ଅଲ ଓଡ଼ିଶା ଓପନ ଚେସ ପ୍ରତିଯୋଗିତା ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା) : ଷ୍ଟେସନ କ୍ଲବ’ ଓ ‘ଜିଲା ଚେସ ଆସୋସିଏସନ’ର ମିଳିତ ସହଯୋଗରେ ଅଲ ଓଡ଼ିଶା ଓପନ ଚେସ ପ୍ରତିଯୋଗିତା ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଷ୍ଟେସନ କ୍ଲବ ପରିସରରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଉଦଘାଟନ କରିଥିଲେ । ଆୟୋଜକଙ୍କୁ ସାଧୁବାଦ ଜଣାଇବା ସହ ବିଭିନ୍ନ ଜିଲାରୁ ଆସିଥିବା ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେବେ ଏହିଭଳି ପ୍ରତିଯୋଗିତାରେ ଅଧିକରୁ ଅଧିକ ଚେସ ଖେଳାଳିଙ୍କ ଅଂଶଗ୍ରହଣ ପାଇଁ ଜିଲାରେ ନିୟମିତ ପ୍ରଶିକ୍ଷଣ ଶିବିର ଆୟୋଜନ ପାଇଁ ଜିଲାପାଳ ଆୟୋଜକ ଅନୁଷ୍ଠାନ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ଷ୍ଟେସନ କ୍ଲବ ସଭାପତି ଗିରିଜା ଶଙ୍କର ଦାସ, ଉପ-ସଭାପତି ଯୋଗେଶ ମହାନ୍ତି, ସମ୍ପାଦକ ରଞ୍ଜିତ ବିହାରୀ ଦାଶ, ସହ-ସମ୍ପାଦକ ବିଷ୍ଣୁ ମୋହନ ଧଳଙ୍କ ସମେତ ଜିଲା ଚେସ ଆସୋସିଏସନର ସମ୍ପାଦକ ମନୋରଞ୍ଜନ ପଣ୍ଡା, କାର୍ଯ୍ୟକାରୀ ସଭାପତି ପ୍ରଦୀପ୍ତ କୁମାର ପଣ୍ଡା, ଜାତୀୟସ୍ତରୀୟ ଚେସ ଖେଳାଳି ଦେବାଶିଷ ଚକ୍ରବର୍ତ୍ତୀ ପ୍ରମୁଖ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଐଶର୍ଯ୍ୟ ସେନାପତି ଉଦଘାଟନୀ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବାଲେଶ୍ୱର ସମେତ କଟକ, ଭୁବନେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ପ୍ରଭୃତି ଜିଲାରୁ ମୋଟ ୬୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ପ୍ରତ୍ୟେକ ଖେଳାଳିଙ୍କୁ ୭ ରାଉଣ୍ଡ ଲେଖାଏଁ ଖେଳିବା ପାଇଁ ସୁଯୋଗ ପ୍ରଦାନ କରାଯିବ । ଉଦଯାପନ ଦିବସରେ ମୋଟ ୨୮ ଜଣ ଖେଳାଳିଙ୍କୁ ଟ୍ରଫି, ମାନପତ୍ର ଓ ଅର୍ଥରାଶି ପୁରସ୍କାର ଦିଆଯିବ ବୋଲି ଆୟୋଜକ କିମିଟି ପକ୍ଷରୁ ସୂଚନା ଦିଆଯାଇଛି ।


