ଆଜି ୱାର୍ଲ୍ଡ ମାଉଣ୍ଟେନ୍ ଡ଼େ’ ପର୍ବତର ସୁରକ୍ଷା ପାଇଁ ସଂକଳ୍ପ ନେଲେ ବନବାସୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରତିବର୍ଷ ଡ଼ିସେମ୍ବର ମାସ ୧୧ ତାରିଖରେ ପାଳିତ ହୋଇଥାଏ ୱାର୍ଲ୍ଡ ମାଉଣ୍ଟେନ୍ ଡ଼େ’ । ପର୍ବତର ଆବଶ୍ୟକତା ଓ ଏହାର ସଂରକ୍ଷଣ ପାଇଁ ଜନସଚେତନତା ସୃଷ୍ଟି କରିବା ହିଁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଉପକଣ୍ଠରେ ଥିବା ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟଘେର ମଧ୍ୟରେ ରହିଥିବା ଆଦିବାସୀପଲ୍ଲୀ କନ୍ଦଳେଇର ବନବାସୀଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କନ୍ଦଳେଇ ପର୍ବତ ଉପରେ ଅନୁଷ୍ଠିତ ହୋଇଯାଇଛି ।
‘କୃଷିର ବିକାଶ, ପାନୀୟଜଳ, ପାହାଡ଼ ଆମ ମୁଖ୍ୟ ସମ୍ବଳ’ । ‘ପ୍ରକୃତି ସୁନ୍ଦର ପାହାଡ଼ ଥିଲେ, ପାହାଡ଼ ସୁନ୍ଦର ଝରଣା ବହିଲେ’ । ‘ପୁରାଣ ବର୍ଣ୍ଣିତ ଗନ୍ଧମାର୍ଦ୍ଧନ, ରକ୍ଷା କରିଥିଲା ଲକ୍ଷ୍ମଣଙ୍କ ଜୀବନ’ । ଇତ୍ୟାଦି ମନଛୁଆଁ ଓଡ଼ିଆ ଭାଷାର ସ୍ଲୋଗାନ୍ କହି ବନବାସୀମାନେ ପଲ୍ଲୀରେ ସଚେତନତା ସୃଷ୍ଟି କରିଥିଲେ । ପାହାଡ଼, ପର୍ବତ, ଜଙ୍ଗଲ, ଝରଣା ହେଉଛି ଆମ ଜୀବନ । କୌଣସି ପରିସ୍ଥିତିରେ ଏହାକୁ ନଷ୍ଟ କରିବାକୁ ଦେବୁନାହିଁ ବୋଲି ବନବାସୀମାନେ ପ୍ରକାଶ କରିଥିଲେ । ପରିବେଶବିତ୍ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବନବାସୀମାନେ କନ୍ଦଳେଇ ପାହାଡ଼ର ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ । କନ୍ଦଳେଇ ପର୍ବତରେ ରହିଛି ପ୍ରକୃତିର ମନଲୋଭା ଦୃଶ୍ୟ ଓ ଆକର୍ଷଣୀୟ ସବୁଜିମା ପରିବେଶ । ତତ୍‌ସହିତ ବିଭିନ୍ନ ପ୍ରଜାତିର ଔଷଧୀୟ ବୃକ୍ଷ ଭରିରହିଛି । ଏସବୁର ସୁରକ୍ଷା ନିତାନ୍ତ ଜରୁରୀ ବୋଲି ଯୋଗ ଦେଇଥିବା ସାମାଜିକ କର୍ମୀମାନେ ମତ ପ୍ରକାଶ କରିଥିଲେ । ଜୈବ ବିବିଧତା, ଜଳବାୟୁ ପରିବର୍ତ୍ତନ, ଜଳଚକ୍ର, ଭୂମି ରୂପର ପରିବର୍ତ୍ତନ ଏବଂ ମାନବ ଜୀବନକୁ ପରିପୃଷ୍ଟ କରିବାରେ ପର୍ବତ କିପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ ସେ ସମ୍ପର୍କରେ ଶ୍ରୀ ସାହୁ ବନବାସୀମାନଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ତ୍ରିଲୋଚନ ବେଉରା, ପ୍ରିୟବ୍ରତ ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ