ସୁଧୁରୁଛି ଭାରତ ଅର୍ଥନୀତି

ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରଭାବ ଶୀଘ୍ର ଦୂର ହେବ। ଭାରତୀୟ ଅର୍ଥନୀତିରେ ଦ୍ରୁତ ଗତିରେ ସୁଧାର ହେବ ଏବଂ ତାହା ଶୀଘ୍ର ସ୍ବାଭାବିକ ସ୍ଥିତିକୁ ଫେରିବ। ଭାରତୀୟ ଅର୍ଥନୀତି ଉପରେ ରେଟିଂ ଏଜେନ୍ସିଗୁଡ଼ିକ ଭରସା ପ୍ରକଟ କରିଛନ୍ତି। ବାର୍‌କ୍ଲେ, ମର୍ଗାନ ଷ୍ଟାନ୍‌ଲି, ମୁଡିସ୍‌ ଓ ଇକ୍ରା ଭଳି ରେଟିଂ ଏଜେନ୍ସି ଆଜି ଯେଉଁ ସବୁ ରିପୋର୍ଟ ଜାରି କରିଛନ୍ତି ତାହା କୌଣସି ବଡ଼ ଖୁସି ଖବର ଠାରୁ କମ୍ ନୁହେଁ। କରୋନା ଯୋଗୁଁ ଯେଉଁ ହାରରେ ଅର୍ଥନୀତି କ୍ଷତିଗ୍ରସ୍ତ‌ ହେବ ବୋଲି ଆଶଙ୍କା କରାଯାଉଥିଲା ତା’ଠାରୁ ଅର୍ଥନୀତିର ପ୍ରଦର୍ଶନ ଯଥେଷ୍ଟ ଅଧିକ ଭଲ ରହିବ ବୋଲି ଏହି ସଂସ୍ଥାଗୁଡ଼ିକ କହିଛନ୍ତି । ବାର୍‌କ୍ଲେ ପକ୍ଷରୁ ଆକଳନ କରାଯାଇଛି ଯେ ଭାରତରେ କରୋନା ମହାମାରୀର ପ୍ରଭାବ ଦୂର ହେବାରେ ଲାଗିଛି। ଏହା ଶୀଘ୍ର ସ୍ବାଭାବିକ ସ୍ତରକୁ ଫେରିବ। ୨୦୨୧-୨୨ରେ ଭାରତ ୮.୫% ଭଳି ବଡ଼ ଧରଣର ଅଭିବୃଦ୍ଧି ହାସଲ କରିବ ବୋଲି ବାର୍‌କ୍ଲେ ପୂର୍ବାନୁମାନ ଲଗାଇଛି। ହିରୋ ମୋଟୋକର୍ପ ଓ ଟାଇଟାନ୍ ଭଳି ସଂସ୍ଥା ଉତ୍ସବ ଋତୁରେ ବହୁତ ଭଲ କାରବାର କରିଛନ୍ତି। ଅର୍ଥନୀତି ପାଇଁ ଏହା ଶୁଭ ସଙ୍କେତ ବୋଲି ବାର୍‌କ୍ଲେ ଜଣାଇଛି। ତେବେ ଚଳିତ ଆର୍ଥିକ ବର୍ଷ (୨୦୨୦-୨୧)ରେ ଅର୍ଥନୈତିକ ଅଭିବୃଦ୍ଧିରେ ୬.୪% ହ୍ରାସ ଘଟିବ ବୋଲି ଏହା ଆକଳନ କରିଛି। ଅନ୍ୟତମ ପ୍ରମୁଖ ଆର୍ଥିକ ସଂସ୍ଥା ମର୍ଗାନ ଷ୍ଟାନ୍‌ଲି କହିଛି ଯେ ଭାରତୀୟ ଅର୍ଥନୀତି ଦୃଢ଼ ହୋଇଥିବାର ଅନେକ ସଙ୍କେତ ମିଳୁଛି। ଆସନ୍ତା ବର୍ଷ ଏପ୍ରିଲ୍ ସୁଦ୍ଧା ଭାରତ ଉଚ୍ଚ ଅଭିବୃଦ୍ଧି ହାସଲ କରିବାର ସମ୍ଭାବନା ରହିଛି। ସେହିପରି ଇକ୍ରା ନାମକ ରେଟିଂ ଏଜେନ୍ସି ଆକଳନ କରିଛି ଯେ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ (୨୦୨୦ର ଜୁଲାଇ-ସେପ୍ଟେମ୍ବର) ଭାରତର ଅଭିବୃଦ୍ଧି ୯.୫% ହ୍ରାସ ପାଇବ। ପ୍ରଥମ ତ୍ରୟମାସ (ଏପ୍ରିଲ୍-ଜୁନ୍‌)ରେ ଭାରତର ଅଭିବୃଦ୍ଧି ୨୩.୯ ପ୍ରତିଶତ ହ୍ରାସ ପାଇବା ପରେ କରୋନା ମହାମାରୀ ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଶ ଭାବେ ଭାରତ ପରିଗଣିତ ହେଉଥିଲା। ମାତ୍ର ଦ୍ବିତୀୟ ତ୍ରୟମାସରେ ସ୍ଥିତିରେ ଦ୍ରୁତ ସୁଧାର ଘଟିଥିବା ଜଣାପଡ଼ୁଛି। ସରକାରଙ୍କ ତରଫରୁ ବ୍ୟୟ ବଢ଼ାଯାଇଥିବାରୁ ଅର୍ଥନୀତିରେ ହେଉଥିବା ଅବନତି ଅନେକାଂଶରେ ଅଟକି ଯାଇଛି ବୋଲି ଇକ୍ରା ପକ୍ଷରୁ କୁହାଯାଇଛି। ଦେଶର ଅନ୍ୟତମ ପ୍ରମୁଖ ରେଟିଂ ଏଜେନ୍ସି ମୁଡିସ୍‌ ପକ୍ଷରୁ ଆକଳନ କରାଯାଇଛି ଯେ ଭାରତର ଅଭିବୃଦ୍ଧି ୨୦୨୦-୨୧ରେ ୧୦.୬ ପ୍ରତିଶତ ହ୍ରାସ ପାଇବ। ନିଜର ପୂର୍ବ ଆକଳନକୁ ମୁଡିସ୍‌ ବଦଳାଇଛି। କେନ୍ଦ୍ର ସରକାର ଘୋଷଣା କରିଥିବା ପ୍ୟାକେଜ୍‌କୁ ଏହା ପ୍ରଶଂସା କରିବା ସହିତ ଅଭିବୃଦ୍ଧିରେ ହ୍ରାସ ଆଶା ଠାରୁ କମ୍ ରହିବ ବୋଲି କହିଛି। ପୂର୍ବରୁ ଏହି ସଂସ୍ଥା ଆକଳନ କରିଥିଲା ଯେ ଭାରତର ଅଭିବୃଦ୍ଧି ୧୧.୫ ପ୍ରତିଶତ ହ୍ରାସ ପାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ତୃତୀୟ ପ୍ୟାକେଜ୍‌ରେ ମାନୁଫାକ୍‌ଚରିଂ, ଭିତ୍ତିଭୂମି, ନିଯୁକ୍ତି ସୁଯୋଗ ସୃଷ୍ଟି, ଋଣ ଯୋଗାଣରେ ଉନ୍ନତି ଏବଂ ଚାପରେ ଥିବା କ୍ଷେତ୍ର ପ୍ରତି ଗୁରୁତ୍ବ ଦେଇଥିବାରୁ ମୁଡିସ୍‌ ଖୁସି ପ୍ରକଟ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ