ଅଭିଶପ୍ତ ଗାଁ: ଯେଉଁଠି ରୁହନ୍ତି ଗୋଟିଏ ସର୍ନେମ୍ର ଲୋକେ
ଗୁଜରାଟର ମୋରବି ଜିଲ୍ଲା ଅନ୍ତର୍ଗତ ଏକ ଗାଁକୁ ଅଭିଶପ୍ତ ଗାଁ ବୋଲି କୁହାଯାଏ । କାରଣ ଏଠାରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଗୋଟିଏ ସର୍ନେମ୍ ବା ସାଂଜ୍ଞା । ପ୍ରାୟ ୭ଶହ ଲୋକ ଏହି ଗାଁରେ ରହୁଥିବା ବେଳେ ସମସ୍ତଙ୍କ ସର୍ନେମ୍ “ଚରବାଡିଆ’ । କୁହାଯାଏ ଯିଏ ବି ଏହି ଗାଁରେ ରହିବାକୁ ଇଚ୍ଛା କରନ୍ତି ସମସ୍ତେ “ଚରବାଡିଆ’ ସର୍ନେମ୍ ରଖିବାକୁ ବାଧ୍ୟ । କାରଣ ଗାଁ ଲୋକଙ୍କ ମତରେ କିଛିବର୍ଷ ପୂବେ ଏଠାରେ ଭିନ୍ନ ସର୍ନେମ୍ରେ ଗୋଟିଏ ପରିବାର ରହୁଥିଲେ । ହେଲେ ସମୟକ୍ରମେ ସେମାରେ ରୋଗଗ୍ରସ୍ତ ହେବାରୁ ବାଧ୍ୟ ହୋଇ ଗାଁ ଛାଡି ଚାଲି ଯାଇଥିଲେ । ମୋରବି ଜିଲ୍ଲାର ବାଙ୍କାନେରଠାରୁ ୧୩ କିଲୋମିଟର ଦୂର “ଚରବାଡିଆ’ ଲୋକଙ୍କ ବୋକାଡତମ୍ବା ଗାଁ ରହିଛି । ଗତ ପ୍ରାୟ ଶହେ ବର୍ଷ ହେବ ଏଠାରେ ଗୋଟିଏ ସର୍ନେମ୍ରେ ଲୋକେ ରହି ଆସୁଛନ୍ତି । “ଚରବାଡିଆ’ ସର୍ନେମ୍ ନ ରଖୁଥିବା ଲୋକଙ୍କୁ ଏହି ଗାଁକୁ ଆସିବାକୁ ବାରଣ କରାଯାଇଥାଏ । ଗାଁର ଜଣେ ବୟସ୍କ ବ୍ୟକ୍ତି ଘନଶ୍ୟାମ ମହାରାଜ କୁହନ୍ତି ଏହା ହେଉଛି ଏକ ଅଭିଶପ୍ତ ଗାଁ । ଏଠାରେ ଲୋକେ ସର୍ନେମ୍ “ଚରବାଡିଆ’ ନ ରଖିଲେ ଗାଁକୁ ବିପଦ ପଡିଥାଏ । ଅନ୍ୟଜଣେ ୮୫ ବର୍ଷୀୟ ମଙ୍ଗବପା ଚରବାଡିଆ କୁହନ୍ତି, ହଜାରେ ବର୍ଷ ପୂର୍ବେ ବାଙ୍କାନେରର ଶାସକ ୪ଜଣ ଭାଇଙ୍କୁ ଏହି ଗାଁରେ ରଖିଥିଲେ । ଆଉ ସେବେଠାରୁ ଏହି ଗାଁରେ କେବଳ ସେହି ୪ ଭାଇଙ୍କର ବଂଶଜମାନେ ରହୁଥିବାରୁ ସମସ୍ତଙ୍କର ଗୋଟିଏ ସର୍ନେମ୍ ରହିଛି ।


