ଅବସରପ୍ରାପ୍ତ ଅଧ୍ୟାପକଙ୍କ ପିଏଚ୍ଡି ପ୍ରାପ୍ତି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଏକାମ୍ର ମହାବିଦ୍ୟାଳୟ, ଭୁବନେଶ୍ୱରରୁ ଗତ ୨୦୧୯ ମେ ମାସରେ ଅବସର ଗ୍ରହଣ କରିଥିବା ସଂସ୍କୃତ ବିଭାଗର ଅଧ୍ୟାପକ ଶ୍ରୀ ଗୋପାଳ ପ୍ରସାଦ ମହାପାତ୍ର ଇତି ମଧ୍ୟରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀଙ୍କ ଦ୍ୱାରା ପି.ଏଚ୍.ଡି ଉପାଧି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଶ୍ରୀ ମହାପାତ୍ର ଡ.ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ, ସମସ୍ତିପୁର, ବିହାରର କୁଳାଧିପତି ତଥା ଉତର ଓଡଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ.ପ୍ରଫୁଲ କୁମାର ମିଶ୍ରଙ୍କର ତତ୍ୱାବଧାନରେ ଏବଂ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ସଦାଶିବ ପରିସର, ପୁରୀର ପ୍ରାଧ୍ୟାପକ ଡ.ରମାକାନ୍ତ ମିଶ୍ରଙ୍କର ସହତତ୍ୱାବଧାନରେ ‘ଶ୍ରୀଜୟଦେବକୃତ ଗୀତଗୋବିନ୍ଦର ସଂଗୀତଶାସ୍ତ୍ରୀୟଅଧ୍ୟୟନ’ ବିଷୟ ଉପରେ ଶୋଧ ପ୍ରବନ୍ଧଟି ପ୍ରସ୍ତୁତ କରିଛନ୍ତି । ଉକ୍ତ ଶୋଧ ପ୍ରବନ୍ଧଟି ଜାମିଆ ମିଲିଆ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗର ପ୍ରାଧ୍ୟାପକ ଡ. ଗିରୀଶ ଚନ୍ଦ୍ର ପନ୍ତଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି । ଶ୍ରୀ ମହାପାତ୍ର ବହୁ ସାମାଜିକ କାର୍ଯ୍ୟସହ ପ୍ରତ୍ୟକ୍ଷ ଭାବରେ ଜଡିତ ଥିବାରୁ ଚାକିରୀ କାର୍ଯ୍ୟକାଳ ଭିତରେ ଗବେଷଣା କାର୍ଯ୍ୟ କରିବା ସମ୍ଭବ ହୋଇ ପାରିନଥିଲା । କିନ୍ତୁ ଏହି କୋଭିଡ ମହାମାରୀର ଭୟାବହ କାଳଖଣ୍ଡରେ ଉକ୍ତ ଶୋଧ ପ୍ରବନ୍ଧ ଲିଖନ କାର୍ଯ୍ୟଟି ସମ୍ପନ୍ନ ହୋଇପାରିଲା । ଶ୍ରୀ ମହାପାତ୍ରଙ୍କର ଜେଜେବାପା ୰ ପଣ୍ଡିତ ଅନନ୍ତ ମହାପାତ୍ର ହେଉଛନ୍ତି ତାଙ୍କର ପ୍ରେରଣା ପୁରୁଷ । ତାଙ୍କର ବାପା ଶ୍ରୀ ରାମକୃଷ୍ଣ ମହାପାତ୍ର ଏକାଧାରରେ ଜଣେ ଶିକ୍ଷକ, ଚିକିତ୍ସକ, ମଂଚ ନିର୍ଦ୍ଦେଶକ, କବି, ଲେଖକ ଓ ପ୍ରବଚକ ମଧ୍ୟ । ଉଭୟଙ୍କର ପ୍ରେରଣା ଓ ପାରିବାରିକ ସଂସ୍କାର ହିଁ ତାଙ୍କୁ ଏହି ସଫଳତା ପ୍ରଦାନ କରିଛି ବୋଲି ଶ୍ରୀ ଗୋପାଳ ପ୍ରସାଦ ମହାପାତ୍ର ମତବ୍ୟକ୍ତ କରିଛନ୍ତି ।


