ଓଡିଶା କୃଷକସଭାର ସପ୍ତମ କେନ୍ଦ୍ରାପଡା ଜିଲ୍ଲା ସମ୍ମିଳନୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଐତିହାସିକ କୃଷକ ଆନ୍ଦୋଳନର ମୁଖ୍ୟ ଅଂଶୀଦାର ଅଖିଳ ଭାରତ କୃଷକ ସଭା (ଏଆଇକେଏସ)ଅନୁବନ୍ଧିତ ଓଡିଶା କୃଷକସଭାର କେନ୍ଦ୍ରାପଡା ଜିଲ୍ଲା ସପ୍ତମ ସମ୍ମିଳନୀ କୃଷକ ଆନ୍ଦୋଳନର ଅନ୍ୟତମ କେନ୍ଦ୍ର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନଜରିଆ ଠାରେ ଗତ ୧୮ ଓ ୧୯ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ସମସ୍ତ କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା ପାଇଁ ଆଇନ କରିବା, ଧାନ ମୂଲ୍ୟ ସର୍ବନିମ୍ନ ୩ହଜାର ଟଙ୍କା ଦେବା, ଭାଗଚାଷୀମାନଙ୍କୁ ମାନ୍ୟତା ପ୍ରଦାନ କରିବା, ପ୍ରତି ପଞ୍ଚାୟତରେ ଧାନମଣ୍ଡି ଖୋଲିବା, ଜିଲ୍ଲାରେ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରିବା, ଜଳସେଚନ, ଜଳ ନିଷ୍କାସନ ସହିତ ବନ୍ୟା ମରୁଡିର ସ୍ଥାୟୀ ପ୍ରତିକାର କରିବା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, କେନ୍ଦ୍ରାପଡାରୁ ଯାତ୍ରିବାହୀ ରେଳ ଚଳାଚଳ କରିବା ଓ ଦର ବୃଦ୍ଧି ରୋକିବା ପ୍ରଭୃତି ଦାବିରେ ଅନୁଷ୍ଠିତ ଏହି ସମ୍ମିଳନୀର ପ୍ରଥମ ଦିନ୧୮ତାରିଖ ଅପରାହ୍ନରେ ସ୍ଥାନୀୟ ମେଡିକାଲ ଛକରେ ଶହ ଶହ ଲୋକଙ୍କର ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଓଡିଶା କୃଷକ ସଭାର ସାଧାରଣ ସମ୍ପାଦକ, କୃଷକ ଆନ୍ଦୋଳନର ମହାରଥୀ ସୁରେଶ ପାଣିଗ୍ରାହୀ କହିଲେ ଐତିହାସିକ କୃଷକ ଆନ୍ଦୋଳନ ପ୍ରମାଣ କରିଦେଲା ଶାସକ ମଥାନତ କରିପାରେ । ସେଥିପାଇଁ ୭୧୫କୃଷକଙ୍କୁ ପ୍ରାଣବଳୀ ଦେବାକୁ ପଡିଲା । କିନ୍ତୁ ମୂଳକଥା ହେଉଛି କୃଷିଜାତ ପଦାର୍ଥର ଏମ.ଏସ.ପି. ପାଇଁ ଏପର୍ଯ୍ୟନ୍ତ ଆଇନ ହେଲାନାହିଁ । ଏଥିପାଇଁ ଆମକୁ ଆହୁରି ଏକାଠି ହୋଇ ଲଢେଇ କରିବାକୁ ପଡିବ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା କୃଷକ ସଭାର ସଭାପତି ଜମେଶ୍ୱର ସାମନ୍ତରାୟ, ଜିଲ୍ଲା ସମ୍ପାଦକ ଗୟାଧର ଧଳ, ବରିଷ୍ଠ ନେତା କାଳୀ ପ୍ରାସାଦ ନାୟକ, ବାବାଜୀ ପରିଡା, ନରୋତ୍ତମ ପାର୍ଥସାରଥୀ, ଆଡଭୋକେଟ ପ୍ରଫୁଲ୍ଲ ଦାଶ, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ, କବି, ପରିବେଶବିତ ହେମନ୍ତ କୁମାର ରାଉତ, ସମ୍ପାଦକ ବିଜୟ ଦାସ, କୃଷକନେତା ପ୍ରଫୁଲ୍ଲ କୁମାର ଦାଶ ଓ ସାମ୍ବାଦିକ ଆଶିଷ ସେନାପତି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସଭାରେ ସଭାପତିତ୍ୱ କରିଥିଲେ ଉମେଶ ଚନ୍ଦ୍ର ସିଂହ । ଦ୍ୱିତୀୟ ଦିନ ସଂଗଠନର ପତାକା ଉତ୍ତୋଳନ ପରେ ସ୍ଥାନୀୟ ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ଘରୋଇ ଅଧିବେଶନ ଆରମ୍ଭ ହୋଇଥିଲା । ରାଜ୍ୟ ସଭାପତି ଜଜମେଶ୍ୱର ସାମନ୍ତରାୟ ସମ୍ମିଳନୀକୁ ଉଦଘାଟନ କରିବା ପରେ ଜିଲ୍ଲାରେ କୃଷି ଓ କୃଷକମାନଙ୍କ ସମସ୍ୟା ଏବଂ ତା’ର ପ୍ରତିକାର ଉପରେ ଶତାଧିକ ପ୍ରତିନିଧି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରେ ତିନୋଟି ପ୍ରସ୍ତାବ ଯଥା କେନ୍ଦ୍ରାପଡା ଜିଲ୍ଲାକୁ ଯାତ୍ରୀବାହୀ ରେଳ ଚଳାଚଳ କରିବା, କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନ ପ୍ରଣୟନ କରିବା, ଜଳସେଚନ, ଜଳନିଷ୍କାସନ ଓ ବନ୍ୟା ମରୁଡିର ସ୍ଥାୟୀ ପ୍ରତିକାର ଦାବିରେ ଆନ୍ଦୋଳ ପାଇଁ ପ୍ରସ୍ତାବ ଗୃହିତ ହୋଇଛି । ଶେଷରେ ଆଗାମୀ ତିନିବର୍ଷ ପାଇଁ ଏକ ୧୭ଜଣିଆ ଜିଲ୍ଲା କମିଟି ନିର୍ବାଚିତ ହେବା ସହିତ ଗୟାଧର ଧଳ ସଭାପତି, ଧନେଶ୍ୱର ରାଉତ ଓ ପ୍ରଫୁଲ୍ଲ କୁମାର ଦାଶ ଉପସଭାପତି, ବିଜୟ ଦାସ ସମ୍ପାଦକ ଏବଂ କୃତ୍ତିବାସ ଦାସ ଓ ରଞ୍ଜନ କୁମାର ସ୍ୱାଇଁ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ । ଆସନ୍ତା ନଭେମ୍ବରମାସ ୧୫ ଓ ୧୬ତାରିଖରେ ପୁରୀର ବ୍ରହ୍ମଗିରି ଠାରେ ଅନୁଷ୍ଠିତ ହେଉଥିବା ସଂଗଠନର ରାଜ୍ୟ ସମ୍ମିଳନୀକୁ ଜିଲ୍ଲାରୁ ୧୦ଜଣ ପ୍ରତିନିଧି ଯୋଗଦେବାକୁ ସ୍ଥିର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ