ଆରକ୍ଷୀ ଅଧିକାରୀମାନଙ୍କୁ କୋଭିଡ ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କଲା ଜିଲ୍ଲା ପ୍ରତିଭା ପୂଜା ସଂସଦ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲାରେ ପୂଜ୍ୟପୂଜାର ପରମ୍ପରାକୁ ଦୀର୍ଘ ୩୪ବର୍ଷ ଧରି ବଜାୟ ରଖି ôଆସିଥିବା ଜିଲ୍ଲା ପ୍ରତିଭା ପୂଜା ସଂସଦ,କେନ୍ଦ୍ରାପଡା ଆଜିବି ଜିଲ୍ଲାରେ ସେହି ପରମ୍ପରାକୁ ଅକ୍ଷୂର୍ଣ୍ଣ ରଖି ଥିବା ଦେଖିବାକୁ ମିଳିଛି । ବିଗତ ମାର୍ଚ୍ଚମାସ ଠାରୁ ଅଦ୍ୟାବଧି ମହାମାରୀ କରୋନାକୁ ଭ୍ରୁକ୍ଷେପ ନକରି ଯେଉଁମାନେ ସାଧାରଣ ଜନତାଙ୍କୁ ସଚେତନ କରିବା ସହ ଅଗ୍ରାଧିକାର ଭିତ୍ତିରେ ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦେଇଥାନ୍ତି ସଂସଦ ପକ୍ଷରୁ ସେହିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଆସୁଅଛି । ଏହିକ୍ରମରେ ଆଜି ଆମ ଜିଲ୍ଲାର ଆରକ୍ଷୀ ବିଭାଗର କେତେକ ଆଗଧାଡିର ଆରକ୍ଷୀ ସେବକଙ୍କୁ “କୋଭିଡ ଯୋଦ୍ଧା” ଭାବରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଆରକ୍ଷୀ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟ ପରିସରରେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବିଶିଷ୍ଟ ଅତିଥି ଭାବେ କେନ୍ଦ୍ରାପଡା ଏସ.ଡି.ପି.ଓ.ରାଜୀବଲୋଚନ ପଣ୍ଡା ଓ ଡି.ଏସ.ପି. କାର୍ତ୍ତିକ ଚନ୍ଦ୍ର ମଲ୍ଲିକ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଶିକ୍ଷାବୀତ ପ୍ରଫେସର ଅଜୟ କୁମାର ରାଉତ,ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା ଯୋଗଦେଇଥିଲେ । ସଂସଦର ସଭ୍ୟ ଚିତ୍ତରଞ୍ଜନ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଫୁଲ୍ଲ କୁମାର ଦାସ ସ୍ୱାଗତ ଭାଷଣ ଓ ସମ୍ପାଦକ ସୁଶିଲ କୁମାର ସାମଲ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କରୋନା ମହାମାରୀ ସଂକ୍ରମଣ ସମୟରେ ନିଜ ଜୀବନକୁ ବିପନ୍ନ କରି ଯେଉଁ ଆରକ୍ଷୀ ଅଧିକାରୀମାନେ ଜନତାଙ୍କୁ ସେବା ଓ ସୁରକ୍ଷା ଯୋଗାଇ ଦେଇଥିଲେ ସଂସଦ ପକ୍ଷରୁ ସେହିମାନଙ୍କୁ କୋଭିଡ ନିୟମ ପାଳନ ପୂର୍ବକ ଆଜିର ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶିଷ୍ଟ ଅତିଥି ଶ୍ରୀ ପଣ୍ଡା ଓ ଶ୍ରୀ ମଲ୍ଲିକ ବକ୍ତବ୍ୟରେ କରୋନା ଲକଡାଉନ ସମୟରେ ସଂସଦ ପକ୍ଷରୁ କିଭଳି ଭାବରେ ଜନସାଧାରଣଙ୍କୁ କୋଭିଡ ସଚେତନତା ସହ ସୁରକ୍ଷା କିଟ ଓ ଖାଦ୍ୟ ପଦାର୍ଥ ଯୋଗାଇ ଦିଆଯାଇଥିଲା ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଟାଉନ ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ ଓ ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ ସେମାନଙ୍କ ବକ୍ତବ୍ୟରେ ଉପସ୍ଥିତ ପୋଲିସ ଭାଇମାନଙ୍କ ଉଦେଶ୍ୟରେ ସମାଜର ନିମ୍ନ ସ୍ତରରେ ଥିବା ଅସହାୟ ଓ ଗରୀବ ଭାଇଭଉଣୀମାନଙ୍କ ପାଇଁ ସହଯୋଗର ହାତ ବଢାଇବାକୁ ନିବେଦନ କରିଥିଲେ । କେନ୍ଦ୍ରାପଡା ଏସଡିପିଓ ଶ୍ରୀ ପଣ୍ଡା, ଡିଏସପି ଶ୍ରୀ ମଲ୍ଲିକ, ଟାଉନ ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଶ୍ରୀ ସାମନ୍ତରାୟ, ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଶ୍ରୀ ମଲ୍ଲିକଙ୍କ ସମେତ ରାଜନଗର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ତପନ କୁମାର ନାୟକ, ନିକିରାଇ ଥାନାର ଭାରପ୍ରାପ୍ତ ଇନିସପେକ୍ଟର କାବୁଲି ବାରିକ, ଡେରାବିଶି ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଉମାକାନ୍ତ ନାୟକ, ମହାକାଳପଡା ଥାନାର ଭାରପ୍ରାପ୍ତ ଇନିସପେକ୍ଟର ମନୋରଞ୍ଜନ ଚୈାଧୁରୀ, ଟାଉନ ଥାନାର ଅତିରିକ୍ତ ଭାରପ୍ରାପ୍ତ ଇନିସପେକ୍ଟର ସାଇମନ ଲାକ୍ରା, ସବଇନିସପେକ୍ଟର ସୈାମ୍ୟରଞ୍ଜନ ଜାଲି,ଏ.ଏସ.ଆଇ ଶରତ ଚନ୍ଦ୍ର ବାରିକ, ସଦର ଥାନାର ଏସ.ଆଇ. ଜୟଲଳିତା ସ୍ୱାଇଁ, ଏସ.ଆଇ. ଶୁଭପ୍ରିୟା ରାଉତ, ଏସ.ଆଇ. ମହେନ୍ଦ୍ର କୁମାର ସେଠୀ ଓ ପୁରୁଣା ବସଷ୍ଟାଣ୍ଡ ଫାଣ୍ଡିର ହାବିଲଦାର ନରେନ୍ଦ୍ର ନାଥ ସୋରେନ ପ୍ରଭୃତିଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସଂସଦର ସଭ୍ୟ ସୋମନାଥ ସାହୁ,ଲକ୍ଷ୍ମୀକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିବା ବେଳେ ଶେଷରେ ସଭ୍ୟ ଗୋଲଖ ଚନ୍ଦ୍ର ପଢିହାରୀ ଧନ୍ୟବାଦ ଅର୍ପଣ କରିଥିଲେ ।


