ଆନ୍ଦୋଳନ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁନଃ ମାପଚୁପ୍ ଆରମ୍ଭ
ବନ୍ତ,(ଯୁଗାବ୍ଦନ୍ୟୁଜ) : ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥର ବନ୍ତ ବଜାର ଅଞ୍ଚଳକୁ ୪ଟିକିଆ ରାସ୍ତାରେ ପରିଣତ କରିବା ସହ ଆଲୋକିକରଣ ଓ ଡ୍ରେନେଜ୍ ବ୍ୟବସ୍ଥା କରାଯିବା ନେଇ ଗତ କିଛି ମାସ ତଳେ ରାଜ୍ୟ ମୁଖ୍ୟ ଯନ୍ତ୍ରୀ ବନ୍ତ ଗ୍ରସ୍ତରେ ଆସିଥିଲେ । ଉକ୍ତ କାର୍ଯ୍ୟ ପୂର୍ବରୁ ରାସ୍ତାର ଉଭୟ ପାଶ୍ୱର୍କୁ ମାପଚୁପ୍ କରିବା ସହ ଉଚ୍ଛେଦ କରାଯିବା ନେଇ ଆଲୋଚନା ହୋଇଥିଲା । ଗତ କିଛି ଦିନ ତଳେ ପ୍ରଶାସନ ପକ୍ଷରୁ ବଜାର ଅଞ୍ଚଳରେ ଥିବା ବ୍ୟବସାୟୀ ଓ ଘର ମାଲିକ ମାନଙ୍କୁ ବ୍ୟକ୍ତିଗତ ନୋଟିସ ନକରି ମନୋମୁଖୀ ଭାବେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା । ଯାହାକୁ ନେଇ ବ୍ୟବସାୟୀ ମାନେ ଅସନ୍ତୋଷ ପ୍ରକାଶ କରିବା ସହ ଆଇନଜୀବିଙ୍କ ମାଧ୍ୟମରେ ନିଜର ଅଭିଯୋଗ ଶୁଣାଇବା ପାଇଁ ତହସିଲଦାରଙ୍କ ନିକଟକୁ ଯାଇଥିଲେ । ମାତ୍ର ବିସ୍ତାପିତଙ୍କ ଅଭିଯୋଗ ଶୁଣାଯିବା ପରିବର୍ତ୍ତେ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିଲା । ଯାହାକୁ ନେଇ ବ୍ୟବସାୟୀ, ଆଇନଜୀବି ଓ ସ୍ଥାନୀୟ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇଥିଲେ । ଦୃଢ ବିରୋଧ ପରେ ଜିଲା ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱ ଦେଇ ପୁନଃ ମାପଚୁପ୍ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଫଳସ୍ୱରୁପ ଆଜି ଜିଲା ଅଧିକାରୀ ଓ କର୍ମଚାରୀ ମାନେ ବଜାର ଅଞ୍ଚଳ ରାସ୍ତାକୁ ମାପଚୁପ୍ କରିଛନ୍ତି । ମୁଖ୍ୟ ରାସ୍ତାର ମଧ୍ୟଭାଗରୁ ଉଭୟ ପାଶ୍ୱର୍କୁ ୫ମିଟର ଲେଖାଏଁ ବଢା ଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି । ଆଜିର ମାପଚୁପ୍ କାର୍ଯ୍ୟ ସମୟରେ ଲାସାର ଇଂଜିନୟର ପ୍ରଭାତ କୁମାର ସାହୁ, ଭୂ-ଅର୍ଜ୍ଜନ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳ, ରାଜସ୍ୱ ନୀରିକ୍ଷକ ଦୁର୍ଯ୍ୟଧନ ଦାସ, ଏସ.ଏମ୍.ଓ ପ୍ରିୟଦର୍ଶୀ ଜେନା, କାଉନସିଲର କମଳାକାନ୍ତ ଜେନାଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।


