ଓବିସି ସଂରକ୍ଷଣ ସୁନିଶ୍ଚିତ କରି ପଂଚାୟତ ନିର୍ବାଚନ କରିବା ପାଇଁ ଦାବି

ଛତ୍ରପୁର, (ଦେବଦତ୍ତ ମହାରଣା) :ଓବିସି ସଂରକ୍ଷଣ ସୁନିଶ୍ଚିତ କରି ପଞ୍ଚାୟତ ନିର୍ବାଚନ କରିବା ଦାବି ନେଇ ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ ଜୋରଦାର କରାଯାଇଛି । ରାଜ୍ୟ ସରକାର କ୍ରମାଗତ ଭାବେ ଷଡଯନ୍ତ୍ର ରଚି ରାଜ୍ୟର ପଛୁଆ ବର୍ଗକୁ ସାମ୍ବିଧାନିକ ଅଧିକାରକୁ ବଂଚିତ କରୁଛନ୍ତି । ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ରାଜ୍ୟ ସରକାର ପଛୁଆ ବର୍ଗଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରିବା ସହ କୋର୍ଟଙ୍କ ଆଳ ଦେଖାଇ ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବଂଚିତ କରାଇବାକୁ ଷଡଯନ୍ତ୍ର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ପକ୍ଷରୁ ନିନ୍ଦା କରାଯାଇଛି । ସମାନ ପରିସ୍ଥିତିରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ କେନ୍ଦ୍ର ସରକାର ପଛୁଆ ବର୍ଗ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଓଡିଶା ସରକାର ଉଦାସୀନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ୫୪ ପ୍ରତିଷତରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଓଡିଶା ରାଜ୍ୟର ପଛୁଆ ବର୍ଗଙ୍କୁ ଆହୁରି ପଛକୁ ଠେଲି ଦେଉଛନ୍ତି ତେଣୁ ରାଜ୍ୟର ୫୪ ପ୍ରତିଷତ ପଛୁଆ ବର୍ଗଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ ବିଜେପି ତାର ଆନ୍ଦୋଳନକୁ ଜୋରଦାର କରିଛି ବୋଲି ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ କହିଛନ୍ତି । ଏନେଇ ମଙ୍ଗଳବାର ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ତଥା ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ନେତୃତ୍ୱରେ ଶତାଧିକ ଦଳୀୟ ନେତା ଓ କର୍ମୀ ମାନେ ଏକ ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟାଳୟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସି ଆନ୍ଦୋଳନ କରିବା ସହ ପଛୁଆ ବର୍ଗଙ୍କ ସ୍ୱାର୍ଥ ନିମନ୍ତେ ୭ ଦଫା ସମ୍ବଳିତ ଏକ ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ଓବିସି ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ସଭାପତି ମଦନ ମୋହନ ପାତ୍ର. ଘୁମୁସର ଜିଲ୍ଲା ସଭାପତି କୋରାନାଥ ସ୍ୱାଇଁ, ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା, ବରିଷ୍ଠ ବିଜେପି ନେତା ଡଃ ସୁବାସ ସାହୁ, କଣମଣା ମଣ୍ଡଳ ସଭାପତି ପଦ୍ମ ଚରଣ ସାହୁ, ଛତ୍ରପୁର ମଣ୍ଡଳ ସଭାପତି ସଞ୍ଜିତ କୁମାର ରାଉଳ, ମତ୍ସ୍ୟଜିବୀ ନେତା ଭୀମସେନ ବେହେରା, ଗଣପତି ବାରିକି, ବିଜୟ ମୁଦୁଲି, ସୁର୍ଯ୍ୟ ସେଠୀ, ଡି. ସୁରେଶ ରେଡ୍ଡି, ଅମରେଶ ମହାରଣା, କେ. ରଘୁନାଥ ରେଡ୍ଡୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ