ଆନ୍ତଃଜିଲ୍ଲା ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ;ଜାରକାକୁ ହରାଇ ଭଣ୍ଡାରିପୋଖରୀ ସେମିରେ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବୟାଁବନାପୁର ପଞ୍ଚାୟତ ଚନ୍ଦ୍ରଭାନୂପୁର ଖେଳ ପଡିଆ ଠାରେ ଆନ୍ତଃଜିଲ୍ଲା ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ କ୍ୱାଟରଫାଇନାଲ ମ୍ୟାଚ ଜେସିସି ଜାରକା ସହିତ ଭଣ୍ଡାରିପୋଖରୀ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜାରକାକୁ ହରାଇ ଭଣ୍ଡାରିପୋଖରୀ ସେମିରେ ପ୍ରବେଶ କରିଛି । ଜେସିସି ଜାରକା ଟସଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୨୧୬ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ସ୍ମୃତିରଞ୍ଜନ ସାହୁ ୩୫ଟି ବଲରୁ ୮୫ରନ ସଂଗ୍ରହ କରିଥିଲେ । ଅପରପକ୍ଷର ବୋଲର ସିଏସ କାନୁନଗୋ ୪ଓଭର ବୋଲିଂ କରି ୧୨ରନ ବ୍ୟୟ କରି ୩ଟି ଉଇକେଟ ପାଇଥିଲେ । ଜବାବରେ ଭଣ୍ଡାରିପୋଖରୀ କ୍ରିକେଟ ଟିମ ୧୪ଓଭରରେ ୨୧୭ରନ କରି ବିଜୟୀ ହୋଇଥିଲା । ଦଳପକ୍ଷରୁ ଅଭୟ ମଲ୍ଲିକ ୨୬ଟିବଲରୁ ୭୧ରନ ସଂଗ୍ରହ କରିଥିଲେ । ବରିଷ୍ଠ ଶିକ୍ଷାବିତ ବିପିନି ବିହାରୀ ସାହୁ ଅତିଥି ଭାବେ ଯୋଗଦେଇ ମ୍ୟାନ ଅଫଦି ମ୍ୟାଚ ଭାବେ ସିଏସ କାନୁନଗୋଙ୍କୁ ପୁରସ୍କୃତ କରିଥିଲେ । ଶରତ ଚନ୍ଦ୍ର ଜେନା ଓ ମନୋଜ ଜେନା ଅମ୍ପେୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ସୋଭନ ଓ ସୁବ୍ରତ ଏବଂ ଭାଷ୍ୟକାର ଭାବେ ପ୍ରଦୀପ ଜେନା ଓ ମନୋରଞ୍ଜନ ଜେନା ଧାରାବିବରଣୀ ପ୍ରଦାନ କରିଥିଲେ । ଗୁରୁବାର ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ ଉତ୍କଳିକା ବାସୁଦେବପୁର ଓ ବଡଚଣା ଯାଜପୁର ମଧ୍ୟରେ ଅନୁଷ୍ଠିତ ହେବ ।


