ଆଇପିଏଲ ୨୦୨୨: ନାଇଟ୍ ରାଇଡର୍ସକୁ ଟକ୍କର ଦେବ କ୍ୟାପିଟାଲ୍ସ
ନୂଆଦିଲ୍ଲୀ, (ୱାଇଏନ୍ଏସ୍) :ଆଇପିଏଲ୍ର ୧୯ତମ ଲିଗ୍ ମ୍ୟାଚ୍ରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ନାଇଟ ରାଇଡର୍ସ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି । ୪ଟି ମ୍ୟାଚ୍ ଖେଳି ନାଇଟ୍ ରାଇଡର୍ସ ୩ ବିଜୟ ସହ ମୋଟ୍ ୬ ପଏଣ୍ଟ ହାସଲ କରିଛି । ଦିଲ୍ଲୀ କ୍ୟାପିଟାଲ୍ସ ଚମତ୍କାର ବିଜୟ ସହ ସିଜନ ଆରମ୍ଭ କରିଥିଲେ ହେଁ ପରବର୍ତ୍ତୀ ୨ଟି ମ୍ୟାଚ୍ ପରାଜିତ ହୋଇ ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଛି ।କ୍ୟାପିଟାଲ୍ସ ଦଳ ପାଇଁ ନାଇଟ ରାଇଡର୍ସ ଗଡ଼ ଭେଦ କରିବା ଜରୁରି ହୋଇ ଯାଇଛି । ଫଳରେ ଏହି ମ୍ୟାଚ୍ ତୀବ୍ର ସଂଘର୍ଷପୂର୍ଣ୍ଣ ହେବ । ନାଇଟ୍ ରାଇଡର୍ସର ଅଧିନାୟକ ଶ୍ରେୟାସ ଆୟର ଓ ପେସ୍ ବୋଲର ପ୍ୟାଟ୍ କମିନ୍ସ ନଜରରେ ରହିବା ନିଶ୍ଚିତ । ଆୟର ପୂର୍ବରୁ ଦିଲ୍ଲୀ ପକ୍ଷରୁ ଖେଳୁଥିଲେ ଓ ନେତୃତ୍ୱ ମଧ୍ୟ ନେଇଥିଲେ । ଆହତ ହୋଇ ସେ ସିଜନ ଅଧାରୁ ଓହରି ଯିବାରୁ ତାଙ୍କ ସ୍ଥାନରେ ରିଷଭ ପନ୍ତଙ୍କୁ ଅଧିନାୟକ କରାଯାଇଥିଲା । ଆୟର ଫିଟ୍ ହୋଇ ଫେରିଥିଲେ ହେଁ ପୂର୍ବ ସମ୍ମାନ ଫେରିପାଇ ନଥିଲେ । ଯାହା ତାଙ୍କୁ ନିରାଶ କରିଥିଲା । କମିନ୍ସ ଗତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମୁକାବିଲାରେ ଅବିଶ୍ୱସନୀୟ ବ୍ୟାଟିଂ କରିଥିଲେ । ମାତ୍ର ୧୪ଟି ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରି କମିନ୍ସ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ବିଜୟ ଛଡ଼ାଇ ଆଣିଥିଲେ । ତାଙ୍କର ଏହି ଇନିଂସକୁ ଦର୍ଶକ ଭୁଲିବା କଷ୍ଟକର ହେବ । କ୍ୟାପିଟାଲ୍ସ ଦଳ ବେଶ୍ ସନ୍ତୁଳିତ ମନେ ହେଉଥିଲେ ହେଁ ସମନ୍ୱୟର ଅଭାବ ଯୋଗୁ ପରାଜିତ ହେଉଛି । ଦଳରେ ତାରକା ଖେଳାଳିଙ୍କ ଅଭାବ ନାହିଁ । ହେଲେ ଡେଭିଡ୍ ୱାର୍ଣ୍ଣର ଓ ଆନରିଚ ନର୍ଜ ଏପର୍ଯ୍ୟନ୍ତ ଲୟକୁ ଫେରି ନାହାନ୍ତି । ଉଭୟଙ୍କ ପ୍ରଦର୍ଶନ ବଳରେ କ୍ୟାପିଟାଲ୍ସ ବିଜୟ ପାଇଁ ପ୍ରୟାସ କରିବ ।


