ଅମାନୁଷିକ କାର୍ଯ୍ୟ : ବୃଦ୍ଧଙ୍କୁ ରାସ୍ତା କଡରେ ଛାଡି ଚାଲିଗଲେ
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ସଭ୍ୟ ଜଗତର ମାନବ ସମାଜର ଅମାନୁଷିକ କାର୍ଯ୍ୟ। ପକ୍ଷାଘାତ ରୋଗୀ ଓ ବାର୍ଦ୍ଧକ୍ୟ ବୋଝ ପାଇଁ ବୋଧହୁଏ ନିଜ ସମ୍ପର୍କୀୟ ମାନେ ବୃଦ୍ଧଙ୍କୁ ଗାଡ଼ିରେ ଆଣି ରାସ୍ତା କଡରେ ଛାଡ଼ି ଦେଇ ଚାଲିଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ମଣିଷ କିପରି ପଶୁ ପ୍ରବୃତ୍ତିରେ ପରିଣତ ହୋଇପାରେ ତାହାର ଏକ ନଗ୍ନ ନମୁନା ପୋଲସରାରେ ଦେଖିବାକୁ ମିଳିଛି। ରାସ୍ତା କଡ଼ରୁ ପୋଲସରା ପୋଲିସ ଓ ପ୍ରଶାସନ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର ଓ ସେବାକରି ମାନବିକତାର ପରିଚୟ ସୃଷ୍ଟି କରିଛନ୍ତି। ମିଳିଥିବା ସୂଚନା ପ୍ରକାରେ ଶୁକ୍ରବାର ଦିନ ଦୁଇଜଣ ବ୍ୟକ୍ତି ଏକ ଗାଡିରେ ବୃଦ୍ଧ ଜଣଙ୍କୁ ଆଣି ପୋଲସରା ବ୍ଳକ ଅନ୍ତର୍ଗତ ସୋଡକ ଗ୍ରାମ ନିକଟରେ ଛାଡି ଚାଲିଯାଇଥିଲେ । ସୋଡକ ଗ୍ରାମାର ଲୋକମାନେ ଘଟଣା କଣ ଜାଣିବା ପୂର୍ବରୁ ବୃଦ୍ଧ ଙ୍କୁ ଛାଡି ଗାଡି ଚାଲି ଯାଇଥିଲା । ସୋଡକ ଗ୍ରାମର କିଛି ଲୋକ ଘଟଣା କଣ ଜାଣିବା ପାଇଁ ବୃଦ୍ଧଙ୍କ ନିକଟକୁ ଯିବା ପରେ ଜାଣିଲେ ଯେ ବୃଦ୍ଧ ଜଣକ ପକ୍ଷାଘାତ ରୋଗୀ । ତାଙ୍କର ଡାହାଣ ଅଙ୍ଗ କାମ କରୁନାହିଁ ଓ ସେ କଥାବାର୍ତ୍ତା କରି ପାରୁ ନାହାଁନ୍ତି । ସୋଡକ ଗ୍ରାମର ପ୍ରକାଶ ଗୁରୁ ଓ ଅନ୍ୟ ଦୁଇଜଣ ଯୁବକ ୧୦୮ ଆମ୍ବୁଲାନ୍ସ ଦ୍ଵାରା ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ତେବେ ବୃଦ୍ଧଙ୍କ ନିଜର ଲୋକ କେହି ନଥିବାରୁ ସେ ଘୋଷାରି ହୋଇ ମେଡିକାଲ ଛକକୁ ଚାଲି ଆସିଥିଲେ । ବୃଦ୍ଧଙ୍କୁ ମେଡ଼ିକାଲ ଛକରେ ମୁର୍ମୁର୍ଷ ଅବସ୍ଥାରେ ଦେଖି ସ୍ଥାନୀୟ କିଛି ଯୁବକ ତାଙ୍କର ଯତ୍ନ ନେବା ସହିତ ଏନଏସି ବସଷ୍ଟାଣ୍ଡ ରେ ଥିବା ଯାତ୍ରୀ ବିଶ୍ରାମାଗାର ରେ ରଖିଥିଲେ । ମାତ୍ର ଆଜି ସକାଳେ ପୁଣି ବୃଦ୍ଧ ଜଣକ କୌଣସି ପ୍ରକାରେ ଆସି ପୁରୁଣା ଫାଣ୍ଡି ନିକଟରେ ଦୟନୀୟ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲସରା ଥାନାର କେତେଜଣ ପୋଲିସ ଆସି ବୃଦ୍ଧଙ୍କୁ ଉଦ୍ଧାର କରି ପୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ବୃଦ୍ଧଙ୍କ ଠିକଣା ଓ ସେମାନଙ୍କ ସମ୍ପର୍କୀୟ ମାନଙ୍କ ସମ୍ପର୍କରେ ଅନୁସନ୍ଧାନ ଚଳାଇଛନ୍ତି । ଏକ ପକ୍ଷରେ ସମ୍ପର୍କୀୟ ମାନଙ୍କ ଅମାନୁଷିକ କାର୍ଯ୍ୟ I


