ଓଡ଼ିଶାର ପ୍ରଜ୍ଞାପନ ମେଢକୁ ବାଦ୍ ଦେବା କେନ୍ଦ୍ରର ହୀନ ରାଜନୀତି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଗାମୀ ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର ପ୍ରଜ୍ଞାପନ ମେଢକୁ ପୁନରାୟ ବାଦ୍ ଦେବା ଓଡ଼ିଶା ପ୍ରତି କେନ୍ଦ୍ରର ଏକ ବୈମାତୃକ ମନୋଭାବ ବୋଲି ମନେହୁଏ । କେଉଁ ଆଧାରରେ ଓଡ଼ିଶାର ପ୍ରଜ୍ଞାପନ ମେଢକୁ ବାରମ୍ବାର ୨୦୨୧, ୨୦୨୨, ୨୦୨୩ରେ ବାଦ୍ ଦିଆଯାଇଛି । ଓଡ଼ିଶାର କଳା ଓ ସଂସ୍କୃତିକୁ କେନ୍ଦ୍ର ସରକାର ଅବହେଳା, ହୀନମନ୍ୟତା କରିଥିବାରୁ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ରାଜ୍ୟ ସଭାପତି ଅଶୋକ ପାଲଟାସିଂହ କେନ୍ଦ୍ର ସରକାରଙ୍କୁ ତୀବ୍ର ନିନ୍ଦା କରିଛନ୍ତି । କଳାର ଚାତୁରୀ ପାଇଁ ଏ ରାଜ୍ୟ ଉତ୍କଳ । ଚଳିତବର୍ଷ କଟକ ବାଲିଯାତ୍ରାକୁ ସୁଦୂର ବାଲିଦ୍ୱିପରେ ମାନ୍ୟବର ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରି ଉତ୍କଳୀୟ କଳାର ଅବତାରଣ କରିଥିଲେ । ପରନ୍ତୁ ପ୍ରତ୍ୟେକବର୍ଷ ସାଧାରଣତନ୍ତ୍ର ଦିବସରେ ପ୍ରଜ୍ଞାପନ ମେଢ ମାଧ୍ୟମରେ ଓଡ଼ିଶାର କଳାକୁ ସମଗ୍ର ଦେଶ ନୁହେଁ, ବିଶ୍ୱର କୋଣ ଅନୁକୋଣର ଜନସାଧାରଣ ଦେଖିବାର ସୁଯୋଗ ପାଇଥାଆନ୍ତି । ପରନ୍ତୁ ଚୟନକର୍ତ୍ତାମାନେ କେଉଁ ଆଧାରରେ ଏହାକୁ ବାଦ୍ ଦେଉଛନ୍ତି ବା ହୀନ ରାଜନୈତିକ ଅଭିସନ୍ଧି ରଖି ଏହା କରାଯାଉଛି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସଂସ୍କୃତି ବିଭାଗ ଏହା ଉପରେ ତଦନ୍ତ କରିବାକୁ ପାଇକ ମହାସଂଘ ଦାବି କରିଛି ।ଚଳିତବର୍ଷ ‘ପାଇକ ଆଖଡ଼ା’ ଓ ଦେଶ ସ୍ୱାଧୀନତାରେ ସହଦ ହୋଇଥିବା ଓଡ଼ିଶାର ମହାନ୍ ଜନ ନାୟକଙ୍କୁ ନେଇ ପ୍ରଜ୍ଞାପନ ମେଢ ପ୍ରସ୍ତୁତ କରିବାକୁ ରାଜ୍ୟ ସରକାରଙ୍କୁ ନିଖିଳ ଓଡ଼ିଶା ପାଇକ ମହାସଂଘ ପ୍ରସ୍ତାବ ଦେଇଥିଲା । ରାଜ୍ୟ ସରକାର ଏହା ଉପରେ ପଦକ୍ଷେପ ନେଲେନାହିଁ । କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ବାରମ୍ବାର ଓଡ଼ିଶା ପ୍ରତି ଚରମ ଅବହେଳା ପ୍ରଦର୍ଶନ କରି ଚାଲିଛନ୍ତି । ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ‘ପାଇକ ବିଦ୍ରୋହ’କୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ନ କରିବା ଏକ ବିଡ଼ମ୍ବନାର ବିଷୟ । କେନ୍ଦ୍ର ସରକାର ବାରମ୍ବାର ଏହି ହୀନ ରାଜନୀତିକୁ ମହାସଂଘର କର୍ମକର୍ତ୍ତାମାନେ ତୀବ୍ର ବିରୋଧ କରିବା ସହିତ ଆଗାମୀ ଦିନରେ କେନ୍ଦ୍ରକୁ କଡ଼ା ଜବାବ ଦେବାକୁ ମହାସଂଘ ଚେତାବନୀ ଦେଇଛି । ଏହି ନିନ୍ଦା ପ୍ରସ୍ତାବକୁ ମହାସଂଘର ରାଜ୍ୟ ସଂଯୋଜକ କେଦାର ଦାସ, ସାଧାରଣ ସମ୍ପାଦକ ପ୍ରଫେସର ଗାୟନ ସାମଲ, କଟକ ଜିଲ୍ଲା ସଭାପତି ରାଜକିଶୋର ବେହେରା, ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ମୁଖପାତ୍ର ରାଜୀବ ନୟନ ରଥ, ଉପଦେଷ୍ଟା ବିଭୂତି ସ୍ୱାଇଁ, ଢେଙ୍କାନାଳ ସଭାପତି ବନ ସାମଲ, ଜଗତସିଂହପୁର ସଭାପତି ବିଦ୍ୟାଧର ନାୟକ, ପାଇକଗୁରୁ ଭାସ୍କର ସୁନ୍ଦରାୟ, କଣାସ ଦଳବେହେରା ମନୋରଞ୍ଜନ ପଶ୍ଚିମ କବାଟ ପ୍ରମୁଖ ତୀବ୍ର ନିନ୍ଦା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ