ଅସହାୟ ଆଜି ରାକ୍ଷୀ…
ଅନାମିକା ଦାସ
ମିଲି… ଏ ମିଲି ଆ’ ତତେ ଗୋଟେ ଗପ କହିବି, ମାନସର ଡାକ ଶୁଣି ମିଲି ଆସି ଭାଇ ପାଖେ ବସିଲା, ମାନସ ଆରମ୍ଭ କଲା ଜାଣିଛୁ ମିଲି ଭଗବତ ପୁରାଣ ଆଉ ବିଷ୍ଣୁ ପୁରାଣରେ ଲେଖା ଅଛି ଯେତେବେଳେ ବିଷ୍ଣୁ ଭଗବାନ ରାଜା ବଳିଙ୍କୁ ଯୁଦ୍ଧରେ ପରାସ୍ତ କରିଦେଲେ, ବଳି ରାଜା ଭଗବାନ ବିଷ୍ଣୁଙ୍କୁ ତାଙ୍କ ରାଜ ପ୍ରସାଦରେ ରହିବାକୁ କହିଲେ, ହେଲେ ବିଷ୍ଣୁ ପତ୍ନୀ ଲକ୍ଷ୍ମୀଙ୍କୁ କଥା ପସନ୍ଦ ହେଲା ନାହିଁ, ସେ ବଳିଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ଭାଈ ବୋଲି ସମ୍ବୋଧନ କଲେ, ଆଉ ରାଜା ବଳି ଏତେ ବଡ ମର୍ଯ୍ୟଦା ପାଇ ଖୁବ୍ ଖୁସି ହୋଇ ଲକ୍ଷ୍ମୀଙ୍କୁ କିଛି ବି ମାଗ ଉପହାର ରୂପେ ଦେବି କହିଲେ, ହେଲେ ମା’ ଲକ୍ଷ୍ମୀ ଆଶିର୍ବାଦ ହିଁ ବହୁତ ବୋଲି କହି…. ହଠାତ୍ ମିଲି ପାଟି କଲା ଥାଉ ଭାଇ ଆଉ ଗପ ଶୁଣାନି । ମୁଁ ବୁଝିଗଲି ଏ ବର୍ଷ ବି ରାକ୍ଷୀରେ ତୁ ମତେ ଦୁଇଟା ଲଡୁ ତାହା ପୁଣି କିଏ ମନ୍ଦିରରେ ଦେଇଥିବ ଆଉ ସେଇ ଗୋଟେ ଶସ୍ତା ଡ୍ରେସ୍ କି ଟିକିଲି-ରବର ଧରେଇ ଦବୁ ।ମାନସ ଓ ମିଲି ଦୁଇ ଭାଇ ଭଉଣୀ, ଛୋଟ ଗାଁର ଛୋଟ ମନ୍ଦିରର ପୂଜକ ମାନସ । ମିଲି ଜନ୍ମର ଦୁଇ ବର୍ଷ ଭିତରେ ବାପା-ମା ଆଗ ପଛ ହେଇ ଚାଲିଗଲେ । ସେଇ ଦିନୁ ମାନସର ଦଶମ ପାଠ ପଢ଼ାରେ ଡୋରି ବନ୍ଧା ହେଲା । ସେ ବି ତା ବାପାଙ୍କ ଭଳି ଗାଁ ମନ୍ଦିରର ପୂଜକ ସାଜିଲା । ପୂଜା ପର୍ବରେ ଗାଁ ଲୋକ ଭଲ ଭୋଗ ଆଉ ଦଶ-ପାଂଚ ଟଙ୍କା ଦିଅନ୍ତି । ମାନସ ପାଖ ଗାଁ, କାହା ସତ୍ୟନାରାୟଣ ପୂଜା ତ କାହାର ଦଶାହ କାମ ଲାଗି ସାଇକେଲରେ ବୁଲେ । ଅଧା ଭୋଗ ଖାଇ ଅଧା ତା’ର ଅଲିଅଳି ଭଉଣୀ ଲାଗି ଧରି ଆସେ । ସେ ସିନା ପଢ଼ି ପାରିଲାନି ହେଲେ ମିଲିକୁ ପଢ଼େଇବା ଲାଗି ଯଥା ସମ୍ଭବ ଚେଷ୍ଟା କରୁଥିଲା ।
ସେ ମିଲିର ଭାଇ ହେଇ ତା’ ଲାଗି ବାପା-ମା ସାଜିଥିଲା । ମିଲି ଛୋଟ ବେଳୁ ଅଭାବ ଅସୁବିଧା ଦେଖି ଆସୁଥିଲା, ଆଉ ମାନସ ଦିନ ରାତି ଏକ କରି ତା’ ଭଉଣୀକୁ ଆଗକୁ ବଢ଼େଇବାରେ ଲାଗିଥିଲା । ମିଲି ବି ତା’ ଭାଇକୁ ବହୁତ ଭଲ ପାଉଥିଲା, ଯେତେବେଳେ ଆଗକୁ ବଡ ହେଲା, କଲେଜରେ ବିଭିନ୍ନ ସାଙ୍ଗମାନଙ୍କ ସହ ବସା ଉଠା କଲା ତ ସେ ମାନସର କୁନି ଭଉଣୀଟା ହଜି ହଜି ଗଲା ।
ଗାଁରୁ ଦୂର କଲେଜକୁ ସାଇକେଲ୍ ଆଗରେ ବସେଇ ଛାଡି ଆଉ ଆଣି ଯାଉଥିଲା । କିନ୍ତୁ ଦିନେ ମିଲି ଜିଦ୍ ଧରିଲା ଆଉ ସାଇକେଲ୍ରେ ଯିବିନି, ତାକୁ ସାଙ୍ଗମାନଙ୍କ ଆଗରେ ଲଜ୍ୟା ଅନୁଭବ ହେଉଛି । ପିଲାଟି ଦିନରୁ ମାନସକୁ ରାକ୍ଷୀ ବାନ୍ଧିଲା ବେଳେ ମାନସ ତାକୁ କିଛି ରେଜା ଟଙ୍କା ଦେଇ କହୁଥିଲା ଦିନେ ତୁ ବଡ ଚାକିରୀ କରିବୁ ଆଉ ମୋର ଦୁଃଖ ଯିବ । କେବେ ମିଲି କିଛି କୁହେନି, ହେଲେ ଆଜି ଏମିତି ଭାଇକୁ ଗପ ଅଧାରେ ରଖିବାକୁ କହିଲା?ହଁ ସେ ଏବେ ଆଉ ଛୁଆ ନୁହେଁ ଯେ ରାକ୍ଷୀ ବାନ୍ଧିଲେ ଭାଇ ତାକୁ ରେଜା ଟଙ୍କା ଦେବେ । ତା’ର ବି ସାଙ୍ଗମାନଙ୍କ ଭଳି ମୋବାଇଲ ତ କେତେବେଳେ ସ୍କୁଟି ଦରକାର ଥିଲା ।ଭାଇ ସବୁଥର ତା’ ମୁଣ୍ଡ ଆଉଁଷି କହୁଥିଲା ତୋ ବାହା ଘର ବେଳକୁ ସବୁ ଦେବି । ଏ ପୁଣି ଶ୍ରାବଣ ପୂର୍ଣ୍ଣିମା ପାଖ ହେଇ ଆସୁଥିଲା, ମିଲିର ବ୍ୟବହାରରେ ବି ବେଶ୍ ପରିବର୍ତ୍ତନ, ଭଲ ଡ୍ରେସ୍, ଚପଲ ଦେଖି ମାନସର ପ୍ରଶ୍ନକୁ ମିଲି ସାଙ୍ଗମାନେ ଦେଇଛନ୍ତି କହି ଏଡାଇ ଯାଉଥିଲା ।
ମାନସର ମନ କେବେ ବୁଝେନି, ସେ ଭଉଣୀ କଲେଜ ବାହାରିଲେ ଦୂରରୁ ତା’ ପଛେ ସାଇକେଲ୍ରେ ଯାଏ, ହେଲେ ଏବେ କିଛି ଦିନ ହେବ ଗାଁ ମୁଣ୍ଡରୁ ଗୋଟେ ଟୋକାର ବାଇକ୍ ପଛରେ ବସି ଯାଉଥିଲା । ମାନସ କେବେ ମିଲି ଉପରେ ରାଗିନଥିଲା, ସେ ଦିନ ବି ଖାଲି ବୁଝେଇଥିଲା କି ଏ ଦୁନିଆଟା ଖରାପ, ମଣିଷ ଚିହ୍ନି ହେବନି, ତୁ ପିଲାଠୁ ଦୂରେଇ ରହ, ହେଲେ ଭଉଣୀ ମାନି ନଥିଲା । ଦିନେ କଲେଜ ସମୟ ଗଡିଗଲା ପରେ ବି ମିଲି ଫେରି ନଥିଲା, ଏମିତି ଏବେ ପ୍ରାୟ ସେ କରୁଛି, ଆଉ ମାନସ ବି ଧୀରେ ଧୀରେ ପଚାରିବା ଛାଡି ଦେଇଥିଲା । ହେଲେ ରାତି ଆଠଟା ବାଜିବାରୁ ସେ ବ୍ୟସ୍ତ ହୋଇ ତା’ ଭଉଣୀକୁ ଖୋଜିବା ଲାଗି ବାହାରିଲା । ବହୁ ଖୋଜା ଖୋଜି ପରେ ସେ ବାଇକ୍ ବାଲା ପିଲା ଘର ପାଇ ପହଂଚିଲା ।କଳ୍ପନା ବାହାରେ ସେଠି ତା’ ଭଉଣୀକୁ ପାଇଲା, ସେ ଖୁବ୍ ଗର୍ବରେ କହିଲା ଭାଇନା ମୁଁ ଏବେ ୟାଙ୍କ ସ୍ତ୍ରୀ, ତମେ ମୋତେ ଜୀବନରେ ବାହା ଦେଇ ପାରିଥାନ୍ତ? ବାସ୍ ତା’ ପରେ ଆଉ କିଛି ନଥିଲା କହିବାକୁ । ଗାଁ ଲୋକେ ପୂଜାରୀ ନନାକୁ


