ଓଡ଼ିଆ ସାହିତ୍ୟରେ ପଲ୍ଲୀକବିଙ୍କ ସ୍ୱତନ୍ତ୍ର ଛାପ ରହିଛି

ଭାଷାପ୍ରାଣ ରତ୍ନାକର ବେହେରା ଓ ଅବନୀ ଚନ୍ଦ୍ର ଦାସଙ୍କୁ ପଲ୍ଲୀକବି ସ୍ମୃତି ସମ୍ମାନ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ଓଡ଼ିଆ ସାହିତ୍ୟର ଉଜ୍ଜ୍ୱଳ ପ୍ରତିଭା, ଭାଷାପ୍ରାଣ ତଥା ପଲ୍ଲୀକବି ନାମରେ ସୁପରିଚିତ ନନ୍ଦ କିଶୋର ବଳଙ୍କର ୧୪୬ତମ ଜୟନ୍ତୀ ସ୍ଥାନୀୟ ଜୟଦେବ ବିହାରସ୍ଥିତ ତାଙ୍କ ପ୍ରତିମୂର୍ତି ସ୍ଥଳଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ତଥା ଚିନ୍ତକ ପ୍ରଦ୍ୟୁମ୍ନ ଶତପଥୀ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ସ୍ମୃତିଚାରଣ ପୂର୍ବକ କହିଥିଲେ ଯେ, ପଲ୍ଲୀକବିଙ୍କ ପ୍ରତିଭା ସାରା ଓଡ଼ିଶାକୁ ବିସ୍ତାରିତ କରିବା ସହିତ ତାଙ୍କ ଲେଖା ସରଳ, ମାର୍ଜିତ ଭାଷାରେ ଜନମାନସରେ ବେଶ୍ ପ୍ରଭାବ ପକାଇଥିଲା । ନିଜର ପ୍ରଥମ ପ୍ରବନ୍ଧ ପଲ୍ଲୀଚିତ୍ର ଯାହାକୁ କି ସେ କବିତାର ରୂପ ଦେଇଥିଲେ । ତାଙ୍କ ରଚନାରେ ପଲ୍ଲୀର ମହକ, ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରଭୃତି ସ୍ପଷ୍ଟଭାବେ ବାରି ହୋଇପଡ଼େ । ତାଙ୍କ ରଚିତ କାଳଜୟୀ ଲେଖା ନାନାବାୟା ଗୀତ ଆଜି ବି ଓଡ଼ିଶାର ପୂରପଲ୍ଲୀରେ ବେଶ୍ ପ୍ରଭାବ ପକାଇବା ସହିତ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାପ୍ରାଣ ସୀତାବଲ୍ଲଭ ମହାପାତ୍ର, ସଭାପତିତ୍ୱ କରିବା ସହିତ ତାଙ୍କ ବ୍ୟକ୍ତିତ୍ୱ ସଂପର୍କରେ ମତ ରଖିଥିଲେ । ଭାଷା ସଂସ୍କୃତି ପ୍ରାଣ ତଥା କଟକ ସଦର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ରତ୍ନାକର ବେହେରା ଓ ପୂଜ୍ୟପୂଜା ସଂସ୍କୃତି ପ୍ରାଣ ଅବନୀ ଚନ୍ଦ୍ର ଦାସଙ୍କୁ ପଲ୍ଲୀକବି ନନ୍ଦ କିଶୋର ବଳ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଅଭିଯାନର ବରିଷ୍ଠ ସଦସ୍ୟ ବ୍ରଜବନ୍ଧୁ ପରିଡ଼ା, ପୂଜ୍ୟପୂଜା ଭାଷାପ୍ରାଣ ଲକ୍ଷ୍ମୀଧର ବେହେରା, ନିରଂଜନ ଦାସ, ଡ. ଅସିତ ଦାସ, ରଂଜନିକାନ୍ତ ପରିଡ଼ା, ଲଗ୍ନଦୀପା ମିଶ୍ର, ତପନ ପଟ୍ଟନାୟକ, ବି.ମୂରଲୀଧର, ମନଜିତ୍ କୌର, ନିରଂଜନ ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ