ଅପପୃଷ୍ଟିର ଶୀକାର ୩ମାସର ଶିଶୁର ମୃତ୍ୟୁ ଘଟଣା
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ଶାଳଣିଆଁ ପଞ୍ଚାୟତ ମନୋହରପୁର ଗ୍ରାମର ଶିଶୁ ବିକ୍ରୀ ଉଦ୍ୟମ ଘଟଣାରେ ପ୍ରଶାସନିକ ଅବହେଳା ଯୋଗୁଁ ତିନିମାସର ଶିଶୁକନ୍ୟାଟି ଅପପୃଷ୍ଟିର ଶୀକାର ହୋଇ ମୃତ୍ୟୁବରଣ କରିଥିବା ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଆନନ୍ଦପୁର ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ସେ ଶିଶୁଟି ଅସୁସ୍ଥ ଥିବାବେଳେ ତାକୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ତାର ମା ଯତ୍ନ ନନେଇପାରିବାରୁ ତାର ମୃତ୍ୟୁ ଘଟିଲା । ସେହି ମା ପାଖାର ରହିଯାଇଥବବା ଆଉ ଛୁଆ ଦୁଇଟିଙ୍କୁ କିପରି ସହାୟତା କରାଯାଇ ପାରିବ ସେନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ପ୍ରଶାସନ ମହିଳା ଓ ତାର ସମସ୍ତ ଛୁଆଗୁଡିକଙ୍କ ସମସ୍ତ ଦାୟିତ୍ୱ ନେବ ବୋଲି ପ୍ରତିଶୃତି ଦେଇଥିଲେବି ଅପପୃଷ୍ଟିର ଶୀକାର ହୋଇଥିବା ଶିଶୁକନ୍ୟାଟି ଦୁଇଦିନ ହେଲା ଝାଡାରୋଗରେ ପଡିଥିଲା । ତାର ମା ତାକୁ ଶାଳଣିଆଁ ଡାକ୍ତରଖାନାକୁ ନେଇ ଚିକିତ୍ସା କରିଥିବାବେଳେ ଉପଯୁକ୍ତ ଚିକିତ୍ସା ଅଭାବରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଶିଶୁଟିର ମୃତ୍ୟୁ ଘଟିଛି ।ଏଠାରେ ସୁଚନାଯୋଗ୍ୟ ଯେ ମନୋହରପୁର ଗ୍ରାମର ମମତା ଦାସଙ୍କ ସ୍ୱାମୀ ଓ ଶାଶୁ ଗତ ୭ମାସ ତଳେ ମୃତ୍ୟୁବରଣ କରିଥିଲେ । ତାର ୪ଟି ଛୋଟ ଛୋଟ ଛୁଆ ଥିବାବେଳେ ଅଭାବ ଅନାଟନ ଭିତରେ ବଜାର ଘାଟ ବୁଲି ଯାହା ପାଆନ୍ତି ସେଇଥିରେ ଚଳନ୍ତି । ଓଳିଏ ଖାଇଲେ ଓଳିଏ ଉପାସରେ ଦିନ କଟେ । ଏପରିକି ଘରଦ୍ୱାର ନଥିବାରୁ ସେମାନେ ପର ବାରଣ୍ଡାରେ ମୁଣ୍ଡଗୁଞ୍ଜି ଥାନ୍ତି । ଏପରିକି ସରକାରଙ୍କ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଅଭାବ ଅନାଟନରେ ପଡି ସେ ତାଙ୍କର ଏକ ତିନିମାସର ଶିଶୁକନ୍ୟାକୁ ବିକିବାକୁ ବସିଥିଲେ । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ପ୍ରଶାସନ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇବା ସହ ପ୍ରଶାସନିକ ଅଧିକାରୀମାନେ ମମତାର ଘରକୁ ଯାଇ ଚାଉଳ, ପଲିଥିନି ଓ ଚଳିବାପାଇଁ କିଛି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରିବା ସହିତ ତାର ସେହି ତିନିମାସର ଶିଶୁର ସ୍ୱାସ୍ଥ୍ୟବସ୍ଥା ଖରାପଥିବା ଦେଖି ତାକୁ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇବା ସହିତ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଡାକ୍ତରଖାନା ପକ୍ଷରୁ ଶିଶୁଟିକୁ ଭିଟାମିନି ମେଡିସିନ ଦେଇ ବିଦା କରିଦିଆଯାଇଥିଲା । କିନ୍ତୁ ଶିଶୁଟି ପାଇଁ ଅଧିକ ଚିକିତ୍ସାର ଆବଶ୍ୟକତା ଥିବାବେଳେ ପ୍ରଶାସନ ପକ୍ଷରୁ ଏନେଇ ସେପରି କୌଣସି ପଦକ୍ଷେପ ନିଆଯାଇ ନଥିଲା । ଶିଶୁଟିର ମା ଶିଶୁ ମାନଙ୍କର ଯତ୍ନ ନେବାରେ ଅବହେଳା ପ୍ରଦର୍ଶନ କରୁଥିବା ଜାଣି ମଧ୍ୟ ପ୍ରଶାସନ ନୀରବ ରହିଥିଲା । ଏପରିକି ଏହି ପରିବାରଟି ପାଇଁ ରେସନକାର୍ଡ, ଆଧାରକାଡ, କରିଦେବାକୁ ପ୍ରଶାସନ କହିôତଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରିନାହିଁ । କିନ୍ତୁ ଅନେକ ସ୍ୱେଚ୍ଛାସେବୀ ସଂସ୍ଥା ମହିଳାଙ୍କ ପାଖରେ ପହଞ୍ଚି ତାଙ୍କୁ ସହାୟତା ଦେଇଥିବାବେଳେ ଯୁବ ସମାଜସେବୀ ବିଶ୍ୱନାଥ ପ୍ରତାପ ଜେନା ତାଙ୍କ ନିଜ ଉଦ୍ୟମରେ ସଂଗଠନର ସମସ୍ତ କର୍ମକର୍ତ୍ତାଙ୍କୁ ଧରି ଏକ ୨୪ଘଣ୍ଟା ଭିତରେ ଘର ନିର୍ମାଣ କରିଦେଇଛନ୍ତି । କିନ୍ତୁ ପ୍ରଶାସନ ଆଜି ପର୍ଯ୍ୟନ୍ତ କୌଣସି ଠୋସ ପଦକ୍ଷେପ ନେଇପାରି ନାହିଁ । ସେହିପରି ମମତାର ୧୦ବର୍ଷର ଏକ ପୁଅ ଥିଲେବି ସେ ଏବେବି ବାଳଶ୍ରମିକ ଭାବେ ଅନ୍ୟ ପାଖରେ ରହି ଘୁସୁରୀ ଚରାଉଛି । ପ୍ରଶାସନ କି ଚାଇଲଡ ଲାଇନ କର୍ତ୍ତୁପକ୍ଷ ଏହି ବାଳ ଶ୍ରମିକକୁ ଉଦ୍ଧାର କରିବା ଦିଗରେ ପଦକ୍ଷେପ ନେଇ ନାହାନ୍ତି ।


