ଆଦିବାସୀ ପଲ୍ଲୀରେ ଧୁମ୍‌ଧାମ୍‌ରେ ପାଳିତ ହେଲା ପହିଲି ରଜ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବନସ୍ତେ ଡାକିଲା ଗଜ….. ବରଷକ ଥରେ ଆସିଛି ରଜ…. । ଓଡ଼ିଆ ଜାତିର ମନମତାଣିଆ ଦୋଳି ଗୀତ ଗାଇ ରଜ ଦୋଳିରେ ଝୁମି ପହିଲି ରଜକୁ ଆନନ୍ଦ, ଉଲ୍ଲାସର ସହ ବନବାସୀମାନେ ସ୍ୱାଗତ କରିଛନ୍ତି । ଉତ୍କଳୀୟ ସାଂସ୍କୃତିକ ଜନଜୀବନର ଏହି ଚିତ୍ତାକର୍ଷକ ରଜ ପର୍ବ ବନବାସୀମାନଙ୍କ ମଧ୍ୟରେ ପାରସ୍ପରିକ ଐକ୍ୟ ଓ ସୌହାର୍ଦ୍ଦକୁ ମଜବୁତ୍ କରିବା ପାଇଁ ସାମାଜିକ ଅନୁଷ୍ଠାନ ‘ସମାଜର ଦର୍ପଣ ହେଲ୍‌ପ ଗ୍ରୁପ୍‌’ ସହଯୋଗରେ ଆଦିବାସୀ ପଲ୍ଲୀ କନ୍ଦଳେଇ ଠାରେ ରଜ ଉତ୍ସବ ପାଳିତ ହୋଇଯାଇଛି । ଦାରିଦ୍ର‌୍ୟ ସୀମାରେଖା ତଳେ ରହିଥିବା ପଲ୍ଲୀର କୁନି କୁନି ପିଲାଙ୍କ ମଧ୍ୟରେ ଖୁସି ବାଣ୍ଟିବା ପାଇଁ ଅନୁଷ୍ଠାନ ପକ୍ଷରୁ ପଲ୍ଲୀର ପ୍ରତ୍ୟେକ ପିଲାଙ୍କ ଲାଗି ନୂଆ ପୋଷାକ, ଅଳତା, ସିଙ୍ଗାର, ଟିକିଲି ଇତ୍ୟାଦି ସାମଗ୍ରୀ ପ୍ରଦାନ କରାଯାଇଥିଲା । କୁମାରୀମାନେ ଭୋଜି ଭାତ ଖାଇ ମଉଜ ମସ୍ତୀରେ ପାଳନ କରିଛନ୍ତି ଏହି ତିନିଦିନିଆ ରଜ ପର୍ବକୁ । ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱର ଠାରୁ ୨୫ କି.ମି. ଦୂରରେ ଥିବା ଛତାବର ପଞ୍ଚାୟତ ଅଧିନସ୍ଥ ଚନ୍ଦକା-ଡମପଡା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ଏହି ପଲ୍ଲୀଟି ଅବସ୍ଥିତ । ଏମାନେ ବନବାସୀ, ବନସ୍ତରେ ରହନ୍ତି । ଆଜକୁ ୬ବର୍ଷ ହେଲା ଉକ୍ତ ଅନୁଷ୍ଠାନ ପକ୍ଷରୁ ଏହି ରଜ ଉତ୍ସବ ଆଦିବାସୀ ପଲ୍ଲୀରେ ପାଳିତ ହୋଇ ଆସୁଅଛି । ଆୟୋଜିତ ଏହି ଉତ୍ସବକୁ ଅନୁଷ୍ଠାନର ସଭାପତି ପ୍ରଶାନ୍ତ ସେନାପତି, ସମ୍ପାଦକ ଚନ୍ଦନ କୁମାର ସ୍ୱାଇଁ, ସଦସ୍ୟ ଜ୍ୟୋତିରଞ୍ଜନ ରାୟ, ବିଶ୍ୱଜିତ୍ ରାୟ ମହାପାତ୍ର, ବିଜୟ ଖୁଣ୍ଟିଆ, ଚିଣ୍ଟୁ ବେହେରା, ଆଲୋକ ସାହୁ, ସାମାଜିକ କର୍ମୀ ସୁଶାନ୍ତ ସାହୁ, ତ୍ରିଲୋଚନ ବେଉରା, ସନ୍ତୋଷୀ ଜୈନ, ପ୍ରଦିପ୍ତ ରଞ୍ଜନ ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଉତ୍ସବରେ ସ୍ଥାନୀୟ ସରପଞ୍ଚ ବିଷ୍ଣୁ ପ୍ରସାଦ ଡେଙ୍ଗ ଅତିଥି ରୂପେ ଯୋଗଦେଇ ସାମାଜିକ ଅନୁଷ୍ଠାନ ସଦସ୍ୟମାନଙ୍କର ଉଦ୍ୟମ ଓ ପ୍ରୟାସକୁ ପ୍ରଶଂସା କରି ସାଧୁବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ