କଂକ୍ରିଟ ରାସ୍ତା ନିର୍ମାଣ ର ଏକ ମାସ ପୁରିନି, ଫାଟି ଆଁ। ତଦନ୍ତ ଦାବି
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ବାହାରେଣା ପଞ୍ଚାୟତ କଦଳିବାରୀ ଗ୍ରାମ ରେ ପଞ୍ଚଦଶ ଅର୍ଥ କମିଶନ ଯୋଜନା ଅନୁଦାନ ରେ ଏକ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା। ରାସ୍ତା ନିର୍ମାଣ ଏକ ମାସ ପୁରିନି। ହେଲେ ରାସ୍ତା ନିର୍ମାଣ କାର୍ଯ୍ୟ ଏତେ ନିମ୍ନ ମାନର ହୋଇଛି ଯେ, ରାସ୍ତା ଏବେ ଫାଟି ଆଁ କରିଛି। ଏହି ରାସ୍ତା ନିର୍ମାଣ କାର୍ଯ୍ୟ ର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉକ୍ତ ପଞ୍ଚାୟତ ର ସମିତିସଭ୍ୟ ସନ୍ତୋଷ ମେକାପ ଓ ସମାଜସେବୀ ସନ୍ତୋଷ ପ୍ରଧାନ ଙ୍କ ସହିତ ଶତାଧିକ ଗ୍ରାମବାସୀ ନିମାପଡ଼ା ବିଡିଓ ଙ୍କ ନିକଟରେ ଅଭିଯୋଗ କରି ଦାବୀ କରିଛନ୍ତି। ଏହି ରାସ୍ତା ନିର୍ମାଣ ପାଇଁ ୧ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ବରାଦ ହୋଇଥିବାବେଳେ ପଞ୍ଚାୟତ ର କାର୍ଯ୍ଯନିର୍ବାହୀ ଅଧିକାରୀ ଙ୍କୁ ଉକ୍ତ କାର୍ଯ୍ୟ କରିବାକୁ ଆଦେଶ ମିଳିଛି। ୧୫୦ ଫୁଟ ରାସ୍ତା ନିର୍ମାଣ କରିବାକୁ ଏଷ୍ଟିମେଟ କରାଯାଇଥିବାବେଳେ ପ୍ରକୃତ ପକ୍ଷେ ପ୍ରାୟ ୨୫୦ ଫୁଟ ରାସ୍ତା ବେଆଇନ ଭାବେ ମନମୁଖୀ କାର୍ଯ୍ୟ କରାଯାଇଛି। ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ବଦଳରେ ଉକ୍ତ ପଞ୍ଚାୟତ ର ସରପଞ୍ଚଙ୍କ ପ୍ରତିନିଧି ଓ ଜଣେ ଯୁବ ଠିକାଦାର ଉକ୍ତ ରାସ୍ତା କାର୍ଯ୍ୟ କରିଥିବା ଗ୍ରାମବାସୀମାନେ ଅଭିଯୋଗପତ୍ର ରେ ଦର୍ଶାଇଛନ୍ତି। ଯଦି ବ୍ଲକ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତେବେ ଗ୍ରାମବାସୀ ମାନେ ଦୁର୍ନୀତି ନିବାରଣ ବିଭାଗ ଓ ଲୋକାୟୁକ୍ତ ଙ୍କ ନିକଟରେ ଅଭିଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସଂପର୍କ ରେ ନିମାପଡ଼ା ବିଡିଓ ବସନ୍ତ କୁମାର ମଲ୍ଲିକ ଙ୍କୁ ପଚାରିବାରୁ ସେ ଅଭିଯୋଗ ପାଇ ଘଟଣା ର ତଦନ୍ତ କରି ରିପୋର୍ଟ ଦେବାକୁ ବ୍ଲକ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦେଇଥିବା ତଦନ୍ତ ରିପୋର୍ଟ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


