ମିଲେଟ ମିଶନ ନାଁରେ ଚାଲିଛି ମହାଲୁଟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମିଲେଟ ମିଶନ ନାମରେ ସରକାର ପ୍ରଚାର କରି ଆକାଶ ପାତାଳ ଏକ କରି ଦେଉଛନ୍ତି । ଏଭଳିକି ଭୁବନେଶ୍ୱରର ପ୍ରମୁଖ ସ୍ଥାନମାନଙ୍କରେ ବଡ଼ ବଡ଼ ହୋର୍ଡ଼ିଂ ଲାଗିଛି ସରକାର ମାଣ୍ଡିଆ ଦିବସ ପାଳନ କରୁଛନ୍ତି ଏବଂ ଏଥିପାଇଁ ଅନୁଦାନ ମଧ୍ୟ ବୃଦ୍ଧି ପାଇଛି । ଚଳିତବର୍ଷ ପାଖାପାଖି ୧୧୪ ବ୍ଲକରେ ମାଣ୍ଡିଆ ଚାଷ ସରକାର କରିଛନ୍ତି ବୋଲି କହୁଛନ୍ତି । ଗୋଟିଏ ବ୍ଲକରେ ପାଖାପାଖି ୫୮ ଲକ୍ଷ ଟଙ୍କା ଅନୁଦାନ ଏଥିପାଇଁ ଖର୍ଚ୍ଚ ହେଉଛି । କିନ୍ତୁ ମିଟିଂ, ଭିିଜିଟିଙ୍ଗ, କାପାସିଟି ବିଲ୍ଡ଼ିଙ୍ଗ ଓ ବିଭିନ୍ନ ଉତ୍ସବ ପାଳନରେ ମିଲେଟ ମିଶନର ଯେତେ ଅର୍ଥ ବରାଦ ହେଉଛି, ସେତିକି ଅର୍ଥ ଚାଷୀଙ୍କ ପାଖରେ ପହଞ୍ଚୁ ନାହିଁ । ହଜାର ହଜାର ହେକ୍ଟର ମାଣ୍ଡିଆ ଚାଷ ହୋଇଛି ବୋଲି ସରକାର ଯେତେ ପ୍ରଚାର କଲେ ବି, ତୃଣମୂଳସ୍ତରରେ ସତ ହେଉଛି ଏସବୁ ମହାକାଳଫଳ ଭଳି ମିଛ । ବର୍ଷ ବର୍ଷ ଧରି ଚାଷୀମାନେ ମାଣ୍ଡିଆ ଚାଷ ନ କରିଥିଲେ ସୁଦ୍ଧା ସେମାନଙ୍କ ନାମ ପଞ୍ଜିକରଣ କରାଯାଇ ପଇସା ଉଠାଯାଉଛି । ଫୁଲବାଣୀର ଫିରିଙ୍ଗିଆ ବ୍ଲକରେ ନିରୋଳା ଗଞ୍ଜେଇ ଚାଷ ହେଲାବେଳେ ଓ କୋଟଗଡ଼ରେ ନଗଣ୍ୟ ଚାଷ ହୋଇଥିଲା ବେଳେ ସେଠାରେ ଢେର ମାଣ୍ଡିଆ ଚାଷ ହେଉଛି ବୋଲି ରିପୋର୍ଟ ଦିଆଯାଉଛି । ସେହିଭଳି କୋରାପୁଟର ରାୟଗଡ଼ା, ମୁନିଗୁଡ଼ା ବ୍ଲକରେ କମ୍ ଚାଷ କରାଯାଇ ବ୍ୟାପକ ପ୍ରଚାର କରାଯାଉଛି । ଗଜପତି ଜିଲ୍ଲାର ଗୋସାଣି, କାଶୀନଗର ଭଳି ଧାନ ହେଉଥିବା ଅଞ୍ଚଳରେ ମାଣ୍ଡିଆ ହେଉଥିବା ମିଛରେ ଦର୍ଶାଯାଉଛି । ସେହିଭଳି ଗୁମା ବ୍ଲକରେ ୭/୮ଟି ପଞ୍ଚାୟତରେ ଚାଷ ନଗଣ୍ୟ ହୋଇଥିବା କୁହାଯାଉଛି । ଯଦି କୌଣସି ସାମ୍ବାଦିକ ଡିଓ, ଡିଡିଙ୍କ ଦେଖା କରିବାକୁ ଚାହୁଁଛନ୍ତି ତେବେ ସାର୍ ଭିସିରେ ଅଛନ୍ତି, ସାର୍ କ୍ଷେତ୍ର ପରିଦର୍ଶନ ଯାଇଛନ୍ତି ବୋଲି କହୁଛନ୍ତି । ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ଯେ, ତୃଣମୂଳସ୍ତରର ବାସ୍ତବ କାର୍ଯ୍ୟକ୍ରମର ରୂପାୟନକୁ ଜିଲ୍ଲା ପ୍ରଶାସନ ଓ କୃଷି ଅଧିକାରୀ ସାମ୍ବାଦିକଙ୍କୁ ଦେବାକୁ ରାଜି ନୁହଁନ୍ତି । ଗଜପତି ଜିଲ୍ଲାର ଆର. ଉଦୟଗିରି ଅଞ୍ଚଳରେ ଏକ ପଞ୍ଚାୟତରେ ମିଲେଟ ମିଶନ ନେଇ ବିଡ଼ିଓ ଏବଂ ତାଙ୍କର ସହଯୋଗୀମାନେ ସଭା କରୁଥିବା ବେଳେ ମାଣିକ ପାଇକ ନାମକ ଜଣେ ଚାଷୀ ମାଣ୍ଡିଆ କେଉଁଠି ଚାଷ ହେଉଛି ବୋଲି ପଚାରିଥିଲେ । ଗାଁର ତିନିଜଣ ଦଲାଲ ଆମେ ମାଣ୍ଡିଆ ଚାଷ କରୁଛୁ ବୋଲି କହିଲା ବେଳେ ଶ୍ରୀ ମାଣିକ ତୁ କେଉଁଠି ଚାଷ କରିଛୁ କହ ବୋଲି କହିବାରୁ ବିଡ଼ିଓ ସଭାସ୍ଥଳ ଛାଡ଼ି ଚାଲି ଯାଇଥିଲେ । ଯେଉଁ ବ୍ଲକରେ ୫୦ ହେକ୍ଟର ଚାଷ କରାଯାଇଛି, ତାହାକୁ ୨୫୦ ହେକ୍ଟର ବୋଲି ଦେଖାଯାଉଛି । ବିଭିନ୍ନ ପ୍ରଶିକ୍ଷଣରେ ମିଲ୍ ପିଛା ୨୫୦/୩୦୦ ବିଲ୍ କରାଯାଇ ୬୦ ଟଙ୍କାର ମିଲ୍ ଆଦିବାସୀ ଚାଷୀମାନଙ୍କୁ ଖାଇବାକୁ ଦିଆଯାଉଛି । ଦୁଇ ଚାରିଟା ମିଟିଂ କରି ତାଠାରୁ ଢେର ଅଧିକ ମିଟିଂର ବିଲ୍ ନିଆଯାଉଛି । ସେହିଭଳି ଭିଜିଟିଙ୍ଗ, ଟ୍ରେନିଂ ଓ କାପାସିଟି ବିଲଡିଙ୍ଗର ବଜେଟ ଚଳିତ ଥର ମିଲେଟ ମିଶନରେ ବଢାଇ ଦିଆଯାଇଥିବା ବେଳେ ଚାଷୀଙ୍କୁ ହେକ୍ଟର ପିଛା ଆର୍ôଥକ ପ୍ରୋତ୍ସାହନ ଆଖିଦୃଶିଆ ବଢିନାହିଁ । ବିନା ମାଣ୍ଡିଆରେ, ମାଣ୍ଡିଆ ନାମରେ ସରକାର ପୁରସ୍କାର ପାଇସାରିଲେଣି । କିନ୍ତୁ ମାଣ୍ଡିଆ ଚାଷର ଶୁନ । ଆଗରୁ ଆମେ ଟଙ୍କିକିଆ ଚାଉଳ ରିସାଇକେଲିଙ୍ଗ କଥା ଶୁଣିଥିଲୁ । ଏବେ ମାଣ୍ଡିଆ ରିସଂଇକେଲିଙ୍ଗ ଚାଲିଛି । ଏନ୍ଜିଓମାନେ ଚାଷ ନକରି ବ୍ୟାକୁଳ ହୋଇ ଚାଷୀଙ୍କ ଠାରୁ ପୁରୁଣା ମାଣ୍ଡିଆ ଖୋଜୁଛନ୍ତି । ସେହିଭଳି ଛତିଶଗଡ଼, ଆନ୍ଧ୍ର ମାଫିଆ ୨୦ ଟଙ୍କାରେ ମାଣ୍ଡିଆ କିଣି ଏଠାରେ ଢେର ଅଧିକ ଦରରେ ବିକ୍ରି କରୁଛନ୍ତି ଯାହା ସରକାରଙ୍କ ଆଢୁଆଳରେ ରହିଯାଇଛି । ମାଣ୍ଡିଆ କାଫେରେ ଯେଉଁ ପିଠା ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରାଯାଉଛି ତାକୁ ମଧ୍ୟ ଅନ୍ୟମାନେ ଭେଜାଲ କରି ପ୍ରସ୍ତୁତ କରୁଛନ୍ତି । ମାଣ୍ଡିଆ ଚାଷରେ ସରକାରଙ୍କ ଆଗ୍ରହ ସ୍ୱାଗତଯୋଗ୍ୟ । କିନ୍ତୁ ସେହି ଅର୍ଥକୁ କିଛି ଆନ୍ଧ୍ର ଏନ୍ଜିଓ ଓ ପଦାଧିକାରୀ ଯେଭଳି ଭାବରେ ଆଖିବୁଜି ଲୁଟ କରୁଛନ୍ତି ତାହା ତଦନ୍ତ ପାଇଁ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଦାବି କରିଛନ୍ତି ।


