କଂଗ୍ରେସର ବନ୍ଧୁମିଳନ କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଶୁକ୍ରବାର ହିଞ୍ଜିଳିକାଟୁ ବ୍ଳକ ବୁରୁପୋଡ଼ା ଗ୍ରାମ ପଂଚାୟତ ଶ୍ୟାମଳାଇ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହିଞ୍ଜିଳିକାଟୁ ନଗର କଂଗ୍ରେସ ସଭାପତି ସୁନାରାମ ସାବତଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଟ କଂଗ୍ରେସ ନେତା ତଥା ହିଞ୍ଜିଳି ବିଧାନସଭା ପ୍ରାର୍ଥୀ ଶମ୍ଭୁ ପାଣିଗ୍ରାହୀ ଯୋଗଦେଇ ଉପସ୍ଥିତ ଉଭୟ ହିଞ୍ଜିଳି ଓ ଶେରଗଡ଼ ବ୍ଳକର ଦଳୀୟ କର୍ମୀଙ୍କୁ ଦଳର ସଂଗଠନ ମଜବୁତ କରିବା ପାଇଁ ଉତ୍ସାହିତ କରିଥିଲେ । ନିକଟ ଭବିଷ୍ୟତରେ ପୌର ନିର୍ବାଚନ ସହ ଆଗାମୀ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ପରସ୍ପର ସହ ସୁସର୍ମ୍ପକ ସ୍ଥାପନ କରିବା ସହ ଦଳକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଶପଥ ନେଇଥିଲେ । ଏହି ଅବସରରେ ରାଜ୍ୟ ମୁଖିଆଙ୍କ ଗଡ଼ ହିଞ୍ଜିଳି ବ୍ଳକ କଂଚୁରୁ ପଂଚାୟତର ସମିତିସଭ୍ୟ ଏ. ସୁଦାମ ବିଜେଡ଼ି ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ । ଦଳ ତରଫରୁ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । ବିଜେଡ଼ି ପକ୍ଷରୁ ସୁଦାମଙ୍କୁ କୋଣଠେସା କରାଯିବା ସହ ସଂପୃକ୍ତ ପଂଚାୟତରେ ଦୁର୍ନିତି ଚରମସୀମାରେ ପଂହଚିଥିବା, ଦଳ ପକ୍ଷରୁ ସହଯୋଗ ପ୍ରଦାନ କରାଯାଉନଥିବା ଏବଂ ପ୍ରଶାସନିକ ରାଜ ଚାଲିଥିବା ବେଳେ ଦଳ ପ୍ରତି ବିତୃଷ୍ଣା ମନୋଭାବ ସହ ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ଶମ୍ଭୁ ପାଣିଗ୍ରାହୀଙ୍କ ସର୍ବଦା ସହଯୋଗ ପାଇ ସମିତିସଭ୍ୟ କଂଗ୍ରେସରେ ଯୋଗ ଦେଇଥିବା କହିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ରଜନିକାନ୍ତ ବିଷୋୟୀ, କୁନା ବିଷୋୟୀ, ଶିବରାମ ପ୍ରଧାନ, ଗୌଡ଼ ପାଣିଗ୍ରାହୀ, ଶିଶିରକାନ୍ତ ସାହୁ, ଝୁନୁ ପାଢି, କହ୍ନେୟାଲାଲ ସାବତ, ଦୟାନିଧି ମହାନ୍ତି, ମନୋଜ ଗୌଡ଼, ପବିତ୍ର ସେଠି,ସାଗର ଦାଶ, ବୁଲୁ ନାହାକ, କାଳିଆ ପାଣିଗ୍ରାହୀ, ଚନ୍ଦନ ପାଢି, ଅନିଲ ପଣ୍ଡା, ଶ୍ରୀକାନ୍ତ ପରିଡ଼ାଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।


