ଅସୁରକ୍ଷିତ ଶ୍ରେଣୀଗୃହରେ ଚାଲିଛି ଶିକ୍ଷାଦାନ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ନୁଆରମ୍ପାସ ପ୍ରାଥମିକ ବିଦ୍ୟାଳୟଟି ନାନା ସମସ୍ୟା ଭିତର ଦେଇ ଗତି କରୁଛି । ଏଠି ଥିବା ଏକ ପୁରାତନ ଶ୍ରେଣୀଗୃହ ବିପଦ ଶଙ୍କୁଳ ହୋଇପଡିଥିବାବେଳେ ଗୋଟିଏ ଶ୍ରେଣୀଗୃହରେ ୫ଟି ଶ୍ରେଣୀର ଶିକ୍ଷାଦାନ ଚାଲିଛି । ଶିକ୍ଷକଙ୍କ କହିବାନୁଯାଇ ବିଦ୍ୟାଳୟରେ ୫ଟି ଶ୍ରେଣୀ ଥିବାବେଳେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଶିକ୍ଷାଲାଭ କରିଥାନ୍ତି । ୫ଟି ଶ୍ରେଣୀରେ ମୋଟ ୭୧ଜଣ ଛାତ୍ରଛାତ୍ରୀ ଥିବାବେଳେ ଆବଶ୍ୟକ ଶ୍ରେଣୀଗୃହ ନାହିଁ । ପୁରୁଣା ଆଜବେଷ୍ଟସ ଘରଟି ସମ୍ପୁର୍ଣ୍ଣ ଭାଙ୍ଗିରୁଜି ଯାଇଥିବାବେଳେ ଖରାପାଗ ଥିଲେ ସେହିଘରେ ୩ଟି ଶ୍ରେଣୀର ପିଲାଙ୍କୁ ବସାଇ ଶିକ୍ଷାଦାନ କରାଯାଉ ଥିବାବେଳେ ବର୍ଷାହେଲେ ବିଦ୍ୟାଳୟରେ ଥିବା ଗୋଟିଏ ଶ୍ରେଣୀଗୃହରେ ୫ଟି ଯାକ ଶ୍ରେଣୀର ପିଲାଙ୍କୁ ବସାଇ ଶିକ୍ଷାଦାନ ଦିଆଯାଉଛି । ଗୋଟିଏ ଶ୍ରେଣୀର ପିଲାଙ୍କୁ ପଢ଼ାଇବା ବେଳେ ଅନ୍ୟ ପିଲାମାନେ ଅନାଇ ବସୁଛନ୍ତି । ୪ଜଣ ଶିକ୍ଷକ ନିଯୁକ୍ତି ଥିବାବେଳେ ସେମାନଙ୍କ ବସିବାପାଇଁ ଆଦୌ ଘର ନାହିଁ । ସେହି ଗୋଟିଏ ଶ୍ରେଣୀଗୃହରେ ଅଫିସ ମଧ୍ୟ ଚାଲୁଛି । ରାଜ୍ୟ ସରକାର ଅନ୍ୟ ବିଦ୍ୟାଳୟ ମାନଙ୍କରେ ଘର ଉପରେ ଘର ନିର୍ମାଣ କରୁଥିବାବେଳେ ଏଠାରେ ଦୀର୍ଘ ୨୦ବର୍ଷ ଭିତରେ ମାତ୍ର ଗୋଟିଏ ଛୋଟିଆ ଛାତପକା ଘର ଦେଇଛନ୍ତି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ସରକାର ତୁରନ୍ତ ଶ୍ରେଣୀଗୃହ ନିର୍ମାଣ କରିବାକୁ ସମିତିସଭ୍ୟ ବାବନ ଚରଣ ସେଠୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁଶାନ୍ତ କୁମାର ନାୟକ, ଅଭୟ କୁମାର ସେନାପତି, ଶେଷଦେବ ସାହୁୁ, ବିଷ୍ଣୁ ପ୍ରସାଦ ଜେନା,ସନାତନ ସେନାପତି, ପବିତ୍ର କୁମାର ଜେନା, ଶଙ୍କର୍ଷଣ ରାଉତ, ନାରାୟଣ ସେନାପତି, ବଳରାମ ଜେନା, ଭରତ ଚନ୍ଦ୍ର ବାରିକ, ବିଚିତ୍ର ଖୁଣ୍ଟିଆ, ରମାକାନ୍ତ ପଣ୍ଡା, ଶ୍ରୀଧର ସାହୁ, ଲକ୍ଷ୍ମଣ ସୁତାର, ବିଶେଶ୍ୱର ଜେନା ପ୍ରମୁଖ ଗ୍ରାମବାସୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଶ୍ରେଣୀଗୃହର ସ୍ଥିତି ସମ୍ପର୍କରେ ଟି.ସି ଙ୍କୁ ରିପୋର୍ଟ ଦେବାକୁ କହିବେ, ତାଙ୍କ ରିପୋର୍ଟ ମିଳିଲାପରେ ଆବଶ୍ୟକ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି ।


