ଏମବିକେ ନିଯୁକ୍ତି ବିବାଦ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତରେ ଓଡିଶା ଜୀବିକା ମିଶନ ପକ୍ଷରୁ ଏମବିକେ ପଦବୀ ପାଇଁ ପ୍ରାର୍ଥିନୀ ମାନଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରାଯାଇଥିଲା । ଏମବିକେ ପଦବୀ ପାଇଁ ୨୩ଜଣ ପ୍ରାର୍ଥିନୀ ସେମାନଙ୍କ କାଗଜପତ୍ର ବିଭାଗ ନିକଟରେ ଦାଖଲ କରିଥିଲେ । ତନ୍ମଧ୍ୟରୁ ଦୁଇଜଣ ଯୋଗ୍ୟ ପ୍ରାର୍ଥିନୀଙ୍କ ନାମ ଥିବା ତାଲିକା ପ୍ରକାଶ କରାଯାଇଥିଲା । ମାନସୀଲତା ବେହେରା ଓ ସୀମାଲତା ପରିଡା ଉକ୍ତ ତାଲିକାରେ ଯୋଗ୍ୟ ଥିବାବେଳେ ଅନ୍ୟ ସମସ୍ତଙ୍କୁ ଅଯୋଗ୍ୟ ଦର୍ଶାଯାଇଥିଲା । କୌଣସି କାରଣକୁ ନେଇ ପରବର୍ତ୍ତ ସମୟରେ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ସଭାନେତ୍ରୀଙ୍କ ଜରିଆରେ ଉକ୍ତ ତାଲିକାକୁ ବିଭାଗୀୟ ଅଧିକାରିଣୀ ଅସିଦ୍ଧ ଘୋଷଣା କରିବା ପାଇଁ ଯୋଜନା କରୁଥିବା ଯୋଗ୍ୟ ପ୍ରାର୍ଥିନୀ ଅଭିଯୋଗ କରିଛନ୍ତି । ଏନେଇ ଓଡିଶା ଜୀବିକା ମିଶନ ବ୍ଲକ ପ୍ରକଳ୍ପ ପରିଚାଳକ ପୀତବାସ ବିଶ୍ୱାଳଙ୍କ ମତାମତ ନେବାରୁ ଘଟଣା ସମ୍ପର୍କରେ ସେ ବିଶେଷ କିଛି ଜାଣିନଥିବା କହିଛନ୍ତି । ସେ ଏଠାକୁ ନୂଆ ଆସିଥିବାବେଳେ ଅନେକ ପୂର୍ବରୁ ତାଲିକା ତିଆରି କରାଯାଇଥିବା କଥା କହିଛନ୍ତି । ଉଭୟ ପକ୍ଷରୁ ବାଦ ବିବାଦ ଭିତ୍ତିକ ଅଭିଯୋଗ ଆସୁଥିବାବେଳେ ସେ ଏହାକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବେ ବୋଲି ଜଣାଇଛନ୍ତି ।