ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ “ମୁଁ ବି ଲେଖକ ହେବି” କର୍ମଶାଳା ଅନୁଷ୍ଠିତ
ମୋହନା, (ଅଂଶୁମାନ ପଣ୍ଡା):ଓଡିଶା ସାହିତ୍ୟ ଏକାଡେମୀ ଏବଂ ସ୍ଥାନୀୟ ହିଲଟପ ସ୍ନାତକ ମହାବିଦ୍ୟାଳୟ ସହଯୋଗରେ ଏକ ଦିବସୀୟ କର୍ମଶାଳା ମହାବିଦ୍ୟାଳୟ ସଭାଗୃହରେ ଯୁକ୍ତତିନି ଅଧ୍ଯକ୍ଷ ଶୁଭ୍ରକାନ୍ତ ମହାନ୍ତିିଙ୍କ ସଭାପତିତ୍ତ୍ଵରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଉଚ୍ଚଶିକ୍ଷା ବିଭାଗ ଦକ୍ଷିଣାଞ୍ଚଳ ନିର୍ଦ୍ଦେଶକ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡିଆ ଭାଷାର ବିକାଶ ସହ ବ୍ୟାକରଣ ଶିକ୍ଷାକୁ ପ୍ରାଧାନ୍ୟ ଦେବା ନିମନ୍ତେ ଆହ୍ୱାନ ଦେଇଥିଲେ। ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ କବି ବିପିନ ନାୟକ ମୁଖ୍ୟ ବକ୍ତାଭାବେ ଯୋଗଦେଇ କବିତାର ବିଭିନ୍ନ ଆଙ୍ଗିକ ଓ ଆତ୍ମିକ ବିକାଶ ସଂପର୍କରେ ମତବ୍ୟକ୍ତ କରିଥିଲେ।ସମ୍ମାନୀତ ଅତିଥି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଭାଷାର ସୁରକ୍ଷା ଓ ଅଭିବୃଦ୍ଧିରେ ଶବ୍ଦର ଭୂମିକା କ୍ଷେତ୍ରରେ ଗଜପତି ଜିଲ୍ଲାର ଅବଦାନକୁ ବର୍ଣ୍ଣନା କରିଥିଲେ। ଦ୍ଵିତୀୟ ଅଧିବେଶନରେ “ମୁଁ ବି ଲେଖକ ହେବି” ଶୀର୍ଷକ କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଅଧ୍ୟାପକ ଡ.ଅଜୟ କୁମାର ତ୍ରିପାଠୀ ଯୋଗଦେଇ ଲେଖକ ହେବା ନିମନ୍ତେ ସର୍ବନିମ୍ନ ଆବଶ୍ୟକତା ମାନବୀୟ ପ୍ରତିକ୍ରିୟା, ଆବେଗ ଓ କଳ୍ଚନାର ସମଷ୍ଟି ତଥା ସାମାଜିକ ପ୍ରୋତ୍ସାହନକୁ ବିଶେଷ ଭାବରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଚିବ ଡ.କୁଳମଣି ଓଝା ଓଡିଆ କବିତାର ଧାରା ଓ ଧରା ସମ୍ପର୍କରେ ଓ ଓଡିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ ତଥା ଜନସେବକ ବିଚିତ୍ରାନନ୍ଦ ବେବର୍ତ୍ତା, ଅଧ୍ୟାପକ ଡ. ସୁଶାନ୍ତ ଜେନା, ଅଧ୍ୟାପକ ସୁଶାନ୍ତ ଦାଶ, ଅଧ୍ୟାପକ ଡ.ଚ଼ନ୍ଦ୍ରଶେଖର ଦାସ, ଡ.ହୃଷିକେଶ ପଣ୍ଡା, ଅଧ୍ୟାପକ ସିମାଞ୍ଚଳ ସାହୁ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ଲେଖକ ହେବାର କଳା ଓ କୌଶଳ ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସୁଚାରୁରୂପେ ପରିଚାଳନା କରିଥିଲେ। ଶେଷରେ ଅଧ୍ୟାପକ ପ୍ରଣବାନନ୍ଦ ପାଟଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ।


