ଖଣି ବିଭାଗ ଓ ପୋଲିସର ମିଳିତ ଚଢାଉରେ ଜବତ ହେଲା ଲକ୍ଷାଧିକ ଟଙ୍କାର ଲୁହା ପଥର

ଯୋଡା, (ସମୀର କୁମାର ଦାସ) : ଖଣି ଅଂଚଳରେ ବୃଦ୍ଧି ପାଉଥିବା ଖଣିଜ ଚୋରା କାରବାରକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଚୋରା କାରବାରକୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଛନ୍ତି । ଦୈନିକ ଟ୍ରିପ ଟ୍ରିପ ଲୁହାପଥର ଓ ମୂଲ୍ୟବାନ ମାଙ୍ଗାନିଜ୍ ପଥର ଅନାୟାସରେ ବଡ ବଡ ଭାରୀ ଯାନରେ ବୋଝେଇ କରି ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡକୁ ଯୋଡା ଖଣି ଅଂଚଳରୁ ଚୋରା ପରିବହନ ହେଉଛି । ଏହା ଜାଣିବା ପରେ ଖଣି ବିଭାଗ ଓ ଯୋଡା ପୋଲିସର ତତ୍ପରତା ପ୍ରକାଶ ପାଇଛି । ଗତ ଶୁକ୍ରବାର ପୂର୍ବାହ୍ନରେ ଯୋଡା ସହର ଉପକଣ୍ଠ କଳାପାହାଡ ଛକ ନିକଟରେ ଥିବା ରାଇକା ଜଙ୍ଗଲ ରାସ୍ତା ନିକଟରେ ଚୋରାରେ ଉତୋଳନ କରାଯାଇଥିବା ବେଆଇନ ଖଣିଜ ଉପରେ ଖଣି ବିଭାଗ ଓ ପୋଲିସ ମିଳିତ ଚଢାଉ କରିଥିଲେ । ପ୍ରାୟ ଶହେ ତିିରିଶ ମେଟ୍ରିକ ଟନ୍ ଲୁହାପଥର କୁ ଜବତ କରାଯାଇ ଖଣି ବିଭାଗ ନିଜ ଅକ୍ତିଆରକୁ ନେଇଥିଲା । ଏହି ଚଢାଉରେ ଯୋଡା ଖଣି ବିଭାଗର ମାଇନିଂ ଅଫିସର ଦିପକ ଦୁରୁଆ, ଆସିଷ୍ଟାନ୍‌ଟ ମାଇନିଂ ଅଫିସର ଏସ୍‌.କେ ବିଶୋଇ, ମାଇନିଂ ଇନିସ୍ପେକ୍ଟର ଅନ୍ତର୍ଜ୍ୟାମୀ ସାହୁ, ନେତ୍ରା ନନ୍ଦ ନାଏକ ଓ ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁଙ୍କ ସମେତ ପୋଲିସ ଫୋର୍ସ ରହିଥିଲେ । ଏହି ଚୋରା ଲୁହାପଥରର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଯୋଡା ଯୁଗ୍ମ ନିର୍ଦ୍ଦେଶକ ସଲିଲ କୁମାର ବେହେରା କହିଛନ୍ତି । ତେବେ ସୂଚନାଯୋଗ୍ୟ ଯେ, ବାମେବାରୀ, ଜୁରୁଡି, ବିଛାକୁଣ୍ଡି, କୁନ୍ଦୁରପାଣି, କାଟାସାହି, ରୋଇଡା, ଇଂଗାଣି ଝରଣ ପ୍ରଭୃତି ଅଂଚଳରୁ ଦୈନିକ ଟ୍ରିପ୍ ଟ୍ରିପ୍ ଚୋରା ଲୁହାପଥର ଆନ୍ତରାଜ୍ୟ ଚୋରମାନେ ଚୋରା ଚାଲାଣ କରୁଛନ୍ତି । ଯାହାକୁ ଜିଲ୍ଲା ଟାସ୍କଫୋର୍ସ, ଷ୍ଟେଟ ଲେବଲ ଏନଫର୍ସ୍‌ମେନ୍‌ଟ ସ୍କ୍ୱାର୍ଡ ଥାଇ ମଧ୍ୟ ରୋକାଯାଇ ପାରୁନାହିଁ । ଫଳରେ ଶହ ଶହ କୋଟି ଟଙ୍କାର ରାଜସ୍ୱ ହାନି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ