୀକରି ନେଇଯାଇଥିବାରୁ ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟବକ୍ତା ଶ୍ରୀ ମହାପାତ୍ର କହିଥିଲେ । ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଯାତ୍ରା ଜଗତର ଅଭିନେତା ଓ ଅଭିନେତ୍ରୀ ଦୈତାରୀ ପଣ୍ଡା,ଲୋକନାଥ ଲେଙ୍କା,କୈଳାସ ବେହେରା,ମନୋଜ ନାୟକ,ଗୈାର ଦାସ,ଦ୍ୱାରିକା ରାମ କର(ଚିକୁ),ବ୍ରଜ ବିହାରୀ ନାୟକ(କୁନା),ନଳିନୀ ପ୍ରଭା ସ୍ୱାଇଁ,ରଞ୍ଜିତା ମହାନ୍ତି,ରଞ୍ଜିତା ନାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବରିଷ୍ଠ ନାଟ୍ୟକାର ଅଧ୍ୟାପକ ରମେଶ ପାଣିଗ୍ରାହୀ,ବରିଷ୍ଠ ଅଭିନେତା ଦେବୀ ପ୍ରସାଦ ରଥ ଓ ମଣିଭଦ୍ର ବିଶ୍ୱାଳ,ବିଷ୍ଣୁ ଚରଣ ନାଥ,ବରିଷ୍ଠ ଅଭିନେତ୍ରୀ ମନ୍ଦାକିନୀ ପ୍ରଭୃତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ହେ ହୃଷିକେଶ ସମ୍ମାନରେ ନିର୍ଦେଶକ ଗୁରୁ ପ୍ରସାଦ ମିଶ୍ର,ଅନ୍ତରଙ୍ଗ ସମ୍ମାନରେ ଯାତ୍ରା ସାମ୍ବାଦିକ ଅଭିରାମ ସେନାପତି,ନାଟ୍ୟଦଳ ଭାବରେ ଭୂବନେଶ୍ୱର ବରମୁଣ୍ଡାର ଆଖଣ୍ଡଳମଣୀ ନାଟ୍ୟ ସଂସଦ ଓ କେନ୍ଦ୍ରାପଡା ବଡମଙ୍ଗଳାର ବାଣୀ ମଙ୍ଗଳା ନାଟ୍ୟ ସଂସଦକୁ ସମ୍ମାନୀତ କରାଯାଇଥିଲା । ବିଶିଷ୍ଠ ନାଟ୍ୟକାର ଅନନ୍ତ ଓଝାଙ୍କ ପତ୍ନୀ ହରପ୍ରିୟା ଓଝା ଅନ୍ତରଙ୍ଗ କଳାକାର ପରିବାର ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ଅଭିନେତା ସରଣାରବିନ୍ଦ ଓଝା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟ ନିର୍ଦେଶକ ଦିଲ୍ଲିପ କୁମାର ସାହୁ,ସୁଧାଂଶୁ ଶେଖର ପଣ୍ଡା,ଭବାନୀ ପ୍ରସାଦ ଓଝା,ଈଶ୍ୱର ଚନ୍ଦ୍ର ପୃଷ୍ଟି,ଶୈଳଜାଶଙ୍କର ସାମଲ,ଉମାକାନ୍ତ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିଲେ । ଏହି ଉତ୍ସବରେ ସାରା ଓଡିଶାର ବିଭିନ୍ନ ସ୍ଥାନରୁ ବହୁ ଯାତ୍ରା କଳାକାରମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ