ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଚାନକ ପିପୁଲସ କଲେଜ ପରିଦର୍ଶନ
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍):ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ଓ କୃଷି ବିଭାଗ ମନ୍ତ୍ରୀ ଅରୁଣ ସାହୁ ଶନିବାର ଦିନ ଅଚାନକ ଭାବେ ସ୍ଥାନୀୟ ପିପୁଲସ କଲେଜ ପରିଦର୍ଶନ କରିଥିବା ଜଣାପଡ଼ିଛି। ଆସନ୍ତା କାଲି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ମନ୍ତ୍ରୀ ଅରୁଣ ସାହୁ ପତାକା ଉତ୍ତୋଳନ କରିବା କାର୍ଯ୍ୟକ୍ରମ ଥିବାବେଳେ ସଡକ ପଥରେ ବୁଗୁଡା ଦେଇ ଯାଉଥିଲେ।ଯିବା ରାସ୍ତାରେ ଅଚାନକ ଭାବେ ବୁଗୁଡା ପିପୁଲସ କଲେଜରେ ପ୍ରବେଶ କରିଥିଲେ । ସେହି ସମୟରେ କଲେଜରେ ପରୀକ୍ଷା ଚାଲିଥିବା ବେଳେ ସେ ପରୀକ୍ଷା ହଲକୁ ଯାଇ ଦେଖିଥିଲେ। ଏଥିସହ ଲାଇବ୍ରେରୀ ଓ ଲ୍ୟାବୋରଟରୀ ବୁଲି ଦେଖିବା ପରେ ଅଧ୍ୟକ୍ଷ ପ୍ରାଧ୍ୟାପକ ରଜନୀକାନ୍ତ ଦାଶ ଓ ଅନ୍ୟାନ ଅଧ୍ୟାପକ ବୃନ୍ଦଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ସମୟରେ ନର୍ଧାରିତ ସମୟ ପର୍ଯ୍ୟନ୍ତ କଲେଜରେ ରହି ଶିକ୍ଷାଦାନ ଦେବାସହ ପ୍ରତ୍ୟେକ ଅଧ୍ୟାପକ କେତେଜଣ ଛାତ୍ର ଛାତ୍ରୀଙ୍କ ଦାୟିତ୍ୱ ନେଇ ଅଭିଭାବକ ବୃନ୍ଦଙ୍କ ସହ ଯୋଗାଯୋଗ ରଖିବାକୁ ପରାମର୍ଶ ଦେଇଥିଲେ।


