ଆଖଣ୍ଡଳମଣି ମନ୍ଦିରରେ ଉଠିଲା ମହାଦୀପ
ଆରଡି, (ଓ୍ବାଇଏନ୍ଏସ୍):ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡି ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶନିବାର ରାତି ସାଢେ ୯ ଟାରେ ମହାଦୀପ ଉଠିଥିଲା । କୋଭିଡ କଟକଣା ଥିବାରୁ ପୀଠରେ ଭକ୍ତଙ୍କ ସମାଗମ ହୋଇ ନଥିଲା । ଭୋର ୫ ଟାରେ ମଙ୍ଗଳ ଆଳତି ପରେ ବାବାଙ୍କ ପାଖରେ ଦୀପାବଳି ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କଲାପରେ ମହାଦୀପ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥିଲା । ରାତି ସାଢେ ୮ଟାରେ ମନ୍ଦିର ଗର୍ଭଗୃହକୁ ମହାଦୀପ ନିଆଯାଇଥିଲା । ସେଠାରେ ପୂଜକ ମାନେ ଏହାକୁ ଶୁଦ୍ଧ କରିବା ସହ ବାବା ଆଖଣ୍ଡଳମଣିଙ୍କୁ ସମର୍ପଣ କରିଥିଲେ । ରାତି ପ୍ରାୟ ୯ଟା ବେଳେ ସେଠାରୁ ମହାଦୀପକୁ ସେବାୟତମାନେ ବେଢାରେ ୭ ଥର ବୁଲାଇଥିଲେ । ଶେଷରେ ସେବାୟତ ମାନଙ୍କ ହରିବୋଲ, ହୁଳହୁଳି, ଘଂଟଧ୍ୱନିର ତାଳେତାଳେ ମନ୍ଦିର ଚୂଡାକୁ ମହାଦୀପ ଉଠିଥିଲା । ଦୀପାବଳୀରେ ଶିବ ମନ୍ଦିରରେ ମହାଦୀପ ଉଠିବା ପ୍ରଥା କେବଳ ଆରଡିରେ ହିଁ ରହିଛି । ଏହାକୁ ଦର୍ଶନ କଲେ ବ୍ୟାଧିରୁ ମୁକ୍ତି ମିଳିଥାଏ ବୋଲି ଆଖଣ୍ଡଳମଣି ମହାପୁରାଣରେ ଉଲ୍ଲେଖ ଅଛି । ଚଳିତ ବର୍ଷ ମହାଦୀପ ଉଠିବା ଯୋଗୁଁ ବିଶ୍ୱରେ କଲ୍ୟାଣ ସାଧିତ ହେବା ସଙ୍ଗେ ସଙ୍ଗେ କରୋନା ମହାମାରୀ ଦୂର ହେବ ବୋଲି ସେବାୟତ ମାନେ ମତ ପ୍ରକାଶ କରିଛନ୍ତି । ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକଙ୍କ ସମେତ ଫାଣ୍ଡର ଅନ୍ୟ ପୋଲିସ କର୍ମଚାରୀ ମହାଦୀପ ଉଠିଲାବେଳେ ଉପସ୍ଥିତ ଥିଲେ ।


