ଉଠା ଦୋକାନୀମାନଙ୍କୁ ଭେଣ୍ଡିଂଜୋନ ମାଧ୍ୟମରେ ଥଇଥାନ କରାଯିବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶ୍ୱ ହକିକପ ପରେ ଭୁବନେଶ୍ୱରରେ ଉଠାଦୋକାନୀ ଉଚ୍ଛେଦ ବନ୍ଦ ହୋଇଥିବା ବେଳେ ଗତ କିଛିଦିନ ଧରି ବିଏମ୍ସି, ବିିଡ଼ିଏର ଉଚ୍ଛେଦକାରୀ ଦଳ ସମ୍ବିଧାନର ଧାରା ୧୯(୧)ଛ, ଉଠାଦୋକାନୀ ଆଇନ ନମାନି ମନୋମୁଖୀ ଦୋକାନ ଉଚ୍ଛେଦ କରିବା, ଦୋକାନୀମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହିତ ଦୋକାନୀମାନଙ୍କ ଜିନିଷପତ୍ର ଭଙ୍ଗାରୁଜା କରିବା ପ୍ରତିବାଦରେ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘ ତରଫରୁ ମେ ମାସ ୨୬ ତାରିଖ ଦିନ ବିଏମ୍ସି, ବିଡ଼ିଏ ଅସାଧୁ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ନବୀନ ନବାସ ଘେରାଉ କରିବା ପାଇଁ ଚେତାବନୀ ଦିଆଯାଇଥିଲା । କିନ୍ତୁ ଭୁବନେଶ୍ୱରର ସମ୍ମାନୀୟ ଡିସିପି ଶ୍ରୀଯୁକ୍ତ ପ୍ରତୀକ ସିଂ, ଏସିପି ମାନସ ଗଡ଼ନାୟକ ମହାସଂଘର କର୍ମକର୍ତ୍ତାଙ୍କୁ ଡ଼ାକି ଆନ୍ଦୋଳନରୁ ନିବୃତ୍ତ ରହିବା ଏବଂ ବିଏମ୍ସି କମିଶନରଙ୍କ ସହ ଆଲୋଚନା କରିବା ପାଇଁ ପରାମର୍ଶ ଦେଇଥିଲେ ।ଗୁରୁବାର ଦିବା ୧୧ ଘଟିକା ସମୟରେ କ୍ୟାପିଟାଲ ଥାନା ଆଇଆଇସି ପଦ୍ମନାଭ ପ୍ରଧାନ ଓ ଖାରବେଳ ନଗର ଥାନା ଆଇଆଇସି ରଜନୀକାନ୍ତ ମିଶ୍ରଙ୍କ ତତ୍ତ୍ୱାବଧାନରେ ମହାସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ ସାହୁଙ୍କ ନେତୃତ୍ୱରେ ୧୦୦ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ବିଏମ୍ସି କାର୍ଯ୍ୟାଳୟ ଯାଇଥିଲେ । ଏହାପରେ ସଭାପତି ପ୍ରତାପ ସାହୁଙ୍କ ସମେତ ସମ୍ପାଦକ ଅନୁଜ ପ୍ରଧାନ, ଅନୁ ମିଶ୍ର, ଲଲାଟ କୁମାର ଓଝା, ଶୁଭଲକ୍ଷ୍ମୀ ମହାନ୍ତି, ସସ୍ମିତା ସାହୁ ଏବଂ ନିରଞ୍ଜନ ପାଣ୍ଡେ ଏକ ସାତଜଣିଆ ପ୍ରତିନିଧି ଦଳ ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କୁ ସାକ୍ଷାତ୍ କରି ୧୯ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ କୁଲାଙ୍ଗେ ସେଥିମଧ୍ୟରୁ ୮ ଦଫା ଦାବି ମାନିନେବା ସହ ଅନ୍ୟ ଦାବିଗୁଡ଼ିକ ବିଡ଼ିଏ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ପରାମର୍ଶ ଦେଇଥିଲେ । ବିଏମ୍ସି, ବିଡ଼ିଏ ଉଚ୍ଛେଦକୁ ତୁରନ୍ତ ବନ୍ଦ କରନ୍ତୁ, ସମ୍ବିଧାନର ଧାରା ୨୨, ୧୯ (୧)ଛ କୁ ସମ୍ମାନ ଦେବା, ୬୭ଟି ୱାର୍ଡ଼ରେ ୧୫୦ରୁ ଅଧିକ ଭେଣ୍ଡିଂଜୋନ ତିଆରି କରିବା, ଭେଣ୍ଡିଂଜୋନ ଗୁଡ଼ିକରେ କେବଳ ଉଠାଦୋକାନୀମାନଙ୍କୁ ଥଇଥାନ କରିବା, ଅନ୍ୟ କାହାକୁ ନୁହେଁ । ଉଚ୍ଛେଦ ସମୟରେ ମହାସଂଘର କମିଟିକୁ ଡ଼ାକି ଆଲୋଚନା କରିବା, ଯେଉଁ ଜାଗାରେ ଭେଣ୍ଡିଂଜୋନ ତିଆରି କରାଯାଉଛି ପ୍ରଥମେ ସେହି ଅଞ୍ଚଳରେ ଥିବା ଉଠାଦୋକାନୀ ମାନଙ୍କୁ ଭେଣ୍ଡିଂଜୋନ ମାଧ୍ୟମରେ ଥଇଥାନ କରିବା ଓ ମହାସଂଘ ସହିତ ଆଲୋଚନା କରିବା, ମହିଳା, ଭିନ୍ନକ୍ଷମ ଓ ତୃତୀୟ ଲିଙ୍ଗୀ ଉଠାଦୋକାନୀମାନଙ୍କୁ ପ୍ରଥମେ ଥଇଥାନ କରିବା, ଭେଣ୍ଡିଂଜୋନରେ ଏସ୍.ଏଚ୍.ଜି.ମାନଙ୍କୁ ବାଦ୍ ଦେବା, ସ୍ମାର୍ଟସିଟିରେ ଦିଆଯାଇଥିବା କିଓସ୍କ ଗୁଡ଼ିକୁ ସିବିଆଇ ତଦନ୍ତ କରିବା, ମୁକ୍ତା ଯୋଜନା ମାଧ୍ୟମରେ ଗଠନ କରି ଭେଣ୍ଡିଂଜୋନ ଗୁଡ଼ିକୁ ଉଠାଦୋକାନୀ ମାନଙ୍କୁ ପ୍ରଦାନ କରିବା ଆଦି ଆଠ ଦଫା ଦାବିକୁ ମାନିନେବା ସହ ଭୁବନେଶ୍ୱରରେ ଯେଉଁ ପୁରୁଣା ଉଠାଦୋକାନୀ ଅଛନ୍ତି, ସେମାନଙ୍କୁ ଭେଣ୍ଡିଂଜୋନ ମାଧ୍ୟମରେ ଥଇଥାନ କରାଯିବ । କିଛି ଦୋକାନୀ ଭାଇମାନେ ଅଛନ୍ତି ଯେଉଁମାନେ କି ରାସ୍ତା ଉପରେ ବସୁଛନ୍ତି, ଡଷ୍ଟବିନ୍ ବ୍ୟବହାର କରୁନାହାଁନ୍ତି, ଖାଦ୍ୟ ସୁରକ୍ଷିତ ରଖୁନାହାଁନ୍ତି, ଗୁପ୍ଚୁପ ଦୋକାନୀମାନେ ବସୁଛନ୍ତି, ସେମାନଙ୍କ ପ୍ରତି ଆପଣ ଧ୍ୟାନ ଦେବା ସହ ଭଲ ଖାଦ୍ୟ ଉପରେ ମଧ୍ୟ ନଜର ରଖିବା ପାଇଁ ମହାସଂଘକୁ ପରାମର୍ଶ ଦେଇଥିଲେ । ମହାସଂଘ କମିଶନରଙ୍କ ନିର୍ଦ୍ଦେଶକୁ ମାନି ଚଳିବା ପାଇଁ କମିଶନରଙ୍କୁ ପ୍ରତିଶ୍ରୁତି ଦେବା ସହ ଆସନ୍ତା କାଲି ଅନ୍ୟ ଦାବିଗୁଡ଼ିକ ବିଡ଼ିଏ ଅଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ମହାସଂଘର ସଭାପତି ପ୍ରତାପ କୁମାର ସାହୁ କହିଛନ୍ତି । ଆଜିର ଏହି କର୍ଯ୍ୟକ୍ରମରେ ଭୁବନେଶ୍ୱରର ୧୦୦ରୁ ଉର୍ଦ୍ଧ୍ୱ ସଂଘର ସଭାପତି, ସମ୍ପାଦକ, ମହିଳା ଉଠାଦୋକାନୀ ଅଧିକାରିଣୀ ଯୋଗ ଦେଇଥିଲେ ।


