ଆଧାର କେନ୍ଦ୍ରରେ ବେଆଇନ ଅର୍ଥ ଆଦାୟ, ହନ୍ତସନ୍ତ ଜନତା
ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ସହରର ବସ୍ଷ୍ଟାଣ୍ଡ ତଥା ଆଇସିଆଇସିଆଇ ବ୍ୟାଙ୍କ ନିକଟରେ ଥିବା ଆଧାର ସେନ୍ଟରରେ ଆଧାର ସଂଶୋଧନ ଆଳରେ ସାଧାରଣ ଲୋକଙ୍କ ଠାରୁ ଅଧିକ ଟଙ୍କା ଜୋର୍ ଜବରଦସ୍ତ ନିଆ ଯାଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ମିଳିବାପରେ ଉକ୍ତ ଆଧାର ସେନ୍ଟରକୁ ଗଲାପରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଠାରୁ ସମସ୍ତ ତଥ୍ୟ ମିଳିଥିଲା । ଅଭିଯୋଗକାରୀ ସଞ୍ଜୟ ମୁଣ୍ଡା, ସୁମିତ ଗୁପ୍ତା ତାଙ୍କ ଅଭିଯୋଗରେ କହିଥିଲେ ଯେ, ଆଧାର କାର୍ଡରେ ନାମ ସଂଶୋଧନ, ଜନ୍ମ ତାରିଖ, ମୋବାଇଲ ନମ୍ବର ଓ ଇ-ମେଲ୍ ଆଇଡି ସଂଯୋଗ କରିବା ପାଇଁ ଆଧାର କେନ୍ଦ୍ରରେ ବିଭିନ୍ନ ପ୍ରକାରର କାଗଜପତ୍ର ଓ ତଥ୍ୟ ମାଗି ହଇରାଣ ହରକତ କରାଯାଉଛି । ଏହି କାର୍ଯ୍ୟ ପାଇଁ ନିୟମ ଠାରୁ ଅଧିକ ଟଙ୍କା ମଧ୍ୟ ନେଇଛନ୍ତି । କେବଳ ମୋବାଇଲ ନମ୍ବର ଓ ଇ-ମେଲ ଆଇଡି ସଂଯୋଗ କରିବା ପାଇଁ ସେମାନଙ୍କ ଠାରୁ ୨୦୦ ରୁ ୨୫୦ ଟଙ୍କା ନିଆଯାଉଛି, ନ ଦେଲେ ଆଧାର କାର୍ଯ୍ୟ କିମ୍ବା ଭୋଟର କାର୍ଡ ଅନ୍ଲାଇନ ଆବେଦନ କରାଯିବ ନାହିଁ ବୋଲି ନିରୀହ ସାଧାରଣ ଲୋକଙ୍କୁ ହଇରାଣ କରାଯାଇଥାଏ । ଦୂର ଦୁରାନ୍ତରୁ ଆସିଥିବା ଲୋକମାନଙ୍କୁ ବିଭିନ୍ନ ପ୍ରକାର କାଗଜପତ୍ର ଆବଶ୍ୟକ କରୁଥିବାରୁ ବାଧ୍ୟହୋଇ ଲୋକମାନେ ଉକ୍ତ ଦାବି ଅର୍ଥକୁ ପଇଠ କରିଥାନ୍ତି । ଏହା ସହିତ ଅନ୍ଲାଇନରେ ହେଉଥିବା ବିଭିନ୍ନ କାର୍ଯ୍ୟ ପାଇଁ ଲୋକଙ୍କ ଠାରୁ ନିୟମ ଠାରୁ ଅଧିକ ଟଙ୍କା ନିଆଯାଉଥିବା ଅଭିଯୋଗକାରୀ ମାନେ କହିଛନ୍ତି । ଆଧାର ସେନ୍ଟରର ଜଣେ ମହିଳା କର୍ମଚାରୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଥିଲେ ଯେ, ଆଧାର ସେନ୍ଟରର ଘରଭଡା, ଜାବତୀୟ ଖର୍ଚ୍ଚ ସହିତ ସରକାରୀ ବାବୁ ମାନଙ୍କୁ ଟଙ୍କା ଦିଆଯାଉଥିବାରୁ ଆମେ ଅଧିକ ଟଙ୍କା ଆଦାୟ କରୁଛୁ । ଏ ନେଇ ଯୋଡା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ଆଧାର ସେନ୍ଟରକୁ ଦୁଇଜଣ ସରକାରୀ କର୍ମଚାରୀଙ୍କୁ ପଠାଇ ଯାନ୍ଚ କରାଇଥିଲେ । ଏ ବାବଦରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ପଚାରିବାରୁ ସେ ଯୋଡାର କେଉଁ ଆଧାର ସେନ୍ଟରରେ ବେଆଇନ ଟଙ୍କା ଆଦାୟ ହେଉଛି ବୋଲି ପଚାରିବା ସହିତ ଏଦିଗରେ ଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।


