ଏକାମ୍ର ସାଂସ୍କୃତିକ ପ୍ରକାଶନୀର ଜାତୀୟସ୍ତରୀୟ ଭଜନ ସମାରୋହ ପ୍ରସ୍ତୁତି
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମହାଶିବରାତ୍ରି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ ନୂଆ ଲିଙ୍ଗରାଜ ମାର୍କେଟ ଲାଇବ୍ରେରୀ ହଲରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସୁରେଶ କୁମାର ରାଉତରାୟ ଓ ସମ୍ପାଦକ ସନତ ମିଶ୍ର କହିଥିଲେ ଯେ, ଜାତୀୟସ୍ତରୀୟ ଏହି ଭଜନ ସମାରୋହ ଚଳିତ ବର୍ଷ ୩୨ ବର୍ଷ ପାଳନ କରିବ । ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଉଦ୍ୟମ ହୋଇଛି । ମୁମ୍ବଇର ଖ୍ୟାତନାମା କଣ୍ଠଶିଳ୍ପୀ ସ୍ୱଦେଶ ଭୋଷଲେ, ଅନୁ ମଲିକ, ଅନୁରାଧା ପଡ଼ୱାଲ, କବିତା ପଡ଼ୱାଲ, ସ୍ମୃତି ମିଶ୍ର, ସମେତ ସଙ୍ଗୀତ ନିର୍ଦେଶକ ମନ୍ମଥ ମିଶ୍ରଙ୍କ ନିର୍ଦେଶନାରେ ଓଡ଼ିଶାର ବହୁ ଖ୍ୟାତନାମା କଣ୍ଠଶିଳ୍ପୀ ଯୋଗ ଦେବେ । ଉକ୍ତ ଦିନ ଭୋର ୪ଟାରୁ ଶଙ୍ଖଧ୍ୱନି, ବେଦପାଠ, ଶିବ ସହସ୍ରନାମ, ଭାଗବତ, ଗୀତା ପାଠ, ଶିବ ଚେତନା, ହରି ଭଜନ, ରାମଚରିତ ପାରାୟଣ, ପ୍ରବଚନ ପ୍ରଭୃତି କରାଯିବା କାର୍ଯ୍ୟକ୍ରମ ରହିଛି । ଶେଷରେ ଅନୁଷ୍ଠାନର ସଂଯୋଜନ ଲିଙ୍ଗରାଜ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ବରିଷ୍ଟ ସଦସ୍ୟ କପଳ ଚନ୍ଦ୍ର ପଣ୍ଡା, ରତିକାନ୍ତ ମହାସୁଆର, ବାବନ ଚନ୍ଦ୍ର ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ଚକ୍ରଧର ବେହେରା, ଗଣେଶ ପାଲ, ପ୍ରତାପ ପଟ୍ଟନାୟକ, ତପନ ମହାସୁଆର, କେଦାରନାଥ ମହାପାତ୍ର, ବିଶ୍ୱନାଥ ମହାପାତ୍ର, ସୁଧିର ରଞ୍ଜନ ଜେନା, ବିଷ୍ଣୁ ପ୍ରସାଦ ମୁଦୁଲି, ଜୟକୃଷ୍ଣ ମଲିଆ, ରମେଶ ମହାପାତ୍ର ଓ ବହୁ ସଭ୍ୟ ସାମିଲ ହୋଇଥିଲେ ।


