ଅଯୋଧ୍ୟା ଶୁଣାଣି ଶେଷ, ରାୟ ସଂରକ୍ଷିତ
ନୂଆଦିଲ୍ଲୀ : ସୁପ୍ରିମ କୋର୍ଟରେ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସ୍ଜିଦ୍ ମାମଲାର ଶୁଣାଣି ପ୍ରିକ୍ରିୟା ଆଜି ଶେଷ ହୋଇଛି । ମାମଲାର ରାୟ ନଭେମ୍ବର ମାସରେ ପ୍ରକାଶ ପାଇବାର ସମ୍ଭାବନା ରହିଛି । ନଭେମ୍ବର ୧୭ରେ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗଇ ଅବସର ଗ୍ରହଣ କରିବାକୁ ଯାଉଥିବା ବେଳେ ଏହାପୂର୍ବରୁ ମାମଲାର ରାୟ ପ୍ରକାଶ ପାଇପାରେ ବୋଲି କୁହାଯାଉଛି । ପ୍ରଧାନ ବିଚାରପତି ଜଷ୍ଟିସ ଗୋଗଇଙ୍କ ଅଧ୍ୟକ୍ଷତାରେ ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ସମ୍ବିଧାନ ପୀଠ ଏହି ମାମଲାର ୪୦ ଦିନ ଧରି ଶୁଣାଣି କରିବା ପରେ ଆଜି ରାୟକୁ ସଂରକ୍ଷିତ ରଖିଛନ୍ତି ।
ଶୁଣାଣି ପ୍ରକ୍ରିୟା ଅପରାହ୍ନ ୫ଟାରେ ଶେଷ ହେବାକୁ ଥିବା ବେଳେ ଏହା ୧ ଘଣ୍ଟା ପୂର୍ବରୁ ଅପରାହ୍ନ ୪ଟାରେ ଶେଷ ହୋଇଥିଲା । ଜମି ବିବାଦ ମାମଲାରେ ସଂପୃକ୍ତ ପକ୍ଷମାନେ “ମୋଲ୍ଡିଂ ଅଫ୍ ରିଲିଫ୍ (ସହାୟତା ମାମଲାରେ ପରିବର୍ତ୍ତନ) ପ୍ରସଙ୍ଗରେ ଲିଖିତ ଆବେଦନ କରିବା ପାଇଁ ୩ ଦିନ ସମୟ ଦିଆଯାଇଛି । ଅଯୋଧ୍ୟା ମାମଲା ଶୁଣାଣି ପାଇଁ ଗଠିତ ସମ୍ବିଧାନ ପୀଠରେ ପ୍ରଧାନ ବିଚାରପତିଙ୍କ ସହିତ ଜଷ୍ଟିସ୍ ଏସ୍. ଏ. ବୋବଡେ, ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ଅବଦୁଲ ନଜିର୍ ସାମିଲ ଅଛନ୍ତି । ଆଜି ଶୁଣାଣି ଆରମ୍ଭରେ ପ୍ରଧାନ ବିଚାରପତି ସ୍ପଷ୍ଟ କରିଦେଇଥିଲେ ଯେ
ଶୁଣାଣି ପ୍ରକ୍ରିୟା ଆଜି ହିଁ ଶେଷ ହେବ ଏବଂ କୌଣସି ପକ୍ଷଙ୍କୁ ଏହାପରେ ଅଧିକ ସମୟ ମିଳିବ ନାହିଁ ।
ଆଜି ଶୁଣାଣି ବେଳେ ହିନ୍ଦୁ ମହାସଭା ଓକିଲ ବିକାଶ ସିଂହ ଆଜି ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ କୁନାଲ କିଶୋରଙ୍କ ପୁସ୍ତକ “ଅଯୋଧ୍ୟା ରିଭିଜିଟେଡ’କୁ କୋର୍ଟରେ ଉପସ୍ଥାପନ କରିଥିଲେ । ଏହି ପୁସ୍ତକରେ ରହିଥିବା ନକ୍ସାକୁ ମଧ୍ୟ ସୁପ୍ରିମ୍ କୋର୍ଟ ଏକ ବଳିଷ୍ଠ ପ୍ରମାଣ ଭାବେ ଗ୍ରହଣ କରିବା ଆବଶ୍ୟକ ବୋଲି ବିକାଶ ସିଂହ କହିଥିଲେ । ତେବେ ଏହାକୁ ମୁସଲିମ ପକ୍ଷ ଓକିଲ ରାଜୀବ ଧୱନ ଚିରି ଦେଇଥିଲେ । ଏହାକୁ ନେଇ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।
ସୂଚନାଯୋଗ୍ୟ ଯେ ଦୀର୍ଘ ବର୍ଷ ଧରି ଭାରତୀୟ ରାଜନୀତିକୁ ପ୍ରଭାବିତ କରି ରଖିଥିବା ଏହି ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିବା ଲାଗି ଆହ୍ଲାବାଦ ହାଇକୋର୍ଟ ୩୦ ନଭେମ୍ବର ୨୦୧୦ରେ ରାୟ ଶୁଣାଇଥିଲେ । ବିବାଦୀୟ ୨.୭୭ ଏକର ଜମିକୁ ସୁନ୍ନି “କଫ୍ ବୋର୍ଡ, ନିର୍ମୋହୀ ଆଖଡ଼ା ଏବଂ ରାମ ଲଲା ବିରାଜମାନ ମଧ୍ୟରେ ସମାନ ଭାଗରେ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ସୁପ୍ରିମ୍ କୋର୍ଟରେ ୧୪ଟି ମାମଲା ଦାଏର କରାଯାଥିଲା । ସୁପ୍ରିମ୍ କୋର୍ଟ ୨୦୧୧ରେ ହାଇକୋର୍ଟ ରାୟ ଉପରେ ରୋକ ଲଗାଇ ବିବାଦୀୟ ସ୍ଥଳରେ ଯଥାସ୍ଥିତି ବଜାୟ ରଖିବାକୁ ଆଦେଶ ଦେଇଥିଲେ । ଆଜି ସମସ୍ତ ୧୪ ଆବେଦନ ଉପରେ ଶୁଣାଣି ସଂପୂର୍ଣ୍ଣ ହୋଇଛି ଏବଂ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି ।
୧୫୨୮ରେ ନିର୍ମିତ ଏହି ମସଜିଦକୁ ନେଇ ୧୮୫୩ରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ୧୯୫୦ରୁ ଏହି ମାମଲା କୋର୍ଟର ବିଚାରାଧୀନ ରହିଆସିଛି । ୧୯୯୨ରେ ଏହି ବିବାଦୀୟ ମସଜିଦକୁ କରସେବକମାନେ ଭାଙ୍ଗିଦେଇଥିଲେ ।
କ’ଣ ଥିଲା ହିନ୍ଦୁ ଓ ମୁସଲିମ ପକ୍ଷର ଦଲିଲ
ଅଯୋଧ୍ୟା ଜମି ବିବାଦ ନେଇ ସୁପ୍ରିମ୍ କୋର୍ଟରେ ୪୦ ଦିନ ଧରି ଚାଲିଥିବା ଶୁଣାଣିରେ ଉଭୟ ହିନ୍ଦୁ ଏବଂ ମୁସଲିମ ପକ୍ଷ ଦୃଢ଼ ଦଲିଲ୍ ଉପସ୍ଥାପନ କରିଛନ୍ତି । ହିନ୍ଦୁ ପକ୍ଷ ପୁରାଣଠାରୁ ଆରମ୍ଭ କରି ଏଏସ୍ଆଇ ପର୍ଯ୍ୟନ୍ତ ଯୁକ୍ତି ଉପସ୍ଥାପନ କରିଥିବା ବେଳେ ପ୍ରଭୁ ଶ୍ରୀରାମ ହିଁ ବିବାଦୀୟ ସ୍ଥଳର ମାଲିକ ବୋଲି କହିଛନ୍ତି । ରାମଲଲା ବିରାଜମାନର ଓକିଲ କହିଛନ୍ତି ଯେ ମସ୍ଜିଦ ତଳେ ଯେଉଁ ଢାଞ୍ଚା ଥିଲା ତାହା ଏକ ମନ୍ଦିର ବୋଲି ସମସ୍ତ ପ୍ରମାଣ ମିଳିଛି । ଲୋକେ ଶହ ଶହ ବର୍ଷ ଧରି ସେଠାରେ ପୂଜା କରି ଆସୁଥିଲେ । ପ୍ରତ୍ନତତ୍ତ୍ୱ ବିଭାଗର ଖନନରୁ ଏହା ପ୍ରମାଣିତ ହୋଇଛି । ରାମ ଜନ୍ମଭୂମି ହିନ୍ଦୁଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏଥିରୁ ସେମାନଙ୍କୁ ବଂଚିତ କରାଯାଇ ପାରିବ ନାହିଁ ବୋଲି ହିନ୍ଦୁ ପକ୍ଷର ଓକିଲ ଯୁକ୍ତି ଦର୍ଶାଇଥିଲେ ।
ଅନ୍ୟପକ୍ଷରେ ମୁସଲିମ୍ ପକ୍ଷର ଓକିଲ କହିଥିଲେ ଯେ ପ୍ରଭୁ ଶ୍ରୀରାମଙ୍କ ଏକ ମୂର୍ତ୍ତିକୁ ୧୯୪୯ରେ ବିବାଦୀୟ ସ୍ଥଳରେ ଆଣି ରଖି ଦିଆଯାଇଥିଲା । ଏହାକୁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ସେଠାରେ ରଖାଯାଇଥିଲା ଏବଂଏହା ପୂର୍ବରୁ ସେଠାରେ ମୂର୍ତ୍ତି ପୂଜା ହୋଇଥିବାର କୌଣସି ପ୍ରମାଣ ନାହିଁ । ସେହି ନିର୍ଦ୍ଦିଷ୍ଟ ସ୍ଥାନ ହିଁ ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ବୋଲି କୌଣସି ପ୍ରମାଣ ନାହିଁ । ମସଜିଦ୍ ନିର୍ମାଣ କରିବାକୁ ମନ୍ଦିର ଭଙ୍ଗା ଯାଇଥିବା ନେଇ କୌଣସି ବଳିଷ୍ଠ ପ୍ରମାଣ ନାହିଁ ବୋଲି ମୁସଲିମ୍ ପକ୍ଷ କହିଥିଲେ ।


