ଏ ବର୍ଷ ଓଡ଼ଶାକୁ ୩ କାୟାକଳ୍ପ ପୁରସ୍କାର

ଭୁବନେଶ୍ୱର : ୨୦୧୮-୧୯ବର୍ଷ ଲାଗି ସର୍ବଭାରତୀୟ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଛି । ଏଥିରେ ଓଡ଼ିଶାକୁ ୩ଟି ପୁରସ୍କାର ମିଳିଛି । ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଥମ ସ୍ଥାନରେ ରହିଥିବା ବେଳେ କ୍ୟାପିଟାଲ ହସ୍ପିଟାଲ ଦ୍ୱିତୀୟ ସ୍ଥାନରେ ରହିଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବର୍ଗରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରଥମ ପୁରସ୍କାର ହାସଲ କରିଛି । ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ୍ କନଭେନସନ ହଲରେ ଅନୁଷ୍ଠିତ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଯୋଗଦେଇ ସ୍ୱାସ୍ଥ୍ୟ ଅନୁଷ୍ଠାନମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ଲଗାତାର ଦ୍ୱିତୀୟଥର ଭୁବନେଶ୍ୱର ଏମ୍ସକୁ ମିଳିଛି କାୟାକଳ୍ପ ପୁରସ୍କାର । ସାମଗ୍ରିକ ସ୍ୱଚ୍ଛତା ରକ୍ଷା ପାଇଁ ଉଦ୍ଦିଷ୍ଟ ଏହି ପୁରସ୍କାର ବାବଦରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଭୁବନେଶ୍ୱର ଏମ୍ସକୁ ଏକ କୋଟି ଟଙ୍କା ପ୍ରଦାନ କରିଥିଲେ । ଦାଦ୍ରା ନଗର ହାବେଳି ଶ୍ରୀ ବିନୋବା ଭାବେ ସିଭିଲ ହସ୍ପିଟାଲକୁ ପ୍ରଥମ ପୁରସ୍କାର ମିଳିଥିବା ବେଳେ ଭୁବନେଶ୍ୱର ଏମ୍ସ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଏକ ହଜାରରୁ କମ୍ ଶଯ୍ୟା ବିଶିଷ୍ଟ ହସ୍ପିଟାଲମାନଙ୍କୁ ଗ୍ରୁପ୍  “ବି ‘ ଶ୍ରେଣୀଭୁକ୍ତ କରାଯାଇଥାଏ । ସମଗ୍ର ଦେଶରେ ଏହି ଗ୍ରୁପରେ ଭୁବନେଶ୍ୱର ଏମ୍ସ ପରିଚ୍ଛନ୍ନତା ଦୃଷ୍ଟିରୁ ଦ୍ୱିତୀୟ ସ୍ଥାନ ଅଧିକାର କରିବାର ଗୌରବ ଲାଭ କରିଛି । ୨୦୧୭-୧୮ ଆର୍ଥିକ ବର୍ଷରେ ଭୁବନେଶ୍ୱର ଏମ୍ସ ଏହି ପୁରସ୍କାର ଲାଭ କରିଥିଲା । ଚଳିତ ବର୍ଷ ଅର୍ଥାତ୍ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ମଧ୍ୟ ପୁଣିଥରେ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛି । ଭୁବନେଶ୍ୱର ଏମ୍ସ ନିର୍ଦେଶିକା ପ୍ରଫେସର ଗୀତାଞ୍ଜଳି ବାତ୍ମନବାନେ ଓ ହସ୍ପିଟାଲ ଅଧୀକ୍ଷକ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଧନଙ୍କ ନିକଟରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।  ଉଲ୍ଲେଖଯୋଗ୍ୟ, ୨୦୧୪ ମସିହାରୁ  “କାୟାକଳ୍ପ ‘ ପୁରସ୍କାର ଆରମ୍ଭ ହୋଇଛି । ଡାକ୍ତରଖାନା ପରିଚାଳନା, ପରିସ୍କାର ପରିଚ୍ଛନ୍ନତା, ସଂକ୍ରମଣ ପ୍ରତିରୋଧକ, ବର୍ଜ୍ୟବସ୍ତୁ ପରିଚାଳନା, ସହାୟକ ସେବା ଓ ହାଇଜେନିକ୍ ପ୍ରମୋସନ ଆଦି ବର୍ଗରେ ପୁରସ୍କାର ପ୍ରଦାନ କରାଯାଉଛି । ଗତବର୍ଷ ଠାରୁ ଡାକ୍ତରଖାନା ପରିସର ବାହାରେ ବିଭିନ୍ନ ବର୍ଗକୁ ସାମିଲ କରାଯାଇଛି । ଡାକ୍ତରଖାନାରେ ସ୍ୱଚ୍ଛତା ପାଇଁ ପ୍ରତିବର୍ଷ ଜିଲ୍ଳା, ଉପଖଣ୍ଡ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁରସ୍କୃତ କରାଯାଉଛି । ଗତବର୍ଷ ରାଜ୍ୟର ୬ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୫ଟି ଉପଖଣ୍ଡ ଚିକିତ୍ସାଳୟ, ୪୩ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୮୬ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ୪୨ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଜାତୀୟ ସ୍ୱାସ୍ଥ୍ୟ ମିସନ ନିର୍ଦେଶକ ମନୋଜ ଜିଲାନୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ ଉପସ୍ଥିତ ଥିଲେ । ଓଡ଼ିଶା ପକ୍ଷରୁ ଡା.ଶକ୍ତିବ୍ରତ ମହାନ୍ତି ରାୟଗଡ଼ା ପାଇଁ ପୁରସ୍କାର ଗ୍ରହଣ କରିଥିବା ବେଳେ କ୍ୟାପିଟାଲ ହସ୍ପିଟାଲ ପାଇଁ ନିର୍ଦେଶକ ଡା. ଅଶୋକ ପଟ୍ଟନାୟକ ଓ ଡୁଙ୍ଗୁରୁପାଲି ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଡା. ପାର୍ଥପ୍ରତିମ ପଣ୍ଡା ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଓଡ଼ିଶାର ଜାତୀୟ ସ୍ୱାସ୍ଥ୍ୟ ମିସନ୍ ତରଫରୁ ଡା. ବିଜୟ କୁମାର ସ୍ୱାଇଁ ଓ ଡା. ମନୋରଂଜନ ମହାପାତ୍ର ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ