ଅବକାରୀ ଚଢାଉ: ୬୦ ଲିଟର ଦେଶୀମଦ ଜବତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ମଙ୍ଗଳବାର ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବନ୍ତ ଥାନା ଅଧିନ ପଳସା ବଜାର ଅଞ୍ଚଳରେ ପେଟ୍ରୋଲିଂ କରାଯାଉଥିବା ବେଳେ ଓଡି-୨୨ସି-୫୩୩୯ ନମ୍ବର ବିଶିଷ୍ଟ ହିରୋ ଗ୍ଲାମର ମଟର ସାଇକେଲରୁ ୨୦ଲିଟର ଦେଶୀ ଚୋରା ମଦ ଜବତ କରାଯିବା ସହ ଆଳମଙ୍ଗା ଗ୍ରାମର ଅଜୟ କୁମାର ନାୟକଙ୍କୁ ଗିରଫ କରାଯାଇଛି । ସେହିପରି ଟିଲୋ ଓ ତୋଟାସାହି ଗ୍ରାମରେ ଚଢାଉ କରାଯାଇ ୩ ଜଣଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୬୦ ଲିଟର ଦେଶୀ ମଦ ସହ ଗୋଟିଏ ବାଇକ୍ ଜବତ କରାଯାଇଥିବା ଜଣାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ଟିଲୋ ଗ୍ରାମର ଅନିରୁଦ୍ଧ ଧଳ, ପ୍ରଦୀପ୍ତ କୁମାର ଧଳ, ତୋଟାସାହି ଗ୍ରାମର ମୂରଲୀ ମୁଣ୍ଡା । ଜବତ ମଦର ଆନୁମାନିକ ମୂଲ୍ୟ ୧୦ ହଜାର ହେବ ବୋଲି ଅବକାରୀ ବିଭାଗ ସୂତ୍ରରୁ ଜଣାଯାଇଛି । ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ୍ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଚଢାଉ କରିଥିଲେ । ଉକ୍ତ ଚଢାଉରେ ଏସ୍.ଆଇ. ସନ୍ତୋଷ କୁମାର ବଳ, ଏ.ଏସ୍.ଆଇ ପ୍ରହଲ୍ଲାଦ ସାମଲ, ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ପରେଶ ଟୁଡୁ, ସନ୍ଧ୍ୟାରାଣୀ ସେନାପତି, ମିଥୁନ ଜେନା, ଖଗେଶ୍ୱର ଜେନା ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ୪ଟି ମାମଲା ରୁଜ୍ଜୁ ହୋଇଛି । ପ୍ରକାଶ ଥାଉକି, ଦୀର୍ଘ ଦିନ ହେବ ବନ୍ତ ଅଞ୍ଚଳରେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ହେଉଥିବା ନେଇ ଜିଲ୍ଲା ଅବକାରୀ ବିଭାଗ ପାଖରେ ଅଭିଯୋଗ ହୋଇଆସୁଥିଲା । ଗତ କିଛି ଦିନ ତଳେ ଟିଲୋ ତେଲିସାହି ଅଞ୍ଚଳରେ ଚୋରା ମଦ କାରବାର ହେଉଥିବା ନେଇ ବନ୍ତ ବ୍ଲକ ଯୁବକ ସଂଘ ପକ୍ଷରୁ ଜିଲ୍ଲା ଅବକାରୀ ବିଭାଗକୁ ସୂଚନା ଦିଆଯାଇଥିଲା । ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ସ୍ୱାଗତ କରାଯାଇଛି ।


