ମଣିପୁରରେ ଶାନ୍ତି ପ୍ରତିଷ୍ଠା ଦାବିରେ ଉତ୍କଳ ସର୍ବୋଦୟ ମଣ୍ଡଳ ପକ୍ଷରୁ ସ୍ମାରକପତ୍ର
ବାଲେଶ୍ୱର, (ସରୋଜ ପଣ୍ଡା):ମଣିପୁରରେ ଗତ କିଛିଦିନ ଧରି ଲାଗି ରହିଥିବା ହିଂସା ଯୋଗୁଁ ସୃଷ୍ଟି ହୋଇଥିବା ଅଶାନ୍ତିକର ସ୍ଥିତିରେ ଅନ୍ତ ଘଟାଇ ଶାନ୍ତି ପ୍ରତିଷ୍ଠା ପାଇଁ ଉତ୍କଳ ସର୍ବୋଦୟ ମଣ୍ଡଳ ପକ୍ଷରୁ ଦାବି ହୋଇଛି । ମାସ ମାସ ଧରି ଲାଗି ରହିଥିବା ସ୍ଥିତିକୁ ଆୟତ୍ତ କରିବାରେ ସରକାରୀ ଅବହେଳା ଦେଶ ପାଇଁ ଲଜ୍ଜାର ବିଷୟ ବୋଲି ମଣ୍ଡଳର କର୍ମକର୍ତ୍ତାମାନେ ଆରୋପ କରିଛନ୍ତି । ଜୀବନ ଏବଂ ସମ୍ପତ୍ତିର କ୍ଷତି ହେଉଛି । ମେଟେଇ ଏବଂ କୁକି ଜନଜାତିର ଲୋକେ ପରସ୍ପରକୁ ହତ୍ୟା କରିବା, ଘର ପୋଡ଼ିି ଦେବା ଭଳି ମଣିପୁର ରାସ୍ତାରେ ପରିଲକ୍ଷିତ ଭୟଙ୍କର ଦୃଶ୍ୟ ଦେଶବାସୀଙ୍କ ପାଇଁ ଆଲୋଡ଼ନର ବିଷୟ ହୋଇଛି । ପରୋକ୍ଷରେ ଏହା ଏକ ସାମ୍ପ୍ରଦାୟିକ ଦଙ୍ଗା ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା ଦୁର୍ଭାଗ୍ୟର ବିଷୟ ବୋଲି ସବୋଦୟ ନେତାମାନେ କହିଛନ୍ତି । ସେଠାରେ ଶାନ୍ତି ପ୍ରତିଷ୍ଠା ସାଙ୍ଗକୁ ଉଭୟ ସମ୍ପ୍ରଦାୟ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ତୁରନ୍ତ ଉଚିତ ପଦକ୍ଷେପ ନେବାକୁ ମଣ୍ଡଳ ପକ୍ଷରୁ ଦାବି ହୋଇଛି । ଏହି ପରିପ୍ରେକ୍ଷୀରେ ଉତ୍କଳ ସର୍ବୋଦୟ ମଣ୍ଡଳ ବାଲେଶ୍ୱର ଶାଖାର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ବିଧାନ ଚନ୍ଦ୍ର ରାୟଙ୍କ ସମେତ ଶ୍ରଦ୍ଧାଞ୍ଜଳି ରାୟ,ପ୍ରଜ୍ଞାପରମିତା ବିଶ୍ୱାଳ, ପ୍ରତିମା ପଣ୍ଡା, ମିନତୀ ଦାସ, ପ୍ରମିଳା ନାୟକ, କନକଲତା ରାଉତ, ବାସନ୍ତୀ ସେଠୀ,ମୀତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


