ଏକକ ନାଗରିକ ସଂହିତା ସମ୍ପର୍କିତ ଆଲୋଚନାଚକ୍ର
ବାଲେଶ୍ୱର, (ସରୋଜ ପଣ୍ଡା):କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକକ ନାଗରିକ ସଂହିତା (ୟୁନିଫର୍ମ ସିଭିଲ କୋଡ) ପ୍ରଣୟନ ଉଦ୍ୟମକୁ ନେଇ ସମଗ୍ର ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବାଲେଶ୍ୱରରେ ବି ଏହାର ପ୍ରତିଫଳନ ପରିଲକ୍ଷିତ ହୋଇଛି । ଅନ୍ୟତମ ସାମାଜିକ ସଂଗଠନ ‘ଫ୍ୟୁଚର ବାଲେଶ୍ୱର’ ପକ୍ଷରୁ ଏହି ଏକକ ନାଗରିକ ସଂହିତାର ବିଭିନ୍ନ ଦିଗ ସମ୍ପର୍କିତ ଏକ ଆଲୋଚନାଚକ୍ର ସ୍ଥାନୀୟ ଷ୍ଟେସନ କ୍ଲବ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ସଂଗଠନର ମୁଖ୍ୟ ବିଜୟ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଶିକ୍ଷାବିତ ସତ୍ୟଜିତ ମିଶ୍ର, ସାମାଜିକ କର୍ମୀ ଶ୍ରଦ୍ଧାଞ୍ଜଳି ରାୟ, ଆଇନଜୀବୀ ବିଚିତ୍ରାନନ୍ଦ ଦାସ, ବୈଲୋଚନ ଦାଶ ପ୍ରମୁଖ ଯୋଗଦେଇ ଏକକ ନାଗରିକ ସଂହିତାର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ । ବିବିଧତା ମଧ୍ୟରେ ଏକତା ରକ୍ଷା ଉଦ୍ଦେଶ୍ୟରେ ସମସ୍ତ ନାଗରିକଙ୍କ ପାଇଁ ଏକକ ଆଇନ ବ୍ୟବସ୍ଥା ଏକାନ୍ତ ଆବଶ୍ୟକ ବୋଲି ବକ୍ତାମାନେ କହିଥିଲେ । ବିଶେଷ କରି ଧର୍ମ ଓ ଜାତି ଆଧାରରେ ଆଇନ ପ୍ରଚଳନ ଓ ନ୍ୟାୟ ବ୍ୟବସ୍ଥା ଯୋଗୁଁ ସୃଷ୍ଟି ହେଉଥିବା ସମାଜିକ ବୈଷ୍ୟମତା ଦୂର ପାଇଁ ଏହି ଏକକ ସଂହିତା ବେଶ ସହାୟକ ହେବ ବୋଲି ସେମାନେ ମତ ଦେଇଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ସମ୍ଭିଧାନ ସଭା ଦ୍ୱାରା ସମସ୍ତ ନାଗରିକଙ୍କ ପାଇଁ ଏକକ ନାଗରିକ ସଂହିତା ପ୍ରଣୟନ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲେ ବି ତାହା ଏ ଯାବତ ପାରିତ ହୋଇ ପାରିନାହିଁ ।ଏକକ ନାଗରିକ ସଂହିତା ଲାଗୁ ହେଲେ ସମସ୍ତ ନାଗରିକ ସମାନ ଅଧିକାରର ସୁଯୋଗ ପାଇପାରିବେ । ସୌମ୍ୟ ରଞ୍ଜନ ପାତ୍ର, ବିକ୍ରମ କୁମାର ମହାରଣା, ଦିବାକର ସ, ତାପସ କୁମାର ସାହୁ, ପ୍ରତିମା ପଣ୍ଡା, ତ୍ରିଦୀବ କୁମାର ନାୟକ, ପ୍ରଣିତା ମିଶ୍ର, ସଞ୍ଜୟ ମହାପାତ୍ର, ରଞ୍ଜନ କୁମାର ପାଣିଗ୍ରାହୀ, ବିଧାନ ଚନ୍ଦ୍ର ରାୟ, ସତ୍ୟନାରାୟଣ ରଣା, ମୃତ୍ୟୁଞ୍ଜୟ ତ୍ରିପାଠୀ, ଶ୍ରୀତମ କୁମାର ପାଣିଗ୍ରାହୀ, ରବି କୁମାର ପାଣିଗ୍ରାହୀ, ଦୀପକ କୁମାର ମଲିକ, ବଂଶୀଧର ଚୌଧୁରୀ, ଉମାକାନ୍ତ ଦାସ, ସଂଯୁକ୍ତା ବେହେରା ପ୍ରମୁଖ ଏଥିରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


