ଅବକାରୀ ବିଭାଗ ପକ୍ଷରୁ ଢେଙ୍କା ଅଂଚଳରେ ଚଢ଼ାଉ, ମଦ ଜବଦ, ଦୁଇଗିରଫ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ସୋସୋ ଥାନା ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ପୋଚ ନଷ୍ଟ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଆନନ୍ଦପୁର ଅବକାରୀ ବିଭାଗ। ସୂଚନାରୁ ଜଣାଯାଇଛି ଯେ କେନ୍ଦୁଝର ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିର୍ଦେଶକ୍ରମେ ଆନନ୍ଦପୁର ଅବକାରୀ ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ପରିଡା, ଅବକାରୀ ନିରୀକ୍ଷକ ପ୍ରଫୁଲ୍ଲ କୁମାର ମହାନ୍ତ ଏପିଆର ଫୋର୍ସଙ୍କ ସହ ଢେଙ୍କା ବଜାର ନିକଟରେ ଚଢ଼ାଉ କରି ସିଙ୍ଗରାଇ ସୋରେନଙ୍କ ଠାରୁ ଶହେଲିଟର ମହୁଲି ମଦଜବଦ କରିଥିଲେ। ସେହିଭଳି ପୁରୁଣାପାଣି ଗ୍ରାମର ପୋଖରୀକୂଳରୁ ହଜାରେ କେଜିରୁ ଉର୍ଦ୍ଧ୍ବ ଗୂଡ଼, ପୋଚ, ୮୦୦ଲିଟର ମହୁଲି ମଦ ଜବଦ କରିବା ସହିତ ଧର୍ମାନନ୍ଦ ମାଝିଙ୍କ ସ୍ତ୍ରୀ କାପୁରା ମାଝୀଙ୍କ ନିକଟରୁ ୪୦ଲିଟର ମହୁଲି ମଦ ଜବଦ କରି ତାଙ୍କୁ ଗିରଫ କରିଥିଲେ। ଆହୁରି ସେହି ଗ୍ରାମରୁ ୪୦୦୦କେଜିରୁ ଉର୍ଦ୍ଧ୍ବ ଗୁଡ଼ପୋଚ ଏବଂ ୨୦୦ ଲିଟର ମହୁଲି ମଦ ଜବଦ କରି ନଷ୍ଟ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ମାଜିଷ୍ଟ୍ରେଟ ଭାବେ ପ୍ରଦୀପ କୁମାର ପାଢ଼ୀ ସାମିଲ ହୋଇଥିଲେ।


