ଅଭିନୟ ପାଇଁ ନ୍ୟୁଜିଲାଣ୍ଡରୁ ଫେରିଲେ ଭାରତ
ମୁମ୍ବାଇ : ନାଁ ତାଙ୍କର ସାର୍ଲି ସେତିୟା । ସେ ଭଲ ଗାଇପାରନ୍ତି ଓ ଅଭିନୟ କରିପାରନ୍ତି ମଧ୍ୟ। ସେ ନ୍ୟୁଜିଲାଣ୍ଡର ଭାରତୀୟ ବଂଶୋଭବ । ତାଙ୍କ ଜନ୍ମ ଅକଲାଣ୍ଡରେ । ସେ ‘ୟୁନିଭର୍ସିଟି ଅଫ ଅକଲାଣ୍ଡ’ରୁ ସ୍ନାତକ ଉତ୍ତୀର୍ଣ୍ଣ ହେବା ପରେ ‘ଟି ସିରିଜ’ ଦ୍ୱାରା ଅନୁଷ୍ଠିତ ଏକ ପ୍ରତିଯୋଗିତା ଜିଣି ସଂଗୀତ ଦୁନିଆକୁ ଆସିଥିଲେ । ସେ ହିନ୍ଦୀ ଓ ଇଂରାଜୀ ଭାଷାରେ ଗାଆନ୍ତି । ନ୍ୟୁଜିଲାଣ୍ଡରେ ସେ ବେଶ ଲୋକପ୍ରିୟ । ‘ପାଇଜାମା ପପଷ୍ଟାର’ ଭାବେ ସୁପରିଚିତ । ତାଙ୍କର ଏକ ‘ୟୁ ଟ୍ୟୁବ’ ଚ୍ୟାନେଲ ମଧ୍ୟ ଅଛି । ଉକ୍ତ ଚାନେଲରେ ଗ୍ରାହକ ସଂଖ୍ୟା ଏକ ତିରିଶ ଲକ୍ଷ । ଇଂଲଣ୍ଡ, ଆମେରିକା, କାନାଡା, ଅଷ୍ଟ୍ରେଲିଆ, ନୁ୍ୟଜିଲାଣ୍ଡ ଓ ଭାରତରେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ୧୬.୭ କୋଟି । ଏବେ ସେ କେବଳ ଅଭିନୟ ପାଇଁ ନିଜ ଜନ୍ମମାଟି ଭାରତକୁ ଫେରିଛନ୍ତି। ଆଉ ଫିଲ୍ମ ‘ନିକ୍କମା’ ମାଧ୍ୟମରେ ସେ ପ୍ରଥମ ଥର ଲାଗି ବଲିଉଡରେ ପଦାର୍ପଣ କରିଛନ୍ତି । ୨୦୧୩ରୁ ସେ ସଙ୍ଗୀତ ଦୁନିଆରେ ସକ୍ରିୟ ଅଛନ୍ତି । ଅଦ୍ୟାବଧି ତାଙ୍କର ଷୋହଳଟି ମଉିଜିକ ଆଲବମ ମୁକ୍ତିଲାଭ କରିସାରିଲାଣି । ତେଣୁ ତାଙ୍କ ଲୋକପ୍ରିୟତାକୁ ନେଇ କୌଣସି ସନ୍ଦେହ ନାହିଁ । ଗତ ବର୍ଷ ‘ଲକଡାଉନ’ ନାମକ ୱେବ ରିଆଲିଟି ସୋରେ ଦେଖିବାକୁ ମିଳିଥିଲେ । ଏବେ ସେ ମୁମ୍ବାଇରେ ଅସ୍ଥାୟୀ ଭାବେ ରହି ‘ନିକମ୍ମା’ର ସୁଟିଂରେ ବ୍ୟସ୍ତ ।


