ଏନ୍‌ସିଏରେ ରୋହିତ ଓ ଈଶାନ୍ତଙ୍କ ଫିଟ୍‌ନେସ୍‌ ପ୍ରଶିକ୍ଷଣ ଆରମ୍ଭ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଟେଷ୍ଟ୍‌ ଦଳରେ ସାମିଲ ହୋଇଥିବା ରୋହିତ ଶର୍ମା ସ୍ଥାନୀୟ ଜାତୀୟ କ୍ରିକେଟ୍‌ ଏକାଡେମି (ଏନ୍‌ସିଏ)ରେ ଗୁରୁବାର ନିଜର ଫିଟ୍‌ନେସ୍‌ ପ୍ରଶିକ୍ଷଣ ଆରମ୍ଭ କରିଛନ୍ତି। ୟୁଏଇରେ ଶେଷ ହୋଇଥିବା ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ ବେଳେ ରୋହିତ ଆହତ ହୋଇଥିଲେ। ଯେଉଁଥିପାଇଁ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ସୀମିତ ଓଭର ଶୃଙ୍ଖଳାରୁ ବାଦ୍‌ ଦିଆଯାଇଥିଲା। ହେଲେ ଏହି ମୁମ୍ବାଇ ଇଣ୍ଡିଆନ୍‌ସ ଅଧିନାୟକ ଆଇପିଏଲ୍‌ ଫାଇନାଲ୍‌ ବ୍ୟତୀତ ଆଉ ଦୁଇଟି ମ୍ୟାଚ୍‌ ଖେଳିବା ପରେ ତାଙ୍କୁ ଟେଷ୍ଟ୍‌ ଦଳରେ ସାମିଲ କରାଯାଇଥିଲା। ବିଶେଷକରି ଅଧିନାୟକ ବିରାଟ କୋହଲି ପ୍ରଥମ ଟେଷ୍ଟ୍‌ ଖେଳି ପିତୃତ୍ବ ଲାଭ ପାଇଁ ଭାରତ ଫେରିଆସିବାକୁ ଥିବାରୁ ରୋହିତଙ୍କୁ ସ୍ଥାନ ମିଳିଥିବା କୁହାଯାଇଛି। ତେଣୁ କୋହଲିଙ୍କ ଅନୁପସ୍ଥିତିରେ ରୋହିତଙ୍କ ଫିଟ୍‌ନେସ୍‌ ଦଳ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ଖାସ୍‌ ସେଇଥିପାଇଁ ତାଙ୍କୁ ଆଇପିଏଲ୍‌ ପରେ ପରେ ଦଳ ସହ ଅଷ୍ଟ୍ରେଲିଆ ପଠାନଯାଇ ଫିଟ୍‌ନେସ୍‌ ସୁଧାରିବା ପାଇଁ ଏନ୍‌ସିଏକୁ ପଠାଯାଇଥିଲା। ଦୀପାବଳି ପରେ ରୋହିତ ଏନ୍‌ସିଏରେ ପ୍ରଶିକ୍ଷଣ ନେବେ ବୋଲି କୁହାଯାଇଥିଲା। ସେହି ଅନୁଯାୟୀ ରୋହିତ ଗୁରୁବାରଠାରୁ ପ୍ରଶିକ୍ଷଣ ଆରମ୍ଭ କରିଛନ୍ତି। ଏନ୍‌ସିଏ ମୁଖ୍ୟ ରାହୁଲ ଦ୍ରାବିଡ୍‌ ଏବ ମୁଖ୍ୟ ଚୟନକର୍ତା ସୁନୀଲ ଯୋଷୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରୋହିତ ପୁନଃଥଇଥାନ କାର୍ଯ୍ୟ କରୁଛନ୍ତି । ଆଇପିଏଲ୍‌ ଫାଇନାଲ୍‌ରେ ଦମ୍‌ଦାର ଅର୍ଧଶତକ ଜମାଇ ମୁମ୍ବାଇକୁ ପଞ୍ଚମ ଥର ବିଜେତା କରାଇବାରେ ପ୍ରମୁଖ ଭୂମିକା ନିଭାଇବା ପରେ ସେ ବାସ୍ତବିକ୍‌ ପୂରା ଫିଟ୍‌ ବୋଲି ରୋହିତ କହିଥିଲେ। ହେଲେ ଆଇପିଏଲ୍‌ ବେଳେ ମାଂସପେଶୀ ଜନିତ ଆଘାତରୁ ପୂରା ସୁସ୍ଥ ହେବା ପାଇଁ ତାଙ୍କୁ କିଛି ସମୟ ଦରକାର ବୋଲି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଅନୁଭବ କରିଥିଲା। କିନ୍ତୁ ରୋହିତଙ୍କ ଫିଟ୍‌ନେସ୍‌ ସ୍ଥିତି ନେଇ ସେତେବେଳେ ବିତର୍କ ମୁଣ୍ଡ ଟେକିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ