ଆଗରପଡା ଅଞ୍ଚଳକୁ ଏନ୍.ଏ.ସିରେ ପରିଣତ କରିବା ନେଇ ଦାବୀ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଆଗରପଡା ଅଞ୍ଚଳକୁ ଏନ୍.ଏ.ସିରେ ପରିଣତ କରିବା ନେଇ ୫ ପଞ୍ଚାୟତର ଅଧିବାସୀ ମାନେ ବିଧାୟକ ପ୍ରଫୁଲ୍ଲ କୁମାର ସାମଲଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଆଗରପଡା ଏକ ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ଏହା କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଜିଲାର ସୀମାନ୍ତବର୍ତ୍ତୀ ସ୍ଥାନ ଅଟେ । ଆଗରପଡା ମୁଖ୍ୟ ବଜାର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାରୁ ସାଧାରଣ ଲୋକ ମାନେ ଏହି ବଜାର ଉପରେ ନିର୍ଭର କରିଥାନ୍ତି । ଏଠାରେ ଡାକ୍ତରଖାନା, ଥାନା, ବ୍ୟାଙ୍କ, ଆର୍.ଆଇ.ଅଫିସ, ପଶୁ ଡାକ୍ତରଖାନା, ଜିଲା ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନ, ଆଗରପଡା ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ସରକାରୀ ହାଇସ୍କୁଲ, ବାଳିକା ହାଇସ୍କୁଲ, ଜଳସେଚନ ବିଭାଗ ଅଫିସ, ଆର୍.ଡି.ସେକ୍ସନ ଅଫିସ, ଦମକଳ କେନ୍ଦ୍ର, ଫରେଷ୍ଟ ଅଫିସ, ବିଦ୍ୟୁତ୍ ଷ୍ଟକ୍ଚର ଆଦି ରହିଛି । ଆଗରପଡା ମୁଖ୍ୟ ବଜାର ସଂଲଗ୍ନ ପୁରୁଷଣ୍ଢ, ବିଟିପୁର, ରାଉତରାପୁର, ଟିକିରା, ପାଟକନା, ହଳଦିପହଣୀ, କୁଆଁଶମଢିଆ, ବରହମପୁର, କାଣ୍ଡବା ଆଦି ରାଜସ୍ୱ ଗ୍ରାମରେ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ୱ ଲୋକ ବସବାସ କରନ୍ତି । ଏସମସ୍ତ ଗ୍ରାମରେ ପାନୀୟଜଳ ଓ ବିଦ୍ୟୁତ୍ ଯୋଗାଣର ସମସ୍ତ ସୁବିଧା ରହିଛି । ବିଶେଷକରି ଏହା ଏକ ଉପାନ୍ତ ଅଞ୍ଚଳ ହୋଇଥିବାରୁ ବନ୍ତ ସଦର ମହକୁମାରେ ଅବସ୍ଥିତ ବ୍ଲକ, ତହସିଲ, ସବ୍ରେଜିଷ୍ଟେସନ ଅଫିସକୁ ଯିବାରେ ସାଧାରଣଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଗରପଡା ଏହି ଭଳି ଏକ ଅଞ୍ଚଳ ଯାହାକି ଭଦ୍ରକ ଜିଲା ସଦର ମହକୁମା ୨୨ କିମି, ସୋର ସହରକୁ ୩୫ କିମି, ଆନନ୍ଦପୁର ସହରକୁ ୩୫ କିମି ସହ ଯୋଡି ହେବା ପାଇଁ ମୁଖ୍ୟ ରାସ୍ତା ରହିଛି । ଏଥିସହ ଏଠାରେ ସମସ୍ତ ଅନୁକୂଳ ପରିବେଶ ସହ ସମସ୍ତ ଅଫିସ ଖୋଲିବା ପାଇଁ ବିସ୍ତୀର୍ଣ୍ଣ ସରକାରୀ ଜମି ରହିଛି । ସରକାରଙ୍କ ତରଫରୁ ଜନସାଧାରଣଙ୍କୁ ସମସ୍ତ ସୁବିଧା ସୁଯୋଗର ବିକେନ୍ଦ୍ରୀକରଣ କରାଇ ଆଗରପଡାକୁ ଏନ୍.ଏ.ସିର ମାନ୍ୟତା ପ୍ରଦାନ କରାଇଲେ ଅଞ୍ଚଳବାସୀ ଉପକୃତ ହେବା ସହ ମହାନ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଡ.ହରେକୃଷ୍ଣ ମହତାବଙ୍କ ଜନ୍ମସ୍ଥାନକୁ ଓଡିଶା ଇତିହାସ ତଥା ଭଦ୍ରକ ଜିଲାରେ ଏକ ସ୍ୱତନ୍ତ୍ର ମାନ୍ୟତା ମିଳି ପାରିବ ବୋଲି ଅଞ୍ଚଳବାସୀ ଆଶା କରିଛନ୍ତି । ଏନେଇ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ୧୪ନଂ. ଜୋନ୍ ଜିଲା ପରିଷଦ ସଭ୍ୟା ରୁନିତା ଦାସ, ପୂର୍ବତନ ଜିଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶଙ୍କ ସମେତ ପୁରୁଷଣ୍ଢ, ବିଟିପୁର, ମହାନ୍ତିପଡା, ଚାରିଗାଁ, ବଡବର୍ଚ୍ଚିକୟାଁ, ବଡମହିଷଗୋଠ ଆଦି ପଞ୍ଚାୟତର ଜନପ୍ରତିନିଧିଙ୍କ ସମେତ ବହୁ ଜନସାଧାରଣ ଦାବୀ କରିଛନ୍ତି । ଏଥିସହ ଆଗରପଡା ଅଞ୍ଚଳକୁ ଏନ୍.ଏ.ସି ଘୋଷଣା କରିବା ସଂପର୍କରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି ।


