ଓଡ଼ିଶା ହେମାଟୋଲୋଜି ସଂଗଠନର ବାର୍ଷିକ ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା):ରକ୍ତ ଜନିତ ରୋଗ ଚିକିତ୍ସକଙ୍କୁ ନେଇ ଗଠିତ ‘ଓଡ଼ିଶା ହେମାଟୋଲୋଜି’ ସଂଗଠନର ତ୍ରୟୋଦଶ ବାର୍ଷିକ ସମ୍ମିଳନୀ ବାମପଦା ସ୍ଥିତ ନୋସି ବିଜନେସ ପାର୍କ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଇଣ୍ଡିଆନ୍ ମେଡିକାଲ ଆସୋସିଏସନର ବାଲେଶ୍ୱର, ଭଦ୍ରକ ଓ ବାରିପଦା ଚାପ୍ଟର ସହଯୋଗରେ ଆୟୋଜିତ ଏହି ସମ୍ମିଳନୀକୁ ମୁଖ୍ୟଅତଥି ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ସନ୍ତୋଷ କୁମାର ତ୍ରିପାଠୀ ଉଦଘାଟନ କରିଥିଲେ । ସମ୍ପ୍ରତିକ ସମାଜରେ ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ସ୍ୱରୂପ ଭାବେ ବିବେଚନା କରାଯାଉଥିବା ବେଳେ ସେମାନଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଆଧୁନିକ ଚିକିତ୍ସା ପ୍ରଣାଳୀ ହିଁ ତାହା ପ୍ରମାଣିତ କରୁଛି ବୋଲି ମତପ୍ରକାଶ କରିଥିଲେ । ଫକୀର ମୋହନ ସରକାରୀ ମେଡିକାଲ କଲେଜର ଉପାଧ୍ୟକ୍ଷା ପ୍ରଫେସର ଡାକ୍ତର ମନୋରମା ସ୍ୱାଇଁ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଦିନକୁ ଦିନ ବଢ଼ିଚାଲିଥିବା ରକ୍ତ ଜନିତ ରୋଗର ପ୍ରତିଷେଧକ ଓ ନିରାକରଣ ବାବଦରେ ଡାକ୍ତରମାନଙ୍କ ପାଇଁ ଏହି ସମ୍ମିଳନୀ ବେଶ ସହାୟକ ହେବ ବୋଲି କହିଥିଲେ । ଓଡ଼ିଶା ହେମାଟୋଲୋଜି ସଂଗଠନର ସଭାପତି ପ୍ରଫେସର ଡାକ୍ତର ନିରଞ୍ଜନ ତ୍ରିପାଠୀ ଏଥିରେ ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ତଥା କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ହେମାଟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନା ବିବରଣୀ ଉପସ୍ଥାପନ ସହ କେନ୍ଦ୍ର ସରକାରଙ୍କ ‘ଆନେମିଆ ମୁକ୍ତ ଭାରତ’ ଓ ‘ଜାତୀୟ ସିକଲ ସେଲ ମିଶନ’ର ସଫଳ ରୂପାୟନ ସମ୍ପର୍କରେ ଆଲୋକପାତ କରିଥିଲେ ।ଏହି ସମ୍ମିଳନୀରେ ଆନେମିଆ ଓ ସିକଲ ସେଲ ରୋଗ ସମେତ ରକ୍ତ କର୍କଟ ରୋଗର ଚିକିତ୍ସା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ବିଶେଷଜ୍ଞମାନେ ଲ୍ୟୁକେମିଆ, ଲିମ୍ଫୋମା, ମାୟେଲୋମା ପ୍ରଭୃତି ବିଭିନ୍ନ ପ୍ରକାର ବ୍ଲଡ କ୍ୟାନସର ରୋଗର ନିଦାନ ଓ ଚିକିତ୍ସା କ୍ଷେତ୍ରରେ ଆସିଥିବା ଅତ୍ୟାଧୁନିକ ବ୍ୟବହାରିକ ପରିବର୍ତନ ତଥା ପରିଚାଳନା ସମ୍ପର୍କରେ ଡାକ୍ତରସମୂହଙ୍କୁ ଅବଗତ କରିଥିଲେ । ଇଣ୍ଡିଆନ୍ ମେଡିକାଲ ଆସୋସିଏସନର ବାଲେଶ୍ୱର ଚାପ୍ଟର ସଭାପତି ଡାକ୍ତର ବିଜୟ କୁମାର ପଣ୍ଡା, ଭଦ୍ରକ ଚାପ୍ଟର ସଭାପତି ଡାକ୍ତର ରବୀନ୍ଦ୍ର କୁମାର ନାୟକ ଓ ବାରିପଦା ଚାପ୍ଟର ସଭାପତି ଡାକ୍ତର ଶିବାନନ୍ଦ ମହାନ୍ତି ପ୍ରମୁଖ ଏଥିରେ ମଂଚାସୀନ ହୋଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଓଡିଶା ହେମାଟୋଲୋଜିର ସଂଗଠନ ସମ୍ପାଦକ ତଥା ଭୂବନେଶ୍ୱର ଏମ୍‌ସର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ଆଶୁତୋଷ ପାଣିଗ୍ରାହୀ ସମ୍ମିଳନୀ ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ମିଳନୀ ଆୟୋଜନ କମିଟିର ସଂଯୋଜକ ଡାକ୍ତର ନବ କିଶୋର ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ