ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) :-ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଏକ ବୈଠକ ସହର ଓଷ୍ଟା କାର୍ଯ୍ୟାଳୟରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଦାବି ନେଇ ଆସନ୍ତା ୯ ତାରିଖରେ ଭୁବନେଶ୍ୱରଠାରେ ହେବାକୁ ଥିବା ମହାସମାବେଶକୁ ସଫଳତା କରିବା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ସପ୍ତମ ବେତନ କମିଶନ ବିଜ୍ଞପ୍ତିକୁ ବିକୃତ ସହ ସରକାର କରିଥିବା ମୋଡାଲିଟି ପ୍ରକାଶକୁ ଏହି ବୈଠକରେ ବିରୋଧ କରାଯାଇଥିଲା । ସରକାରଙ୍କର ଏହି ନୀତି ସମ୍ପୂର୍ଣ୍ଣ ଅସଙ୍ଗତ ଓ ଶିକ୍ଷକ ବିରୋଧୀ ବୋଲି ଉପସ୍ଥିତ ସଭ୍ୟମାନେ କହିଥିଳେ । ଏଥି ସହିତ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶହ ଶହ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ଏହା ପୂରଣ ନେଇ ସରକାରଙ୍କ ପକ୍ଷରୁ ଉଦ୍ୟମ ନାହିଁ । ଫଳରେ ବାଲେଶ୍ୱରରେ ୭୭ଟି ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଆସନ୍ତା ୨୦୨୫ ମସିହା ସୁଦ୍ଧା ବନ୍ଦ ହୋଇଯିବାର ଆଶଙ୍କା ଦେଖାଯାଇଛି । ସେହିଭଳି ୧୯୪ଟି ବିଦ୍ୟାଳୟ୨୦/୨୫ବର୍ଷ ପରେ ବି ଅନୁଦାନ ନ ପାଇବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଶିକ୍ଷକ ନେତାମାନେ କହିଛନ୍ତି । ସରକାରଙ୍କ ଉଦାସୀନତା ବିରୋଧରେ ଆସନ୍ତା ୯ ତାରିଖରେ ଭୁବନେଶ୍ୱରରେ ହେଉଥିବା ମହାସମାବେଶକୁ ସଫଳ କରିବା ପାଇଁ ଓଷ୍ଟା ଜିଲା ସଭାପତି ବାଦଲ ଚନ୍ଦ୍ର ପାତ୍ର ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ମନୋରଞ୍ଜନ ଦାସ, ପୂର୍ବତନ ଓଷ୍ଟା ଯୁଗ୍ମ ସାଧାରଣ ସମ୍ପାଦକ ଅକ୍ଷୟ ମିଶ୍ର, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଜଗବନ୍ଧୁ ପଣ୍ଡା, ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାସ, ନବକିଶୋର ବାରିକ, ଅଞ୍ଜନ ଚାନ୍ଦ, ବ୍ଲକ ସମ୍ପାଦକ ଶ୍ରୀପତି ଚରଣ ପାତ୍ର, ଡ. ଅଜିତ କୁମାର ମହାନ୍ତି, ବିଜୟ କୁମାର ପାତ୍ର, ଶ୍ୟାମସୁନ୍ଦର ଜେନା, ଳକ୍ଷ୍ମୀଧର ମୁଦୁଲି, ପ୍ରମୋଦ କୁମାର ସାହୁ, ବଳରାମ ଦାସ, ବିଷ୍ଣୁ ମୋହନ ମିଶ୍ର ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।


