ଏରେଡା ଠାରେ ଖସିଲା ଦେବୀନଦୀ ପଠାରୁ ଅତଡା: ଲୋକ ଆତଙ୍କିତ

ନାଉଗାଁ, (ୱାଇଏନ୍‍ଏସ୍‍): ଗତ ଲଘୁଚାପ ଜନିତ ଲଗାଣ ବର୍ଷା ହେତୁ ଦେବୀନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ନଦୀରେ ବନ୍ୟା ଜଳ ପ୍ରବାହିତ ହେବା ଯୋଗୁ ନାଉଗାଁ ବ୍ଳକ ଅନ୍ତର୍ଗତ ଏରେଡା ଠାରେ ନଦୀପଠାରୁ ଅତଡା ଖସିବା ଦେଖାଦେଇଛି । ଯାହାଫଳରେ ନଦୀ କୂଳିଆବାସୀ ଆତଙ୍କିତ ହୋଇପଡିଛନ୍ତି । ଏହି ନଦୀର ଏରେଡା ଠାରେ ଏରେଡା ବାଲି ସୈରାତକୁ ଗତ ୫ବର୍ଷ ଧରି ତହସିଲ ପକ୍ଷରୁ ନିଲାମ ଦିଆଯାଇଥିଲା । ଏହି ବାଲି ସୈରାତରୁ ବାଲି ଉଠାଇବା ପାଇଁ ତହସିଲ ପକ୍ଷରୁ ଯେତିକି ସୀମା ନିର୍ଦ୍ଧାରଣ କରାଯାଇଥିଲା ତାହା ଠାରୁ ଅଧିକ ସୀମାକୁ ବାଲିମାଫିଆମାନେ ମନଇଚ୍ଛା ବାଲି ଖୋଳି ନେଇଯାଇଥିଲେ । ଦେବୀ ନଦୀ ପଠା ଖୋଲି ନେବା ଫଳରେ ନଦୀରେ ବନ୍ୟା ଆସିବା ଯୋଗୁ ଏରେଡା ଶ୍ମଶାନ ନିକଟ ପଠାରେ ୬୦ମିଟର ଲମ୍ବ ଓ ୮ମିଟର ଚଉଡାର ଅତଡା ଖାଉଥିବାର ଦେଖିବାକୁ ମିଳିଛି । ନଦୀପଠା ଦେଇ ବାଲି ବୋଝେଇ ଭାରିଯାନ ଯିବା ଆସିବା ଫଳରେ ନଦୀ ବନ୍ଧ ମଧ୍ୟ ଦୁର୍ବଳ ହୋଇ ଯାଇଛି । ଯାହାଫଳରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇଥିବାର ଦେଖିବାକୁ ମିଳିଛି । ବାଲି ସୈରାତରୁ ବାଲି ଉଠାଇବା ପାଇଁ ନିର୍ଦ୍ଦେଶାନାମା ପାଇଥିବା ନିଲାମାଧାରୀ ବାଲି ଉଠାଇବା ସହିତ ନଦୀପଠାର ସୁରକ୍ଷା ପାଇଁ ବୃକ୍ଷରୋପଣ କରିବାର ନିୟମ ରହିଛି । କିନ୍ତୁ ଗତ ୫ବର୍ଷରେ ଉକ୍ତ ବାଲି ସୈରାତକୁ ନିଲାମ ନେଇଥିବା ନିଲାମଧାରୀ ବୃକ୍ଷରୋପଣ କରିବା ତ ଦୁରର କଥା ନଦୀ ପଠାକୁ ତାଡି ନେଇଥିବା ଦେଖିବାକୁ ମିଳିଛି । ଯାହାଫଳରେ ଏରେଡାର ନଅ ଗୋଠ ପଡିଆ ଠାରେ ଅତଡା ଖାଉଥିବା ଦେଖିବାକୁ ମିଳିଛି । ନଦୀରେ ଅଧିକ ବନ୍ୟା ଜଳ ପ୍ରବାହିତ ହେଲେ ଜଳର ପ୍ରଖର ବୃଦ୍ଧି ପାଇବାରେ ଲାଗିବ । ଯାହାଫଳରେ ଅତଡା ଖାଉଥିବା ସ୍ଥାନରେ ନଦୀବନ୍ଧ ଭାଙ୍ଗିବାର ସମ୍ଭାବନା ମଧ୍ୟ ଯଥେଷ୍ଟ ରହିଛି । ଉକ୍ତ ବନ୍ଧ ଭାଙ୍ଗିଲେ ନାଉଗାଁ ବ୍ଳକର ଗଳଦାରୀ ପଂଚାୟତ ସମେତ ନିଆଳି ବ୍ଲକର ବହୁ ଅଂଚଳ ଜଳମଗ୍ନ ହେବାର ସମମ୍ଭାବନା ରହିଛି । ତେଣୁ ଅତଡା ଖାଇଥିବା ଦେବୀ ନଦୀ ବନ୍ଧକୁ ମରାମତି କରିବା ପାଇଁ ଗଳଦାରୀ ପଂଚାୟତ ସମିତି ସଭ୍ୟ ପ୍ରଭାତ କୁମାର ସ୍ୱାଇଁ, ଡମ୍ବୁରଧର ବସ୍ତିଆ, ଅମରଜିତ ସ୍ୱାଇଁ, ମନୋଜ କୁମାର ମହାନ୍ତି, ଅନୁପ ବିଶ୍ୱାଳ, ସୌଭାଗ୍ୟ ସ୍ୱାଇଁଙ୍କ ସମେତ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ