ଏନଏମଡି ରୋଗରେ ପିଡିତ ବିଷ୍ଣୁ, ଭୋକ ଉପାସରେ ପରିବାର

ହାଟଡ଼ିହି, (ବିକାଶ ବିଶ୍ୱାଳ):ଏନ.ଏମ.ଡି (ନୁ୍ୟରୋ ମସ୍କୁଲାର ଡିଜଅର୍ଡର) ରୋଗରେ ପିଡିତ ହୋଇ ଘରେ ପଡିଛନ୍ତି ସ୍ୱାମୀ, ପରିବାର ଏବେ ଭୋକ ଉପାସରେ ଦିନ କାଟୁଛନ୍ତି, ଓଳିଏ ଖାଇଲେ ଓଳିଏ ଉପାସ, ଏପରି ପରିସ୍ଥିତିରେ ପରିବାର ଲୋକେ ସରକାରୀ ସହାୟତା ପାଇଁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଗ୍ରାମର ବ୍ରାହ୍ମଣ ସାହିରେ । ପରିବାର ଲୋକଙ୍କ ସୁଚନା ଅନୁଯାଇ ସୋସୋ ଗ୍ରାମର ବିଷ୍ଣୁ ରାଉତ ବାଙ୍ଗାଲୋରରେ ରହି କାମଦାମ କରି ନିଜ ପରିବାର ଚଳାଇ ଆସୁଥିଲେ । ଘରେ ସ୍ତ୍ରୀ ସନ୍ଧ୍ୟାରାଣୀ, ମା ଓ ନିଜ ଦୁଇ ଛୁଆଙ୍କୁ ନେଇ ତାଙ୍କର ପରିବାରଟି ହସଖୁସିରେ ଚଳୁଥିଲା । କିନ୍ତୁ ତାଙ୍କର ଏହି ହସଖୁସି ଦିନ କେଇଟା ଭିତରେ ମଉଳି ଯାଇଥିଲା । ୩ବର୍ଷ ପୁର୍ବେ ହଠାତ କାମ କରୁଥବବା ସମୟରେ ହାତ ବିନ୍ଧାବିନ୍ଧି କରିଥିଲା । ସେଠାରେ ଯେତେ ଡାକ୍ତର ଦେଖାଇଲେବି ତାହା ଭଲ ହୋଇ ନଥିଲା । ଫଳରେ ଘରକୁ ପଳାଇ ଆସିବା ପରେ ଏଠାରେ ବିଭିନ୍ନ ଡାକ୍ତରଙ୍କ ପାଖକୁ ନେଇ ଦେଖାଇବା ପରେ ଏନ.ଏମ.ଡି ରୋଗରେ ପିଡିତ ହୋଇଥିବା ଡାକ୍ତର କହିଥିଲେ । ଏପରିକି ଧିରେ ଧିରେ ତାଙ୍କ ଶରୀର ଦୁର୍ବଳ ହୋଇଯିବା ସହ ସମସ୍ତ ଅଙ୍ଗ ଗୁଡିକ ଅଚଳ ହୋଇପଡିଥିଲା । ନିଜେ ବସିଥିବା ସ୍ଥାନରୁ ଉଠିପାରିଲେନି କି ଚଲାବୁଲା ମଧ୍ୟ କରିପାରିଲେନି । କିଏ ଦୁଇଜଣ ଦୁଇପଟୁ ଆଶ୍ରା କରିଧରିଲ ସେ ଉଠୁଛନ୍ତି । ଏପରି ଅବସ୍ଥାରେ ତାଙ୍କର ସ୍ୱାସ୍ଥ୍ୟବୀମା କାର୍ଡ ମଧ୍ୟ ନାହିଁ । ଘରେ ଯାହା ଟଙ୍କା ପଇସା ଥିଲା ତାକୁ ସାରି ନିଳାଚଳ ହସପିଟାଲରେ ଦୀର୍ଘଦିନ ରଖି ଚିକିତ୍ସା କରିବା ପରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇପାରିଲାନି । ଏବେ ତିନିବର୍ଷ ହେଲା ଘରେ ପଡିରହିଛନ୍ତି । ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଘରେ ପଡି ରହିଯିବାରୁ ପରିବାରରେ ଘରେ ଖାଇବାକୁ ମୁଠାଏ ମିଳିଲାନାହିଁ । ଘରେ ବୃଦ୍ଧା ମାଆଙ୍କ ସମେତ ଦୁଇ ଦୁଇଟି ଛୁଆ । ତାଙ୍କର ଏପରି ଅବସ୍ଥା ଦେଖି ଗ୍ରାମବାସୀମାନେ ଯିଏ ଯାହା ପାରିଲା ସହାୟତା କରିଚାଲିଲା । ଗାଁ ଲୋକ ବା କେତେଦିନ ଦେବେ । ଏପରି ଅବସ୍ଥାରେ ଘରେ ଦୁଇଓଳି ବି ଚୁଲି ଜଳିପାରୁନି । ପ୍ରଶାସନ କିମ୍ବା କୌଣସି ସ୍ୱେଚ୍ଛାସେବୀ ସଂଗଠନ ଯଦି ସହାୟତାର ହାତ ବଢ଼ାନ୍ତେ ତେବେ ବିଷ୍ଣୁର ଚିକିତ୍ସା ସହ ପରିବାରଟି ଚଳିବାରେ ସାହାଯ୍ୟ କରିପାରନ୍ତା ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଏପରି ଅବସ୍ଥାରେ ଜିଲ୍ଲା ପ୍ରଶାସନ ତାଙ୍କୁ ସହାୟତା କରିବାପାଇଁ ପତ୍ନୀ ସନ୍ଧ୍ୟାରାଣୀ ରାଉତ ନିବେଦନ କରିଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କ ସହାୟତା କରିବାକୁ ଚାହାଁନ୍ତି ତେବେ ୯୫୫୬୪୪୭୦୮୧ ନମ୍ବରରେ ଯୋଗାଯୋଗ କରିବା ସହିତ ଏକାଉଣ୍ଟ ନମ୍ବର-୧୨୭୦୦୧୧୦୦୪୮୪୪ ଆଇଏଫଏସସି କୋର୍ଡ ୟୁସିବିଏ୦୦୦୧୨୭୨ରେ ସହାୟତା ପଠାଇବାକୁ ସନ୍ଦ୍ୟାରାଣୀ ନିବେଦନ କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ