ଉଦ୍ଘାଟିତ ହେଲା ଜାତୀୟ ସଂହତି ଶିବିର
ଭୂବନେଶ୍ୱର- ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡସ୍ଥିତ ରାଜ୍ୟ ତାଲିମ କେନ୍ଦ୍ର୍ର ପରିସରରେ ଆୟୋଜିତ ଜାତୀୟ ସଂହତି ଶିବିର ତା୧୩ା୧୨ା୧୯ରିଖ ସକାଳ ୧୧ ଘଟିକା ସମୟରେ ଉଦ୍ଘାଟିତ ହୋଇଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉକ୍ତ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥିମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ତଥା ବିଧାୟକ ଶ୍ରୀ ବିଷ୍ଣୁଚରଣ ଦାସ, ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ର, ଶ୍ରୀ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ବିଧାୟକ ଖୋର୍ଦ୍ଧା, ଶ୍ରୀ ରାଜକିଶୋର ସାହୁ, ବିଧାୟକ, ବେଗୁନିଆ ପ୍ରମୁଖ ଉକ୍ତ ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ । ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ର ଅତିଥିମାନଙ୍କୁ ସ୍ୱାଗତ କରିବାକୁ ଯାଇ ଶିବିରର ଉଦ୍ଦେଶ୍ୟ ତଥା ରାଜ୍ୟ ସଂଗଠନର ବର୍ଷ ବ୍ୟାପୀ ବିଭିନ୍ନ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଏବଂ ସ୍କାଉଟ ଓ ଗାଇଡ୍ମାନଙ୍କ ଦ୍ୱାରା ଗାନ୍ଧିଜୀଙ୍କ ୧୫୦ ତମ ଜନ୍ମ ବାର୍ଷିକ ଅବସରରେ ଜାତୀୟ ସଂହତି ଶିବିରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ମନ୍ତ୍ରୀ ମହୋଦୟ ରାଜ୍ୟ ସଂଗଠନର ଏଭଳି ଏକ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନରେ ସନ୍ତୋଷପ୍ରକଟ କରିବା ସହିତ ସ୍କାଉଟ ଓ ଗାଇଡ୍ ସଂଗଠନ ପ୍ରତ୍ୟେକ କ୍ଷେତ୍ରରେ ସର୍ବଦା ଉଲ୍ଲେଖନୀୟ କାର୍ଯ୍ୟ ସଂପାଦନ କରିଆସିଛି ବୋଲି ଅଭିହିତ କରିଥିଲେ । ରାଜ୍ୟ ସଂଗଠନ ଦ୍ୱାରା ଆୟୋଜିତ ଉକ୍ତ ଶିବିର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ପାରସ୍ପରିକ ସ୍ନେହ ଓ ବନ୍ଧୁତା ସ୍ଥାପନ ପୂର୍ବକ ସମାଜରେ ଭାଇଚାରାର ଭାବ ପ୍ରକାଶ କରିବା ପାଇଁ ପ୍ରେରଣାଦାୟକ ହେବ ବୋଲି ମୁଖ୍ୟ ଅତିଥି ଶ୍ରୀ ଦାଶ ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଶ୍ରୀ ମିତ୍ର ପ୍ରତ୍ୟେକ କାର୍ଯ୍ୟରେ ଓଡିଶା ସଂଗଠନ ସବୁବେଳେ ଅଗ୍ରଣୀ ଭୂମିକା ନିର୍ବାହ କରି ଆସିଥିବାରୁ ସାଧୁବାଦ ଜଣାଇଥିଲେ । ଅନ୍ୟ ସମ୍ମାନୀତ ଅତିଥିମାନେ ଅନୁରୂପ ଭାବେ ଜାତୀୟ ସଂହତି ଶିବିରର ସଫଳତା କାମନା କରି ସ୍କାଉଟ ଓ ଗାଇଡ୍ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ପ୍ରାରମ୍ଭରେ ମାନ୍ୟବର ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ସ୍କାଉଟ ଓ ଗାଇଡ୍ମାନଙ୍କ ଦ୍ୱାରା ଆକର୍ଷଣୀୟ ସଂହତି ନୃତ୍ୟ ଅତିଥିମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ।