ଓଡିଆ ଯୁବ ଶିଳ୍ପଦ୍ୟୋଗୀ ରଞ୍ଜନ କୁମାର ଲେଙ୍କାଙ୍କ ଅକାଳ ବିୟୋଗ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଭଣ୍ଡାରଗଢିଆ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ଲେଙ୍କାଙ୍କ ପୁତ୍ର ତଥା ଦିଲ୍ଲୀର ଓଡିଆ ଯୁବ ଶିଳ୍ପଦ୍ୟୋଗୀ ରଞ୍ଜନ କୁମାର ଲେଙ୍କା(୪୫)ଙ୍କର ମଙ୍ଗଳବାର ଅକାଳ ବିୟୋଗ ଘଟିଛି । ପ୍ରକାଶ ଯେ, ରଞ୍ଜନ ୧୯୯୨ ମସିହାରେ ନିଳୋକ ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରି ହାଟଡିହୀ କଲେଜରେ ଯୁକ୍ତ ଦୁଇ ବାଣିଜ୍ୟ ଓ ଆନନ୍ଦପୁର କଲେଜରେ ଯୁକ୍ତ ତିନି ବାଣିଜ୍ୟ ପାସ୍ କରିଥିଲେ । ପରେ କଲିକତାରେ କଷ୍ଟିଂ ଓ ନିଟ୍ ପାଠ ପଢିଥିଲେ । ପରେ ୧୯୯୭ ମସିହାରେ ଦିଲ୍ଲୀ ଯାଇ ସେଠାରେ ଆଇନ୍ ଏବଂ ଏମ୍.ବି.ଏ ପାସ୍ କରି ବିଭିନ୍ନ୍ କମ୍ପାନୀରେ କାର୍ଯ୍ୟ କରିଥିଲେ । ପରେ ସୁଦୂର ଜୋଡାନ୍ ଯାଇ କାର୍ଯ୍ୟ କରିଥିଲେ । ପରେ ଦିଲ୍ଲୀ ଫେରିଆସି ନିଜେ ବ୍ୟବସାୟ ପ୍ରତିଷ୍ଠାନ କରିଥିଲେ । ଦୀର୍ଘ ୨୩ ବର୍ଷ ଧରି ସେ କଠୋର ପରିଶ୍ରମ କରି ସ୍ୱାବଲମ୍ବୀ ହୋଇପାରିଥିଲେ । ସେଠାରେ ସେ ପରିବାର ସହିତ ରହିଆସୁଥିଲେ । ଏପରିପେକ୍ଷୀରେ ଗତ ୨୦୧୯ ମସିହାରେ ସେ ସେଲ୍ଫ୍ ଟ୍ୟୁମର ରୋଗରେ ପିଡିତ ହୋଇ ଦିଲ୍ଲ୍ୀର ବିଭିନ୍ନ ମେଡିକାଲ ସମେତ ଏମ୍ସ ହସପିଟାଲରେ ଚିକିତ୍ସିତ ହେଉଥିଲେ । ପରିବାରଲୋକେ ତାଙ୍କୁ ଦିଲ୍ଲୀରୁ ଘରକୁ ଆଣିବା ରାସ୍ତାରେ ମଙ୍ଗଳବାର ସକାଳ ସମୟରେ ତାଙ୍କର ପରଲୋକ ଘଟିଥିଲା । ସେ ଜଣେ ମେଧାବୀ, ମେଳାପୀ, ମିଷ୍ଠଭାଷୀ ଯୁବଉଦ୍ୟୋଗୀ ଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ଅକାଳ ବିୟୋଗରେ ପତ୍ନୀ ଜଲି, ପୁଅ ରବିକିରଣ, ଝିଅ ରାଜନନ୍ଦିନୀଙ୍କ ସମେତ ସମସ୍ତ ପରିବାରବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ତାଙ୍କ ମରଶରୀର ନିଜ ଗ୍ରାମରେ ପହଞ୍ôଚ ନଥିବାର ଜଣାଯାଇଛି ।


